ଦୁଇବର୍ଷ ପରେ ସୁବର୍ଣ୍ଣ ଜୟନ୍ତୀ: ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ୨୫ କୋଟି ରୁ ଅଧିକ ଅନୁଦାନ ଖର୍ଚ୍ଚ ନ ହେଇ ପଡ଼ି ରହିଛି: କାମ ଶୀଘ୍ର ସାରିବାକୁ ଦାବି

Spread the love

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ଏକମାତ୍ର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ ଅର୍ଥ ଥାଇ ହେଉନି ଉନ୍ନୟନମୂଳକ କାମ । ଅନୁଦାନ ଆସୁଛି କିନ୍ତୁ ଖର୍ଚ୍ଚ ନ ହୋଇ ପଡିରହୁଛି । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଓ ନିର୍ମାଣ ସଂସ୍ଥା ଯୋଗୁଁ ଆୟୁର୍ବେଦିକ ମହାବିଦ୍ୟାଳୟର ଉନ୍ନତିମୂଳକ କାମ ହେଉ ନଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ପୁରାତନ ଛାତ୍ର ସଂଗଠନ । ଏନେଇ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହାର ସୂଚନା ଦେଇଛନ୍ତି ପୁରାତନ ଛାତ୍ର ସଂଘର ସଭାପତି ଡାକ୍ତର ବାସୁଦେବ ପତି । 

ସୂଚନା ଅନୁସାରେ ସରକାରୀ ଆୟୁର୍ବେଦିକ କଲେଜ ବଳାଙ୍ଗିର ରେ ସୋଲାର ଲାଇଟ୍ ଲାଗିବା ପାଇଁ ୨୨ ଲକ୍ଷ ୫୦ ହଜାର, ପଂଚକର୍ମ ଚିକିତ୍ସା ପାଇଁ କୋଠା ନିର୍ମାଣ ବାବଦକୁ ୯୬ ଲକ୍ଷ ୯୧ ହଜାର ୫୦୦ ଟଙ୍କା ପାର୍କିଂ ଏବଂ ଶ୍ରେଣୀଗୃହ ନିର୍ମାଣ ପାଇଁ ୫ କୋଟି ୪୨ ଲକ୍ଷ ୩୪ ହଜାର ଟଙ୍କା, କମ୍ପାଉଣ୍ଡ ୱାଲ ପାଇଁ ୨୩ ଲକ୍ଷ ୬୧ ହଜାର ଟଙ୍କା, ଲାଇବ୍ରେରୀ କମ ଅଡିଟୋରିୟମ ପାଇଁ ୧୪ କୋଟି ୫୩ ଲକ୍ଷ ୫୯ ହଜାର ଟଙ୍କା, ଡିପାର୍ଟମେଂଟ ବିଲ୍ଡିଂ ପାଇଁ ୧ କୋଟି ୫୬ ଲକ୍ଷ ୧୩ ହଜାର ଟଙ୍କା, କମ୍ପାଉଣ୍ଡ ୱାଲର ମୁଖ୍ୟ ଫାଟକ ଏବଂ ହର୍ବାଲ ବଗିଚାକୁ ରାସ୍ତା ପାଇଁ ୧ କୋଟି ୩୭ ଲକ୍ଷ ୭ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ଜିଲ୍ଲା ମୁଖ୍ୟ ଆୟୁର୍ବେଦିକ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧ କୋଟି ୩୫ ଲକ୍ଷ ୧୩ ହଜାର ଟଙ୍କା ଅନୁଦାନ ଆସିଥିବା ଜଣାପଡିଛି । ଏତେ ଅନୁଦାନ ରହିଥିଲେ ହେଁ ତାକୁ କାର୍ଯ୍ୟକାରୀ କରାନଯାଇ ପକାଇ ଦିଆଯିବା ଅତ୍ୟନ୍ତ ଦୁଖଃର ବିଷୟ ବୋଲି ପୁରାତନ ଛାତ୍ର ସଂଘ କହିଥିଲା । ଯଥାଶୀଘ୍ର ଏହି ଟଙ୍କାକୁ ବିନିଯୋଗ କରାଯାଇ ପାରିଲେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଏକ ନୂଆ ରୂପରେ ଝଲସି ଉଠିବ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା । ଏହି ଆୟୁର୍ବେଦିକ କଲେଜ ବଲାଙ୍ଗିର ଜନ ସାଧାରଣ ପ୍ରଚେଷ୍ଟାରେ ୪୮ ବର୍ଷ ପୂର୍ବେ ୧୯୭୫ ରେ ଆରମ୍ଭ ହୋଇ ଇତିମଧ୍ୟରେ ସରକାରୀ ସ୍ୱୀକୃତି ଲାଭ କରି ସାରିଛି , କଲେଜରୁ ୧୪୦୦ ରୁ ଅଧିକ ଚିକିତ୍ସକ ସୃଷ୍ଟି କରିବା ସହ ସେମାନେ ଦେଶ ଭିତରେ ଓ ବାହାରେ ସେବା ଯୋଗାଇ ଦେବା ସହିତ ନିଜ ନିଜ ସ୍ଥାନରେ ବେଶ ଆଦୃତ ହୋଇଛନ୍ତି । ସରକାର ଏହି ଅନୁଷ୍ଠାନକୁ ଅନୁଦାନ ଦେଉଥିଲେ ମଧ୍‌ଯ ଠିକ ସମୟରେ ଖର୍ଚ୍ଚ ନହୋଇ କାମ ଗୁଡିକ ଅଧୁରା ରହିଚି । ଦୁଇବର୍ଷ ପରେ କଲେଜ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ ତାହାର ପୂର୍ବରୁ ବାକିଥିବ କାମ କରିବା ଦିଗରେ ବିଭାଗ ଯତ୍ନବାନ ହେବାକୁ ସଙ୍ଘ ଦାବି କରିଛି । ଆବଶ୍ୟକ ହେଲେ ଆମେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ବୋଲି ସେମନେ କହିଚନ୍ତି । ଏହି ସମ୍ମିଳନୀ ପୁରାତନ ଛାତ୍ର ସଂଘର ସଭାପତି ଡ.ବାସୁଦେବ ପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଡ. ବିପିନ ବିହାରୀ ମିଶ୍ର, ଡ. ପ୍ରମୋଦ ମିଶ୍ର, ଡ. ଚକ୍ରପାଣି ଦାସ, ଡ. ପ୍ରକାଶ ଚନ୍ଦ୍ର ଦାସ ଡ. ଉମାକାନ୍ତ ପାତ୍ର, ଡ଼. ରାଧାକାନ୍ତ ସେଠ, ଡ. ସିଦ୍ଧେଶ୍ୱର ମିଶ୍ର , ଡ଼. ସୁଶାନ୍ତ ଚାନ୍ଦ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *