ବାହାନଗା ଟ୍ରେନ୍ ଦୁର୍ଘଟଣା : ଟ୍ରାକ୍, ଓଭରହେଡ୍ ଲାଇନ୍ ମରାମତି କାର୍ଯ୍ୟ ଜାରି

Spread the love

ଭୁବନେଶ୍ଵର/ବାଲେଶ୍ଵର : ବାଲେଶ୍ଵର ଜିଲାର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅଦ୍ୟାବଧି ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ୩୮୨ ଜଣ ଆହତ ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି । ଦୁର୍ଘଟଣା ପରେ ଉଦ୍ଧାର ଓ ଟ୍ରାକ୍ ମରାମତି କାର୍ଯ୍ୟକୁ ଜୋରଦାର୍ କରାଯାଇଛି । ଏନଡିଆରଏଫ, ଓଡ଼୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର୍ କରାଯାଇଛି । ରେଳ ଲାଇନ୍ ରୁ ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ହଟାଇବା ପରେ ଆରମ୍ଭ ହୋଇଛି ଟ୍ରାକ୍ ଏବଂ ଓଭରହେଡ୍ ଲାଇନ୍ ମରାମତି କାର୍ଯ୍ୟ । ଏହି ରୁଟ୍ ରେ ପୁଣି ଥରେ ରେଳ ଚଳାଚଳକୁ ସ୍ଵାଭାବିକ୍ କରିବା ପାଇଁ ଉଦ୍ୟମ ଜାରୀ ରହିଛି । ଟ୍ରାକ୍ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିବାରୁ ବହୁ ଟ୍ରେନ୍ କୁ ବାତିଲ୍ କରାଯାଇଛି । ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ହଜାରେରୁ ଉର୍ଦ୍ଧ୍ଵ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୭ଟି ପ୍ରୋକଲିନ ମେସିନ, ୨ଟି ଆସିଡେଂଟ ରିଲିଫ୍ ଟ୍ରେନ୍, ୧୪୦ ଟନ୍ ବିଶିଷ୍ଟ ଏକ କ୍ରେନ୍ ଏବଂ ୪ଟି ରୋଡ କ୍ରେନ୍ କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ରେଲୱେ ଡାକ୍ତର ମାନେ ଆହତ ଯାତ୍ରୀ ମାନଙ୍କ ଚିକିତ୍ସା କରୁଛନ୍ତି ଏବଂ ହସ୍ପିଟାଲ ଡାକ୍ତରମାନଙ୍କୁ ଏଥିରେ ସହାୟତା କରୁଛନ୍ତି ।

ବାଲେଶ୍ଵର- ହାୱଡ଼ା ଏବଂ ଭଦ୍ରକ-ଚେନ୍ନାଇ ମଧ୍ୟରେ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ଯାହାକି କିଛି ଯାତ୍ରୀଙ୍କୁ ନେଇପାରିବ । ଗୋଟିଏ ସ୍ଵତନ୍ତ୍ର ଟ୍ରେନ୍ ହାୱଡ଼ାରୁ ବାଲେଶ୍ଵର ମଧ୍ୟରେ ଚଳାଚଳ କରୁଛି, ଯାହାକି ମୃତାହତ ଯାତ୍ରୀଙ୍କ ସମ୍ପର୍କୀୟ ମାନଙ୍କୁ ପରିବହନ କରୁଛି ।

ପ୍ରକାଶ ଥାଉକି, ଟ୍ରେନ୍ ନଂ ୧୨୮୪୧ ଶାଲିମାର -ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନଂ ୧୨୮୬୪ ସାର୍ ଏମ.ଭିସଭେଶ୍ଵରାୟ -ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଶୁକ୍ରବାର ସଂନ୍ଧ୍ୟା ପ୍ରାୟ ୬ଟା ୫୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ମୋଟ୍ ତିନୋଟି ଟ୍ରେନ୍ ସାମିଲ୍ ଥିଲା । ତନ୍ମଧ୍ୟରେ ରହିଥିଲା ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍ ।

Leave a Reply

Your email address will not be published. Required fields are marked *