Kendujhar

ଗାଁ ଦାଣ୍ଡ ଜବରଦଖଲ ମୁକ୍ତ ପାଇଁ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ଚମ୍ପୁଆ : କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତ ଟାଙ୍ଗରନାଳୀ ବାଙ୍କୀ ସାହି ରାସ୍ତାକୁ ଜନୈକ ବ୍ୟକ୍ତି ବେଆଇନ ଜବରଦଖଲ କରି ରାସ୍ତାକୁ ସଂକୁଚିତ କରୁଥିବାରୁ ଏହାକୁ ବିରୋଧ କରି ଗ୍ରାମବାସୀ ବାରିଆ ଥାନା ସହିତ ଚମ୍ପୁଆ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗ୍ରାମର ମହିଳାମାନେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କୁ ଏ ନେଇ ଅଭିଯୋଗ କରିଥିବା ଜଣାପଡିଛି।

ସାହିବାସୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଟାଙ୍ଗରନାଳୀ ବାଙ୍କୀ ସାହି ବସ୍ତି ବାସିନ୍ଦାଙ୍କ ଯିବା ଆସିବା ପାଇଁ ଥିବା ଗାଁ ଦାଣ୍ଡକୁ ୨୦୧୫ ମସିହାରେ ଚମ୍ପୁଆ ବିଡିଓଙ୍କ ମାଧ୍ୟମରେ ପକ୍କା ରାସ୍ତାରେ ପରିଣତ କରାଯାଇଥିବା ବେଳେ ସାହିକୁ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ରାସ୍ତାକୁ ଖୋଳି ପାଣି ପାଇପ ବିଛା ଯିବା ପରେ ରାସ୍ତାଟି ଭାଙ୍ଗି ଅତି ଶୋଚନୀୟ ହୋଇପଡିଛି। ଫଳରେ ଏହାର ସୁଯୋଗ ନେଇ ଗ୍ରାମର ଗୋବର୍ଦ୍ଧନ ମହାନ୍ତ ନାମକ ବ୍ୟକ୍ତି ଗ୍ରାମବାସୀଙ୍କ ବିରୋଧ ସତ୍ବେ ଉକ୍ତ ରାସ୍ତା ଉପରେ ଜୋର ଜବରଦସ୍ତ ପାଚେରୀ ନିର୍ମାଣ କରୁଛନ୍ତି। ଫଳରେ ରାସ୍ତା ସଂକୁଚିତ ହେବା କାରଣରୁ ରାସ୍ତାରେ ଲୋକମାନେ ଯିବା ଆସିବା କରିବା, ଗାଈ ବଳଦ, ଯାନବାହନ ଯିବାଆସିବାରେ ଅହେତୁକ ଅସୁବିଧା ହେବା ସହିତ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ସାହି ଭିତରକୁ ଯାଇ ପାରୁନାହିଁ। ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହିବା ଯୋଗୁଁ ରୋଗୀଙ୍କୁ ପ୍ରାୟ ଅଧ କିଲୋମିଟର ରାସ୍ତା ଖଟିଆରେ ବୋହି ନେବା ଆଣିବା କରିବାକୁ ପଡୁଛି।

ଏଠାରେ ପ୍ରକାଶଯୋଗ୍ୟ, ଏହି ଗାଁ ଦାଣ୍ଡ ରାସ୍ତାର କିଛି ଅଂଶ ଖାତା ନଂ ୧୮, ପ୍ଲଟ ନଂ ୩୬୭ ରେ ରେକର୍ଡ ନୀଳକଣ୍ଠ ମହାନ୍ତ, ବୁଦ୍ଧଦେବ ମହାନ୍ତ, ଭାଗିରଥି ମହାନ୍ତ ପିତା ମୋତିରାମ ମହାନ୍ତଙ୍କ ନାମରେ ଦର୍ଜ ଥାଇ ଗାଁ ଦାଣ୍ଡ ଦଖଲ ଇଜମାଇଲ ଭାବରେ ଖତିଆନରେ ଉଲ୍ଲେଖ ରହିଛି। ଯାହା କି ସାହି ବାସିନ୍ଦାଙ୍କ ଯିବା ଆସିବା ନିମନ୍ତେ ଉକ୍ତ ବ୍ୟକ୍ତି ମାନେ ଏହି ପ୍ଲଟକୁ ରାସ୍ତା ପାଇଁ ହସ୍ତାନ୍ତର କରିଛନ୍ତି ଏବଂ ସରକାରୀ ଖାତା ନଂ ୪୨, ପ୍ଲଟ ନଂ ୩୬୧ ଗୋଗୋଷ୍ଠ ଜମିର କିଛି ଅଂଶରେ ଏହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଜନୈକ ବ୍ୟକ୍ତି ଏହି ଗୋଗୋଷ୍ଠକୁ ମଧ୍ୟ ପାଚେରୀ ଦ୍ଵାରା ଆବଦ୍ଧ କରି ଦେଇଛନ୍ତି। ଏହି ଗୋଗୋଷ୍ଠ ଜମି ଉପରେ ପାଚେରୀ ନିର୍ମାଣ କରି ରାସ୍ତାକୁ ଅବରୋଧ କରାଯାଉଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇ ବାରିଆ ଥାନା ଅଧିକାରୀ ଓ ଚମ୍ପୁଆ ତହସିଲଦାରଙ୍କ ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗ୍ରାମର ମହିଳା ମାନେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଅଭିଯୋଗ କରିଛନ୍ତି। ତେବେ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇଲା ପରେ ମଧ୍ୟ ଜନୈକ ବେଆଇନ ଜବର ଦଖଲକାରୀଙ୍କ ଉପରେ ବାରିଆ ଥାନା କିମ୍ବା ଚମ୍ପୁଆ ତହସିଲ କାର୍ଯ୍ୟାଳୟ ପକ୍ଷରୁ କାହିଁକି କୌଣସି ପଦକ୍ଷେପ ନିଆଗଲା ନାହିଁ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Related Articles

Leave a Reply

Your email address will not be published.

Back to top button