ଆଗାମୀ ନିର୍ବାଚନ ପରିବାରବାଦ୍ ବନାମ ସାଧାରଣଜନତା ହେଉ

Spread the love

ବଲାଙ୍ଗିର : ଓଡ଼ିଶାର ରାଜନୀତି ବଡ ବିଚିତ୍ର ସ୍ଥିତିରେ ରହିଛି । ବହୁତ ବଡ଼ ବଡ଼ ଦୁର୍ନୀତି ଘଟଣାବଳୀ, ଚାଂଚଲ୍ୟକର ଅଘଟଣ ଘଟିଥିବା ସତ୍ବେ ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ଦଳର ଶାସନ ଚାଲିଛି । ପ୍ରତୀୟମାନ ହେଉଛି ସତେ ଯେମିତି ଓଡ଼ିଶାରେ ବିରୋଧୀ ଦଳର କିଛି ସ୍ଥିତି ନାହିଁ । ଜନସାଧାରଣଙ୍କ ଅନେକ ସମସ୍ୟା ଅସମାହିତ ହୋଇ ପଡ଼ିଥିବା ସତ୍ବେ ତଥା ଦେଶର ଅର୍ଥନୈତିକ ମାନଚିତ୍ରରେ ରାଜ୍ୟ ବହୁତ ତଳେ ଥିବା ସତ୍ବେ ସେଭଳି କିଛି ଆଖିଦୃଶିଆ ଜନ ଆନ୍ଦୋଳନ ଦୃଷ୍ଟିଗୋଚର ହେଉନାହିଁ । ଶାସନ ବ୍ୟବସ୍ଥା ବିରୁଦ୍ଧରେ ପ୍ରବଳ ଜନମତ ଥିବା ସତ୍ବେ ତାହା ନିର୍ବାଚନରେ ପ୍ରତିଫଳିତ ହେଉନାହିଁ । ଅନ୍ୟପକ୍ଷରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳୀୟ ନେତାମାନେ ନିଜ ନିଜର ପୁଅ / ଝିଅ ମାନଙ୍କ ପାଇଁ ବିଜେଡ଼ିରେ ଟିକଟ କରାଇବାରେ ବ୍ୟସ୍ତ ଥିବା ଭଳି ଜଣାପଡ଼ୁଛି ।

କୋଶଳାଂଚଳର ଅବସ୍ଥା ଆହୁରି ଶୋଚନୀୟ । ଦେଶର ସର୍ବାଧିକ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର ହୋଇଥିବା ଏ ଅଂଚଳ ଐତିହାସିକ ଛାତ୍ର ଆନ୍ଦୋଳନ, କୃଷକ ଆନ୍ଦୋଳନ, ବିସ୍ଥାପନ ବିରୋଧି ଆନ୍ଦୋଳନ, ଆଦିବାସୀ ଆନ୍ଦୋଳନ ପାଇଁ ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ବିଗତ ୩ ଦଶକ ଧରି କ୍ରମାଗତ ଭାବରେ ସ୍ଵତନ୍ତ୍ର କୋଶଳରାଜ୍ୟ ପାଇଁ ଆନ୍ଦୋଳନ ଚାଲି ଆସିଥିଲା । ହାଇକୋର୍ଟ ବେଂଚ ପାଇଁ ଲଗାତାର ଭାବରେ ଆଇନଜୀବୀ ଆନ୍ଦୋଳନ ବ୍ୟବସ୍ଥାକୁ ସ୍ଥାଣୁ କରି ଦେଇଥିଲା । କିନ୍ତୁ, ଆଜି ସେସମସ୍ତ ଆନ୍ଦୋଳନ ଇତିହାସ ହୋଇଯିବାକୁ ବସିଲାଣି । ଅନ୍ୟପକ୍ଷରେ ଅନାହାର ମୃତ୍ୟୁ, ଦାଦନ ସମସ୍ୟା, ବେକାରୀସମସ୍ୟା, ଚାଷୀ ଆତ୍ମହତ୍ୟା, ଶିଶୁ / ମାତୃ ମୃତ୍ୟୁହାର ବୃଦ୍ଧି ସମସ୍ୟାରେ ଜର୍ଜରିତ ଏ ଅଂଚଳ ଆଜି ହତାଶା ଭିତରେ ରହିଛି । ଅବସ୍ଥା ଏଭଳି ସଂଗୀନ ଯେ ଭୟଙ୍କର କରୋନା ସମୟରେ ଏ ଅଂଚଳରେ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେଇଦେବା ସତ୍ବେ ରାଜ୍ୟବାଦୀ ସଂଗଠକଙ୍କ ଛଡ଼ା ଆଉ କେହି ପ୍ରତିବାଦ କଲେ ନାହିଁ । କୋଶଳାଂଚଳ ନିର୍ବାଚିତ ପ୍ରତିନିଧିମାନେ କେବଳ ନିଜର ତଥା ନିଜ ପରିବାରର ସ୍ଥିତି, ପ୍ରତିପତ୍ତି ଓ ସଂପତ୍ତି ପାଇଁ ତତ୍ପରଶୀଳ, ଅଂଚଳ ପାଇଁ ନୁହେଁ । ଅବିଭକ୍ତ ବଲାଙ୍ଗିର ଜିଲ୍ଲା ଯାହାକି ଏକ ଲୋକସଭା ନିର୍ବାଚନ ମଣ୍ଡଳୀ ତା’ର ସ୍ଥିତି ଆହୁରି ସଂଗୀନ ଅଟେ । ଦେଶର ସର୍ବାଧିକ ଦାଦନ ପ୍ରବଣ ଏ ଅଂଚଳରେ ରାଜ୍ୟର ସର୍ବାଧିକ ଧନୀ ରାଜନୈତିକ ପରିବାରମାନେ ଶାସନ କରୁଛନ୍ତି । ଜନସେବା ଓ ପରିବର୍ତ୍ତନର ଆହ୍ଵାନ ଦେଇ ରାଜନୀତି କରୁଥିବା ଏହି ପରିବାରମାନେ ବଜାରରେ ଚାଲିଥିବା ସବୁବ୍ୟବସାୟର ମାଲିକାନା ରଖିଛନ୍ତି । ଏମାନଙ୍କ ପାଇଁ ବ୍ୟବସାୟ ଉତ୍ତରଣର ଏକ ମାଧ୍ୟମ ମାତ୍ର । ଦିଶାହୀନ ଜନତା, ସ୍ଥାଣୁ ବୁଦ୍ଧିଜୀବୀ ଓ ଆତ୍ମପ୍ରଚାର ଓ ସ୍ଥିତି ଖୋଜୁଥିବା ସଂଗଠକମାନଙ୍କ ସୁବିଧାବାଦର ସୁଯୋଗ ନେଇ ଏହି ରାଜନୈତିକ ପରିବାରମାନେ ମୁଷ୍ଟିମେୟ ଚାଟୁକାର ଓ ବ୍ୟବସାୟିକ ଦଲାଲମାନଙ୍କ ମାଧ୍ୟମରେ ରାଜନୈତିକ କ୍ଷମତାକୁ ଦଖଲ କରିବା ସହ ତାଙ୍କର ପରିବାରର ପ୍ରତିପତ୍ତି ଓ ସଂପତ୍ତି ବଢ଼ାଇ ଚାଲିଛନ୍ତି । ଫଳତଃ ବଲାଙ୍ଗିରର ଅବସ୍ଥା ରସାତଳକୁ ଯିବାରେ ଲାଗିଛି । ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ରାଜନୀତିକୁ ୩ଟି ପର୍ଯ୍ୟାୟରେ ନିଆଯାଇ ପାରେ ୧୯୫୦ରୁ ୧୯୮୦ ପର୍ଯ୍ୟନ୍ତ ଏକ ପର୍ଯ୍ୟାୟ । ୧୯୮୦ ରୁ ୧୯୯୦ ପର୍ଯ୍ୟନ୍ତ ଏକ ପର୍ଯ୍ୟାୟ । ୧୯୫୦ରୁ ୧୯୮୦ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ରାଜନୀତି ସଂପୂର୍ଣ୍ଣରୂପେ ପେଲେସ ଦ୍ଵାରା କବଳିତ ଥିଲା । ଅବସ୍ଥା ଏଭଳି ଥିଲା ଯେ, ରାଜ ପରିବାର କର୍ମଚାରୀମାନେ ମଧ୍ୟ ରାଜନେତାର ମର୍ଯ୍ୟାଦା ପାଇ ଯାଉଥିଲେ । ୧୯୮୦ ରୁ ୧୯୮୯-୯୦ ଏହି ଦଶବର୍ଷ କଂଗ୍ରେସ ଶାସନ ଚାଲିଲା । ଏହି ସମୟରେ କିଛି ନିର୍ମାଣ କାର୍ଯ୍ୟ ହୋଇଥିଲେ ମଧ୍ୟ ଦୁର୍ନୀତି ଓ ଗୁଣ୍ଡାମୀର