ଟିକାବାଲି ପୁରୁଣାଗଡ଼ ଠାରୁ ପ୍ରାଚୀନ ସଭ୍ୟତାର ସନ୍ଧାନ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ପକ୍ଷରୁ ଐତିହାସିକ ଡ, ଚିତରଞ୍ଜନ ମିଶ୍ର, ଅଧ୍ୟକ୍ଷ, ପଂଚାୟତ କନିଷ୍ଠ ମହାବିଦ୍ୟାଳୟ ଓ ଐତିହାସିକ ଡ, ତ୍ରୈଲୋକ୍ୟନାଥ ସେନାପତି, ଅଧ୍ୟକ୍ଷ କେଆଇଜିଏମ କଲେଜ, ଲାଇନପଡ଼ା ବଞ୍ଜୁଲୋକର ସଠିକ୍ ସ୍ଥାନ ନିରୂପଣ କରିବା ପାଇଁ ଯାଇଥିବା ବେଳେ ଟିକାବାଲି ନିକଟସ୍ଥ ପୁରୁଣା ଗଡ ଗ୍ରାମରୁ ଏକ ପ୍ରାଚୀନ ମୂର୍ତ୍ତି, ତମ୍ବାପଟା ଓ ଏକ ମନ୍ଦିରର ଭଗ୍ନାବଶେଷର ସନ୍ଧାନ କରିଛନ୍ତି । ଆବିଷ୍କୃତ ମୂର୍ତ୍ତିଟି ବ୍ରାସ୍ ନିର୍ମିତ ଏକ ନାରୀ ମୂର୍ତି । ଯିଏ ଦୁଇ ହାତରେ ଦୁଇଟି ପାତ୍ର ଓ ମୁଣ୍ଡରେ ଗୋଟିଏ ପାତ୍ର ଧାରଣ କରିଛନ୍ତି । ମୂର୍ତ୍ତି ନିମ୍ନ ଭାଗରେ ଏକ ଯୋନି ଚିତ୍ର ମଧ୍ୟ ଅଙ୍କିତ ହେଇଛି । ଏହାର ଗଠନ ଶୈଳୀ ସିନ୍ଧୁ ସଭ୍ୟତାର ଆବିଷ୍କୃତ ମୂର୍ତ୍ତି ସହ ସାମଞ୍ଜସ୍ୟ ରଖେ । ତମ୍ବାପଟାଟି ଉତର ଭାରତର କୌଣସି ପୂଜାପଣ୍ଡା ପୁରୁଣା ଗଡର ବିଶୋଇ ପରିବାରଙ୍କୁ ପ୍ରଦାନ କରିଥିବା ମନେହୁଏ । ଏହାର ମଧ୍ୟ ଭାଗରେ ପୂଜାପଣ୍ଡାଙ୍କ ଏକ ସୁଦୃଶ୍ୟ ଚିତ୍ର ପଟ୍ଟ ଅଙ୍କିତ ହୋଇଛି । ପୂଜାପଣ୍ଡା ରୁଦ୍ରାକ୍ଷ ମାଳି ଓ ଧୋତି ପଞ୍ଜାବୀ ପରିଧାନ ପୂର୍ବକ ଉତର ପୂର୍ବ ଭାରତରେ ବ୍ୟବହୃତ ଏକ ପଗଡ଼ି ପିନ୍ଧିଥିବା ଜଣାଯାଏ ।

ଏଥିରେ ଲେଖା ଯାଇଛି କନ୍ଧମାଳ ପଣ୍ଡା ଭୋବନି ଚ୍ଚର ପୁତ୍ର ଗୋବିନ୍ଦ ଚନ୍ଦ୍ର ଚ୍ଚର ପୁତ୍ର ଶ୍ୟାମ ସୁନ୍ଦର କର ଗୁମସ୍ତା ଅନନ୍ତ ରଥ ରଣେଶରେ ବିସେଇବାର ଅନନ୍ତରଥ ଏ ସମସ୍ତ ନାମ ଲେଖାଯାଇ ତମ୍ବା ପଟାଟି ବିଶୋଇ ପରିବାରକୁ ଦିଆଯାଇଛି । ଏକ ମନ୍ଦିରର ଭଗ୍ନାବଶେଷ ମଧ୍ୟ ଏଠାରୁ ମିଳିଛି । ଯେଉଁଥିରେ ହାତୀ ଚିତ୍ର ଓ ବିଭିନ୍ନ କାରୁକାର୍ଯ୍ୟ ଖୋଦେଇ ହୋଇଚ୍ଛି । ବିଶୋଇ ପରିବାରର ପୂଜା ଘରେ ଅନେକ ଅସ୍ତ୍ର ଶସ୍ତ୍ର ପୂଜା ପାଉଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ସହ ଆଲୋଚନାରୁ ଜଣାଗଲା ଯେ ଏହା ଘୁମୁସର ଭଞ୍ଜ ରାଜବଂଶ ଶାସନାଧୀନ ଥିଲା ଏବଂ ଏକ ପ୍ରାଚୀନ ଗଡ ଭାବେ ପ୍ରସିଦ୍ଧି ଲାଭ କରିଥିଲା । ଏବେ ମଧ୍ୟ ପ୍ରାଚୀନ ପରମ୍ପରା ଅନୁଯାୟୀ ଗଡର ଇଷ୍ଟଦେବୀ ମା ବାହ୍ମୁଣି ଦେବୀଙ୍କୁ ନବାନ୍ନ ଭୋଗ ଲାଗିବା ପରେ ସମଗ୍ର ଅଞ୍ଚଳବୋସୀ ନୂଆ ଖାଆନ୍ତି । କନ୍ଧମାଳ ଇତିହାସ କଂଗ୍ରେସର ଐତିହାସିକମାନେ ବିଭିନ୍ନ ସ୍ଥାନକୁ ଯାଇ ଗବେଷଣା କରି କନ୍ଧମାଳର ଇତିହାସକୁ ସମ୍ପୂର୍ଣ ରୂପ ଦେବାକୁ ଚେଷ୍ଟା କରୁଛନ୍ତି । ସଙ୍ଗଠନ ର ଏହି କାର୍ଯ୍ୟ ନିଶ୍ଚିତ ପ୍ରଶଂସା ଯୋଗ୍ୟ ।

Leave a Reply

Your email address will not be published. Required fields are marked *