ଓଡ଼ିଶା

ଆପଦ ମିତ୍ର ନାମକ କାର୍ଯ୍ୟକ୍ରମ ଆରମ୍ଭ

(କୋରାପୁଟରୁ): ସମ୍ପ୍ରତି ମାନବ ସମାଜରେ ପ୍ରାକୃତିକ ବିପର୍ଯ୍ୟୟ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି । ଏଥିରୁ କିଭଳି ମଣିଷ ନିଜେ ବଞ୍ଚିବ ଓ ଅନ୍ୟକୁ ବଞ୍ଚାଇବ ତାହା ସରକାର, ସମାଜ ଓ ବ୍ୟକ୍ତି ପାଇଁ ଯେତିକି ଗୁରୁତ୍ୱ ବହନ କରୁଛି, ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ ମଧ୍ୟ ହୋଇଛି । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆପଦ ମିତ୍ର ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

୧୮ ବର୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ  କରାଯାଉଛି । ଆପଦ ମିତ୍ର ନାଁରେ ସ୍ବେଚ୍ଛାସେବୀ ଭାବେ ୩୦୦ ଜଣଙ୍କୁ ତାଲିମ ଦେବାକୁ ପଦକ୍ଷେପ ଆରମ୍ଭ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ସ୍ଥାନୀୟ COAT କ୍ୟାମ୍ପସରେ ଥିଓରୀ ପାଠ ପଢ଼ୁଥିବା ବେଳେ କୋଲାବ ଜଳ ଭଣ୍ଡାରରେ ଛାତ୍ରଛାତ୍ରୀଙ୍କୁ ଏହାର ପ୍ରାକ୍ଟିକାଲ ଟ୍ରେନିଂ ପ୍ରଦାନ କରୁଛନ୍ତି ଓଡ୍ରାଫର କୋରାପୁଟ ଶାଖା ଅଭିଜ୍ଞ ପ୍ରଶିକ୍ଷକ । କୋରାପୁଟ ଓଡ୍ରାଫର ଯୁବ ପ୍ରଶିକ୍ଷକ ଆଲୋକ ପାଣିଙ୍କ ୫ ଜଣିଆ ଟିମ ଭିନ୍ନ ଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ନଦୀ ନିକଟ ଅଞ୍ଚଳରେ ଦୈନନ୍ଦିନ ଜୀବନରେ ପାଣିରେ ବୁଡି ଅନେକ ଲୋକ ଜୀବନ ହାରିଛନ୍ତି । ସେଥିପାଇଁ ହାତ ପାହାନ୍ତରେ ଉପଲବ୍ଧ ଥିବା ଜିନିଷ- ଯେମିତିକି ପ୍ଲାଷ୍ଟିକ ବୋତଲ, ମାଠିଆ ବା ହାଣ୍ଡି ଦ୍ୱାରା ପାଣି ଭିତରେ ପହଁରି ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବାର କୌଶଳ ପ୍ରଦାନ କରାଯାଉଛି । ଆଉ ଏଭଳି ଏକ ତାଲିମ ପାଇଁ ଛାତ୍ରଛାତ୍ରୀ ବହୁତ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛି

ସେହିଭଳି ନିଜ ଆଖପାଖ ନଦୀ କିମ୍ବା ପାଣିରେ କେହି ବୁଡି ଯାଉଥିଲେ ଦୌଡ଼ି ସାହାଯ୍ୟରେ ବିପନ୍ନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏବଂ ମୋଟର ବୋଟ ଯୋଗେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ କାତ ମାରିବା  ଶୈଳୀର ତାଲିମ ପ୍ରଦାନ କରାଯାଉଛି ।  

ତେବେ ଏହି ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀଙ୍କୁ ଗୋଟିଏ ଲେଖାଏଁ ରେଶକ୍ୟୁ କିଟ ପ୍ରଦାନ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଶାସନର ଡାକରାରେ ଏମାନେ ସେଠାକୁ ଯାଇ ପ୍ରାଥମିକ ସାହାଯ୍ୟ ଓ ସହଯୋଗ କରିବେ ।

ଭୁଷିତ ବିଡିକାଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button