ପ୍ରବଳ ଅଭିଯୋଗ ନେଇ କ୍ରମାଗତ ଭାବରେ ଜନ ଆନ୍ଦୋଳନ ଓ ଛାତ୍ର ଆନ୍ଦୋଳନ ହେବାରୁ ପ୍ରଥମେ ୧୯୮୯ ଲୋକସଭା ନିର୍ବାଚନରେ ଓ ପରେ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇଗଲା । ତାପରେ ଆରମ୍ଭ ହେଲା ଏକ ନୂଆ ରାଜନୀତି । ରାଜପରିବାର ସହ ସମତାଳ ଦେଇ ଅନ୍ୟ ରାଜନୈତିକ ପରିବାରମାନେ ମଧ୍ୟ ରାଜନୀତିରେ ଆବିର୍ଭାବ ହେଲେ । ଅବସ୍ଥା ଏଭଳିହେଲା ଯେ ଏହି ପରିବାରମାନଙ୍କ ପାଇଁ ଦଳ ଆଦର୍ଶ କିମ୍ବା ନୀତିର କିଛି ମର୍ଯ୍ୟାଦା ରହିଲା ନାହିଁ । କ୍ଷମତା ଓ ବ୍ୟବସାୟ ହିଁ ଏମାନଙ୍କ ସର୍ବସ୍ବ ହୋଇଗଲା । ରାଜନୀତିର ଦୂରାବସ୍ଥା ଏଭଳି ହୋଇଛି ଯେ, କ୍ଷମତା ରାଜନୀତିର ପେଣ୍ଡୁଲମ୍ ଏହି ପରିବାରମାନଙ୍କ ମଧ୍ୟରେ ହିଁ ଦୋହଲୁଛି । ବିଗତ ଦିନରେ ଏ ଅଂଚଳରେ ଦେଖା ଦେଇଥିବା ଜମି ଦୁର୍ନୀତି, ଅପରାଧିକ ଅବସ୍ଥା, ମଦ, ସଟ୍ଟା, ଚାଉଳ ରିସାଇକ୍ଲିଂ ଘଟଣା, ମ୍ୟୁନିସିପାଲିଟି ଦୁର୍ନୀତି, ଟେଣ୍ଡର ଫିକ୍ସିଂଗ୍, ଦାଦନ ବ୍ୟବସାୟ ଯେତେସବୁ ଅପରାଧିକ ଘଟଣାବଳୀର ସୂତା ଏହି ରାଜନୀତିକ ପରିବାରମାନଙ୍କ ଲୁଗାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ଏହି ଯେ, ପ୍ରଶାସନ ଓ ସରକାର ମଧ୍ୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଏହି ରାଜନୈତିକ ପରିବାରମାନଙ୍କୁ ଘଂଟ ଘୋଡ଼ାଉଛନ୍ତି । ଅବସ୍ଥା ଏଭଳି ଯେ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ସବୁ ପ୍ରମୁଖ ରାଜନୈତିକ ପରିବାର ଗୋଟିଏ ଗୋଟିଏ ଦଳକୁ ଆବୋରି ବସିଛନ୍ତି । ଆଉ ସେହି ଦଳ ସବୁ ତିଆରି କରିଥିବା ସଂଗଠକମାନେ ଆଜି କଣଠେସା ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ନୀତି / ଆଦର୍ଶର କଥା କହୁଥିବା କିଛି ବୁଦ୍ଧିଜୀବୀ ଓ ସମାଜିକ ସଂଗଠକମାନେ ମଧ୍ୟ ଏମାନଙ୍କ ଅପରାଧର ସହଯୋଗୀ ସାଜିଛନ୍ତି । ଏବେ ଏହି ରାଜନୈତିକ ପରିବାରମାନଙ୍କ ମୁଖିଆମାନେ ସମସ୍ତେ ନିଜ ନିଜ ପୁଅ ମାନଙ୍କୁ ଶାସକ ଦଳର ଟିକଟ କରାଇବାରେ ଲାଗିଗଲେଣି । ଏବେ ପ୍ରଶ୍ନ ଉଠୁଛି । ଯଦି ଏଭଳି ଅବସ୍ଥା ହୁଏ ତେବେ ଏ ଅଂଚଳର ସମସ୍ୟା ସବୁ କିଭଳି ଭାବରେ ସମାହିତ ହେବ ଏବଂ ରାଜନୈତିକ ଅଭିପ୍ରାୟ ନେଇ ସଂଗଠନ କରିଥିବା ଦଳୀୟ ସଂଗଠକମାନଙ୍କ ଅବସ୍ଥା କ’ଣ ହେବ । ଏହା କ’ଣ ବହୂୁ ଅଭୀପ୍ସିତ “ପରିବର୍ତ୍ତନ’ । ତେଣୁ ଆଜି ସମୟ ଆସିଛି ଜନତା ଓ ରାଜନୈତିକ ସଂଗଠକମାନଙ୍କୁ ଜଗିବା ପାଇଁ, ରାଜନୈତିକ ସଂଗଠକମାନେ ଏହି ପରିବାରବାଦୀ ରାଜନେତା ଓ ତାଙ୍କ ପରିବାରର ଗୋଲାମ୍ ହେବା ପରିବର୍ତ୍ତେ ନିର୍ବାଚନ ଟିକଟ୍ ଦାବୀଦାର ହୁଅନ୍ତୁ । ଆଉ ସାଧାରଣ ଜନତା କ୍ଷମତାଲିପ୍ସୁ ଏହି ପରିବାରବାଦୀ ରାଜନୈତିକନେତାମାନଙ୍କୁ ପରାହତ କରି ସକ୍ଷମ ଓ ସ୍ବଚ୍ଛ ସଂଗଠକମାନଙ୍କ ଇତିହାସ ଦେଖି ନିର୍ବାଚିତ କରାନ୍ତୁ । ଆଗାମୀ ନିର୍ବାଚନ ପରିବାରବାଦ୍ ବନାମ ସାଧାରଣଜନତା ହେଉ । ନଚେତ୍ ଅଂଚଳ ସର୍ବନାଶ ଆଡ଼କୁ ଗତି କରିବ ।

Leave a Reply

Your email address will not be published. Required fields are marked *