ମାଲକାନଗିରି : ଦିନକୁ ଦିନ ବାଉଁଶ ଗଜା (କରଡି)ର ଚାହିଦା ସ୍ଥାନୀୟ ଅଞ୍ଚଳରେ ବଢୁଛି। ଲୋକେ ଏଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିବା ବେଳେ ଆଦିବାସୀମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରି ବେଶ ଦି ପଇସା ମଧ୍ୟ ରୋଜଗାର କରୁଛନ୍ତି । ଅନ୍ୟପକ୍ଷରେ ପ୍ରତିଦିନ ଜଙ୍ଗଲରୁ ବିପୁଳ ପରିମାଣରେ କରଡି ସଂଗ୍ରହ ହେଉଥିବା ଯୋଗୁ ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ବାଉଁଶ ଜଙ୍ଗଲ ପଦା ହେବାରେ ଲାଗିଛି। ବନ ବିଭାଗର କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ଏ ଦିଗରେ ନୀରବ ରହୁଥିବାରୁ ଲୋକେ ବେଧଡକ ଭାବେ ଜଙ୍ଗଲରୁ କରଡି ସଂଗ୍ରହ କରି ଚାଲିଛନ୍ତି ।
ସୂଚନାଯୋଗ୍ୟ, କରଡି ସଂଗ୍ରହ କରି ବଜାରରେ ବିକ୍ରି କରିବା ମାଲକାନଗିରି ଜିଲା ଆଦିବାସୀ ଜନଜାତିଙ୍କର ଅନ୍ୟ ଏକ ରୋଜଗାର ପନ୍ଥା। ବର୍ଷା ଦିନେ ପ୍ରତିଦିନ ସକାଳେ ଆଦିବାସୀମାନେ ଜଙ୍ଗଲକୁ ଯାଇ ବାଉଁଶ ମୂଳରୁ କରଡି ସଂଗ୍ରହ କରିଥାନ୍ତି ଉପରେ ଥିବା ଅଂଶରୁ ମୋଟା ଆବରଣକୁ କାଟି ବିଡା ବାନ୍ଧିଥାନ୍ତି। ପ୍ରତି ବିଡ଼ାରେ ୪ ରୁ ୫ ଟି ଲେଖାଏଁ କରଡି ଥାଏ । କରଡିରେ ନାନା ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ସାଧାରଣ ଲୋକେ ମଧ୍ୟ ଏହାକୁ ଖାଇଥାନ୍ତି । ଜଣେ ଆଦିବାସୀ ବଜାରରେ କରଡି ବିକ୍ରି କରି ଦିନକୁ ହାରାହାରି ୩୦୦ ଟଙ୍କା ରୋଜଗାର କରିଥାନ୍ତି। ମାଲକାନଗିରି ଜିଲା, କାଲିମେଳା, କୋରୁକୋଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି ଓ ଗୋବିନ୍ଦପାଲ୍ଲୀ ଆଦି ବିଭିନ୍ନ ଅଞ୍ଚଳରେ କରଡି ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ। ଏହିସବୁ ଅଞ୍ଚଳର ନିକଟବର୍ତ୍ତୀ ଜଙ୍ଗଲ ଗୁଡିକରେ ବାଉଁଶ ଗଛ ଥିବାରୁ ଲୋକେ ଉକ୍ତ ଜଙ୍ଗଲରୁ ଅଧିକରୁ ଅଧିକ କରଡି ସଂଗ୍ରହ କରିଥାନ୍ତି । ତେବେ ପ୍ରତିବର୍ଷ ବର୍ଷା ଦିନେ ଜଙ୍ଗଲରେ ଥିବା ବାଉଁଶ ଗଛ ମୂଳରେ ଗଜା ବାହାରିବା ସମୟରେ ସେଠାରୁ ବିପୁଳ ପରିମାଣର କରଡି ସଂଗ୍ରହ ହେଉଥିବାରୁ ଜଙ୍ଗଲରେ ବାଉଁଶ ଲୋପ ପାଉଛି। ଏଥିଯୋଗୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now