ସହିଦ ଧରମସିଂ ମାଝୀ ମାନ୍ଧାତାଙ୍କ ବିଷୟ ଏନସିଆରଟି ପାଠ୍ୟକ୍ରମରେ ସାମିଲ କରିବାକୁ ଦାବି

Spread the love

ବଲାଙ୍ଗିର : ଭାରତୀୟ ସ୍ଵାଧୀନତା ସଂଗ୍ରାମ ପୂର୍ବରୁ ୧୮୫୩ ମସିହାରେ ବ୍ରିଟିସ ଶାସନ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ ହୋଇଥିଲା । ତତକାଳୀନ ପାଟଣା ଗଡଜାତର ଆଟଗାଁ ଜମିଦାର ଅନ୍ୟାନ୍ୟ ଆଦିବାସୀ ସଂଗ୍ରାମୀଙ୍କ ସହିତ ମିଶି ଏହି ଲଢେଇ କରିଥିଲେ । ଗଞ୍ଜାମର ଘୁମୁସର ଅଞ୍ଚଳରୁ ଚକୋରା ବିଶୋଇଙ୍କ ନେତୃତ୍ଵରେ ଆରମ୍ଭ ହୋଇ ଉର୍ଲାଦାନୀର ରେଣ୍ଡୋ ମାଝୀଙ୍କ ସହାୟତାରେ ଆରମ୍ଭ ହୋଇଥିବା କନ୍ଧମେଳୀକୁ ଆଟଗାଁ ଜମିଦାର ପୃଷ୍ଠପୋଷକତା କରିଥିଲେ । ଚକୋରା ବିଶୋଇ ଓ ରେଣ୍ଡୋ ମାଝୀଙ୍କ ପ୍ରାୟ ୫୦୦ ସୈନ୍ୟଙ୍କୁ ଐତିହାସିକ ଭୀମପାହାଡର ଗୁମ୍ଫାମାନଙ୍କରେ ସୁରକ୍ଷିତ ଭାବରେ ରଖି ସେମାନଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଖାଦ୍ୟପେୟ ଦେବା ସହ ସୁରକ୍ଷା ଦେଇଥିଲେ । ଏପରିକି ଚକୋରା ବିଶୋଇଙ୍କୁ ରକ୍ଷା କରିବାକୁ ଯାଇ ଧରମସିଂ ମାଝୀ ମାନଧାତା ନିଜେ ଅସ୍ତ୍ରଧରି ବ୍ରିଟିସ ସୈନ୍ୟଙ୍କ ସହିତ ଲଢେଇ କରି ଶେଷରେ ଗିରଫ ହୋଇଥିଲେ । ତାଙ୍କୁ ନାଗପୁର ଜେଲକୁ ନିଆଯାଇଥିଲା ଓ ସେ ସେଠାରେ ୧୮୫୭ରେ ଜେଲରେ ମୃତ୍ୟୁବରଣ କରିଥିଲେ । ଆଜି ଦେଶରେ ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତିରେ ଆମେ ଅମୃତ ମହୋତ୍ସବ ପାଳୁଛୁ କିନ୍ତୁ ସ୍ଵାଧିନତା ଆନ୍ଦୋଳନରେ ସହିଦ ହୋଇଥିବା ବୀରପୁରୁଷମାନଙ୍କୁ ଆମେ ଭୁଲିଯାଉଛୁ । ମୋଦୀ ସରକାରଙ୍କ ଅମଳରେ ଏନସିଆରଟି ପକ୍ଷରୁ ପ୍ରସ୍ତୁତ ହେଉଥିବା ପାଠ୍ୟକ୍ରମରେ ଅନେକ ଅନାଲୋଚିତ ବୀରପୁରୁଷଙ୍କ ସ୍ଵାଧିନତା ସଂଗ୍ରାମ ବିଷୟ ସାମିଲ କରାଯାଉଛି । ସେହି ଦୃଷ୍ଟିରୁ ବଲାଙ୍ଗୀର ମାଟିର ବୀରପୁରୁଷ ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ଵାଧିନତା ସଂଗ୍ରାମ ବିଷୟକୁ ଏନସିଆରଟି ପାଠ୍ୟକ୍ରମରେ ସାମିଲ କରିବାକୁ ଦାବି ହୋଇଛି । ଦେଓଗାଁ ବ୍ଲକ ମକୁନ୍ଦପୁରର ଭୀମପାହାଡ ମହୋତ୍ସବ କମିଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଏହି ଦାବି ରଖିଛି । ଏନସିଆରଟି ପାଠ୍ୟକ୍ରମରେ ସହିଦ ଧରମସିଂ ମାଝୀ ମାନଧାତାଙ୍କ ବିଷୟରେ ପଢାଗଲେ ଆଗାମୀପିଢୀ ଏହି ଅଞ୍ଚଳର ବୀରଗାଥା ଓ ସ୍ଵାଧୀନତା ସଂଗ୍ରାମ ବିଷୟରେ ଅବଗତ ହୋଇପାରନ୍ତେ ବୋଲି ଦାବି କରାଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ସାମ୍ବାଦିକ ସନ୍ଦୀପ କୁଆଁର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଏହି ଦାବି ରଖିଛନ୍ତି । ଏହା ପୂର୍ବରୁ ଐତିହାସିକ ପର୍ଯ୍ୟଟନସ୍ଥଳୀ ଭୀମପାହାଡର ପାଦଦେଶରେ ଧରମସିଂ ମାଝୀଙ୍କ ସ୍ନୃତିକୁ ବହନ କରୁଥିବା ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କମିଟିର ଅଧ୍ୟକ୍ଷ ଶ୍ରୀ ମେହେର ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିକଟରେ ଦାବି କରିଛନ୍ତି ।

ସେହିପରି ପରିବର୍ତ୍ତନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସହିଦ ଧରମସିଂ ମାଝୀ ମାନଧାତାଙ୍କୁ କେନ୍ଦ୍ର ସରକାର ସ୍ଵାଧିନତା ସଂଗ୍ରାମୀ ମାନ୍ୟତା ଦେଇ ତାଙ୍କ ଉପରେ ଏକ ଡାକଟିକଟ ଉନ୍ମୋଚନ, ଆଟଗାଁର ଜମିଦାରୀ ମହଲକୁ ସ୍ମୃତୀପୀଠ ଘୋଷଣା କରାଯାଇ ଏହାର ଉନ୍ନତିକରଣ, ଆଟଗାଁରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ପୋଷ୍ଟାଲ ଫିଲାଟେଲିକ ସଂସ୍ଥାକୁ ଚିଠି କରାଯାଇଛି ବୋଲି ସାମ୍ବାଦିକ ମୁକେଶ ବହିଦାର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *