ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଦର ମହକୁମାରୁ ପ୍ରାୟ ୧୦୦ କିଲୋମିଟର ଦୂର ନୂଆପଡା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ସୀମାନ୍ତରେ ଥିବା ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଶ୍ରୀହୀନ ହୋଇପଡିଛି । ପୁରା ବଙ୍ଗୋମୁଣ୍ଡା ବ୍ଲକ ତଥା ତିନୋଟି ଜିଲ୍ଲାର ସୀମାନ୍ତବର୍ତୀ ଅଂଚଳର ରୋଗୀମାନଙ୍କ ତଥା ନିକଟରେ ଥିବା ୧୬ ନମ୍ବର ରାଜ୍ଯ ରାଜପଥ ଓ ୪୨ ନମ୍ବର ରାଜ୍ଯ ରାଜପଥରେ କୌଣସି ଦୁର୍ଘଟଣା ହେଲେ ପ୍ରଥମେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହିଁ ସାହା ଭରସା । କିନ୍ତୁ, ଏବେ ଏ ଅଂଚଳର ଗୁରୁତ୍ୱ ବହନ କରୁଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅଭାବରୁ ଶ୍ରୀହୀନ ହୋଇ ପଡିଛି । କିଛି ବର୍ଷ ତଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପରିବେଷଣ ହୋଇଥିଲା । ଏବଂ ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ ଏ ବିଷୟରେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଶ୍ରୀ ସାଲୁଜା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ବଲାଙ୍ଗିର ଗସ୍ତ ସମୟରେ ସିନ୍ଧେକେଲା ଅଂଚଳର ଲୋକଙ୍କ ସହ ନିଜେ ବିଧାୟକ ଶ୍ରୀ ସାଲୁଜା ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପଦବୀ ପୂରଣ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସ୍ୱର୍ଗତ ମନ୍ତ୍ରୀ ଶ୍ରୀ ଦାସ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କିଛିଦିନ ପରେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ରମାକାନ୍ତ ସାହୁଙ୍କ ପୋଷ୍ଟିଂ ହେବାସହ କିଛି ମାସ ପରେ ଜଣେ ଏମବିବିଏସ ଡାକ୍ତର ପ୍ରମୋଦ କୁମାର ବାରିକଙ୍କ ପୋଷ୍ଟିଂ ହୋଇଥିଲା । କିନ୍ତୁ, କିଛିବର୍ଷ ସବୁ ଠିକଠାକ ଚାଲିବା ପରେ ଚଳିତ ମାସ ହଠାତ ଦୁଇ ଜଣ ଡାକ୍ତରଙ୍କ ବଦଳି କରି ଦିଆଯାଇଛି ।
ପ୍ରକାଶ ଥାଉକି, ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଗୋଟିଏ ବର୍ଷରେ ପ୍ରାୟ ୧୦୦୮ ଡେଲିଭରି ହୋଇପାରିଥିଲା । ଏଥିରୁ ସ୍ପଷ୍ଟ ଯେ, ଏହି ହସ୍ପିଟାଲ ଏ ଅଂଚଳ ପାଇଁ କେତେ ନିର୍ଭରଶୀଳ । କିନ୍ତୁ, ଏବେ ଗର୍ଭବତୀ ମା ମାନେ ଚିନ୍ତାରେ । ଗୋଟିଏ ମାତ୍ର ନିୟମିତ ଡାକ୍ତରଙ୍କୁ ନେଇ ଏ ଅଂଚଳର ସ୍ୱାସ୍ଥ୍ୟସେବା କିପରି ହୋଇପାରିବ । ସେ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଯଥାଶୀଘ୍ର ଡାକ୍ତର ପଦବୀ ପୂରଣ ପାଇଁ ସବୁ ମହଲରୁ ଦାବି ହେଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now