ବଲାଙ୍ଗୀର ତୁଷୁରା ଠାରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଂଟର ଶୁଭ ଉଦଘାଟନ

Spread the love

ବଲାଙ୍ଗୀର :  ଗତକାଲି ଜଳ ସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୁ ସାହୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ଙ୍କ ଦ୍ୱାରା ତୁଷୁରା ସ୍ଥିତ ପ୍ରାଣୀ ସମ୍ପଦ ଚିକିତ୍ସା କେନ୍ଦ୍ର ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ରୁ ନିର୍ମିତ ଗୋ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ଦୁଗ୍ଧ ଚାଷୀ ସଚେତନତା କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ ଅଂଚଳର ଚାଷୀ ମାନେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହାର ସୁଯୋଗ ନେବା ସହ ଚାଷୀମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ତୁଷୁରା ଠାରେ ଏହି ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ପ୍ରତିଷ୍ଠା ହେବା ଦ୍ୱାରା ଅଞ୍ଚଳ ର ଚାଷୀ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ଓ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିଥିଲେ । ଦୁଗ୍ଧଚାଷୀ ସଚେତନତା ସଭା ରେ ଉଦବୋଧନ ଦେଇ ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ ଯେ ଚାଷୀ ମାନଙ୍କର ଯେପରି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ସେଥିପ୍ରତି ସରକାର ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଚାଷୀ ମାନେ ଉତ୍ସାହିତ ହେଲେ ସରକାର ସମସ୍ତ ପ୍ରକାର ଆନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବେ । ଚାଷୀ ମାନେ ଧାନ ଚାଷ ବ୍ୟତିତ ଅନ୍ୟାନ୍ୟ ଅର୍ଥକାରୀ ଫସଲ କଲେ ବିଶେଷ ଲାଭବାନ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ଦୁଗ୍ଧ ଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେଲେ ସେମାନଙ୍କର ଆୟବୃଦ୍ଧି ସହ ଜୀବନ ଜୀବିକାର ମାନ ଉନ୍ନତ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଜିଲ୍ଲାକୁ ଏକ ୧୫ ହଜାର ଲିଟର କ୍ଷମତା ସମ୍ପନ୍ନ ନୂତନ ଦୁଗ୍ଧ ଟ୍ୟାଙ୍କର ଯୋଗାଇଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିବା ସହ ବଲାଙ୍ଗିର ଜିଲ୍ଲାରେ ଓମଫେଡ଼ ପକ୍ଷରୁ ଏକ ଶୀତଳିକରଣ ପ୍ଳାଣ୍ଟ ପ୍ରତିଷ୍ଠା ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ସଚେତନତା ସଭାରେ ଜିଲ୍ଲାପାଳ ଚଂଚଳ ରାଣା ଆଜି ଶ୍ୱେତ ବିପ୍ଲବ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲା ସାରା ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ସୃଷ୍ଟି କରିପାରିଛି ଏବଂ ଏହାକୁ ସାକାର କରିବାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ପ୍ରମୁଖ ଭୂମିକା ଅଛି ବୋଲି ପ୍ରକାଶ କରିଥିଲେ । ଦୁଗ୍ଧ ସମବାୟ ସମିତି ଓ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ମାଧ୍ୟମରେ ଜିଲ୍ଲାରେ ଦୈନିକ ପ୍ରାୟ ୫୫ ହଜାର ଲିଟର କ୍ଷୀର ସଂଗ୍ରହ କରାଯାଇପାରୁଛି ବୋଲି ସେ ପ୍ରକାଶ କରିଥିଲେ । ସଚେତନତା ସଭାରେ ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଆଂଚଳିକ ଦୁଗ୍ଧ ଉତ୍ପାଦନ ସମବାୟ ସଂଘ ର ସଭାପତି ସୀମା ପଟେଲ ଦୁଗ୍ଧ ଚାଷ କୁ ଆହୁରି କ୍ରିୟାଶୀଳ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଆଂଚଳିକ ଦୁଗ୍ଧ ଉତ୍ପାଦନ ସମବାୟ ସଂଘ ର ସାଧାରଣ ପରିଚାଳକ ଡ଼ ରଜନୀକାନ୍ତ ପଣ୍ଡା ବଲାଙ୍ଗିର ଜିଲ୍ଲାରେ ଦୁଗ୍ଧ ଚାଷର ସ୍ଥିତି ଓ ଚାଷୀମାନଙ୍କ ଉନ୍ନତି ନିମନ୍ତେ ସଂଘ ତରଫରୁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଏହି ସଭାରେ ଦୁଗ୍ଧ ଚାଷୀ ମାନଙ୍କୁ ଅତିଥି ମାନେ ଦୁଗ୍ଧ କ୍ୟାନ ବଂଟନ କରିଥିଲେ । ସଚେତନତା ସଭାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଜିତ କୁମାର ମିଶ୍ର ଉପସ୍ଥିତ ଥିଲେ । ସଭା ଶେଷରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ ସନ୍ତୋଷ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଟିଟିଲାଗଡ ଠାରେ ଜଳ ସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୁ ସାହୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ରୁ ପ୍ରାୟ ୬୨ ଲକ୍ଷ ବ୍ୟୟ ରେ ନିର୍ମାଣ ହେବାକୁ ଥିବା ଟିଟିଲାଗଡ ସହର ସୁରକ୍ଷା ନିମନ୍ତେ ସିସିଟିଭି କ୍ୟାମେରା ସିଷ୍ଟମ ଓ ପ୍ରାୟ ୪ କୋଟି ୨୦ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁଥିବା କଲ୍ୟାଣ ମଣ୍ଡପର ଶିଳାନ୍ୟାଶ କରିଥିଲେ । ତୁଷୁରା ଦୁଗ୍ଧ ଶିତଳୀକରଣ ପ୍ଳାଂଟ ଉଦଘାଟନ ଉତ୍ସବ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ବଲାଙ୍ଗିର ଅଭିମୁଖେ ଆସି ସିନଖମନ ଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ରୁ ନିର୍ମାଣାଧୀନ ୫୦୦ ଆସନ ବିଶିଷ୍ଠ ଆଧୁନିକ ପ୍ରେକ୍ଷାଳୟ ଓ ଗାନ୍ଧୀ ଷ୍ଟାଡିୟମ ଠାରେ ନିର୍ମାଣାଧୀନ ଗ୍ୟାଲେରୀ ର ନିର୍ମାଣ ଓ କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରି ଏହି କାର୍ଯ୍ୟ କୁ ଯଥାଶୀଘ୍ର ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଓ କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *