ଅନୁଗୋଳ ଓ ତାଳଚେରକୁ ଶ୍ରୀହୀନ କରିବା ପାଇଁ ସ୍ଥାନୀୟ ବିଧାୟକଙ୍କ ସୁପରିକଳ୍ପିତ ଯୋଜନା- କାଳନ୍ଦୀ ସାମଲ

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ତଥା ବିଶେଷ ଭାବରେ ତାଳଚେରକୁ ଶ୍ରୀହୀନ କରିବା ପାଇଁ ତାଳଚେର ବିଧାୟକ ସୁପରିକଳ୍ପିତ ଯୋଜନା କରିଛନ୍ତି । ନାଲକୋ ଦ୍ୱାରା ତାଳଚେର ଅଞ୍ଚଳର ପାଇପଲାଇନ କାର୍ଯ୍ୟକୁ ଜାଣିଶୁଣି ବନ୍ଦ କରାଯାଇ ତାଙ୍କ ଦ୍ୱାରା ସେଠାରେ ଯେପରି ଭାବରେ ଅରାଜକତା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ରଚାଯାଇଛି, ତାହା ଦୁର୍ଭାଗ୍ୟଜନକ ବୋଲି ଟ୍ୱିଟ୍ କରି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଟ୍ୱିଟ୍ କରି କହିଛନ୍ତି ।

ସେ କହିଛନ୍ତି ଯେ ବିଧାୟକଙ୍କ ସୁପରିକଳ୍ପିତ ଷଡଯନ୍ତ୍ର କାରଣରୁ ନାଲକୋ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବା ସିପିପି ପ୍ଲାଣ୍ଟରୁ ଲିନସ୍ଲରୀ ପ୍ରକଳ୍ପରେ ପାଉଁଶ ନିଷ୍କାସନ ହୋଇପାରୁନାହିଁ । ଏହି ଆନ୍ଦୋଳନ କାରଣରୁ ସିପିପିର ତିନୋଟି ୟୁନିଟ୍ ବନ୍ଦ ହୋଇଯାଇଛି । ଫଳସ୍ୱରୂପ ଉତ୍ପାଦନର ମାନ ହ୍ରାସ ପାଇବା ସହ ଗୁଣାତ୍ମକ ମାନ ଦୁର୍ବଳ ହୋଇଛି । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅର୍ଥନୀତି ଉପରେ ପ୍ରଭାବ ପଡିବା ସହ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ନାଲକୋ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଲିଖିତ ଭାବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ପାଉଁଶ ନିଷ୍କାସନ ସମସ୍ୟା ନେଇ ବନ୍ଦ କରିଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ ।

ବିଜୁ ଜନତା ଦଳର ନେତାମାନେ ନିୟମ ଭଙ୍ଗର ଦ୍ୱାହି ଦେଇ ଆନ୍ଦୋଳନ ଜାରି ରଖିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲିନସ୍ଲରୀ ପ୍ରକଳ୍ପରେ ପାଉଁଶ ନିଷ୍କାସନ ପାଇଁ ଅନୁମତି ଦେଇଥିବା ସତ୍ତ୍ୱେ ନିଜର ଜିଦି କାରଣରୁ ଶାସକ ଦଳର ନେତାମାନେ ଏହି ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି କରିବାରେ ଲାଗି ପଡିଛନ୍ତି । ସ୍ଥାନୀୟ ବିଧାୟକ କ୍ଷତିଗ୍ରସ୍ତ ଅଞ୍ଚଳର ବାହାର ଲୋକଙ୍କୁ କାମରେ ଲଗାଇ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ ଧୋକ୍କା ଦେଇଛନ୍ତି । ପୁଣି ନୂଆ ନିଯୁକ୍ତି ସୃଷ୍ଟି କରିବା ବାହାନାରେ ବ୍ୟାପକ ଅର୍ଥ କାରବାରର ଅଭିଯୋଗ ଆସିଛି । ନିଜକୁ କ୍ରୀତଦାସ କହୁଥିବା, ନୂଆ ନୂଆ ଗୁମାସ୍ତା ସାଜିଥିବା ପ୍ରଣବ ପ୍ରକାଶ ଦାସ ଏଥିରେ ମୁଣ୍ଡ ପୁରାଇ ଅନୁଗୋଳ ଜିଲ୍ଲାର ଶିଳ୍ପାଞ୍ଚଳକୁ ଶ୍ରୀହୀନ କରିବା ପାଇଁ ସହଯୋଗ କରୁନାହାନ୍ତି କି ? ସେ କଣ ରାଜ୍ୟର ଶକ୍ତି ମନ୍ତ୍ରୀ ନା ପରିବେଶ ମନ୍ତ୍ରୀ ? ଏହାକୁ ଅନୁଗୋଳ ଜିଲ୍ଲା, ବିଶେଷଭାବରେ ତାଳଚେରବାସୀ କେବେ କ୍ଷମା ଦେବେ ନାହିଁ । ତାଳଚେରର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରୁଛନ୍ତି, ତାଙ୍କୁ ତାଳଚେରବାସୀ ଉଚିତ୍ ଜବାବ ଦେବେ ବୋଲି ସାମଲ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି । ନାଲକୋର ଶହ ଶହ କ୍ଷତିଗ୍ରସ୍ତ ପ୍ରଜା ଏ ଯାଏଁ ନିଯୁକ୍ତି ପାଇନାହାନ୍ତି କିନ୍ତୁ ବିଧାୟକ 70 ଜଣଙ୍କୁ ଚାକିରି ଦେବା ପାଇଁ ବାଧ୍ୟ କରୁଛନ୍ତି । ବଡଯୋରଡା, କର୍ଣ୍ଣପୁର, ଗୋବରା, ଗୁରୁଜାଙ୍ଗୁଲି, ସନ୍ଥପଡା ପଞ୍ଚାୟତରୁ ନାଲକୋର ରେଳ ଲାଇନ ଓ ପାଇପ ଲାଇନ ପାଇଁ ଜମି ଅଧିଗ୍ରହଣ ହୋଇଥିଲା । ସେହି ଅଞ୍ଚଳରୁ ଏ ପର୍ଯ୍ୟନ୍ତ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି । ଆରପିଜିଏସିରେ ବିଧାୟକ ଥିବା ସତ୍ତ୍ୱେ ଏ ପ୍ରସଙ୍ଗ ନ ଉଠାଇ ବନ୍ଦ କରିବାର ରହସ୍ୟ କଣ ବୋଲି ରାଜ୍ୟ ସମ୍ପାଦକ ପ୍ରଶ୍ନ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *