୨୦୨୩ ଏସ୍‌ଇବିସି ତାଲିକାରେ ଡଗରା ଉପଜାତି ସ୍ଥାନିତ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ 

Spread the love

ଭଦ୍ରକ : ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥା ଘୋଷିତ ୨୦୨୩ ଏସ୍‌ଇବିସି ଜାତି ତାଲିକାରେ ଡଗରା (ପାଇକ ସର୍ଦ୍ଦାର) ଉପଜାତି ସ୍ଥାନିତ ହୋଇନଥିବା ନେଇ  ତିହିଡି ବ୍ଲକ୍‌ର ଅଧିବାସୀମାନେ ଆଜି ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତିହିଡି ବ୍ଲକ୍ ଅଧୀନସ୍ଥ ଗୋପାଳ ମାଧବ, ଦୋଳସାହି, ଅଚକ, ନନ୍ଦପୁର, ସୟା, ନୟାନନ୍ଦ, ଭଂଜନଗର ଆଦି ଗାଁର ବହୁ ଡଗରା ଉପଜାତିର ପ୍ରମୁଖମାନେ ଆଜି ଜିଲା ପ୍ରଶାସନକୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏମାନଙ୍କ ଦାବି ହେଲା ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୫୧୬ ପୃଷ୍ଠାରେ ବର୍ଣ୍ଣିତ ଡଗରା ଶବ୍ଦର ପ୍ରକୃତ ଆକ୍ଷରିକ ଅର୍ଥ ହେଉଛି ‘ପାଇକ ସର୍ଦ୍ଦାର’ ବା ଖଣ୍ଡାୟତ । ତେବେ ଡଗରା ଉପଜାତିର ଓଡ଼ିଶାବାସୀ ହୋଇଥିଲେ ମଧ୍ୟ ଲଘୁସଂଖ୍ୟା ଯୋଗୁଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ଦ୍ୱାରା ରାଜ୍ୟରେ ଯେଉଁ ଏସ୍‌ଇବିସି ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କିତ ସର୍ଭେ ଚାଲିଛି, ସେହି ୨୧୦ ଜାତି ପ୍ରାୟ ୪୦ ଉପଜାତି ତାଲିକାରେ ଡଗରା (ପାଇକ ସର୍ଦ୍ଦାର) ଉପଜାତିର ନାମ ଜାତି ତାଲିକାରେ ନାହିଁ । ଯାହାକି ଏସ୍‌ଇବିସି  ସର୍ଭେ ପୋର୍ଟାଲ ୨୦୨୩ ର କୋଡ୍ ନଂ ୧୩୮ ରେ ସ୍ଥାନିତ ହେବା କଥା । ଏହି ଗୋଷ୍ଠୀ ପ୍ରତି ଓଡ଼ିଶା ସରକାରଙ୍କର ବୈମାତୃକ ମନୋଭାବ ଏହି ଜାତିର ଲୋକଙ୍କ ମାନସିକ ଓ ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଛି । ପ୍ରକାଶଯୋଗ୍ୟ ଗତ ୧୯୭୫ ରୁ ୮୫ ମଧ୍ୟରେ ଓଡ଼ିଶା ରାଜ୍ୟରେ ଚକବନ୍ଦୀ ନାମକ ଯେଉଁ ଭୂବନ୍ଦୋବସ୍ତ ହୋଇଥିଲା, ସେହି ଭୂବନ୍ଦୋବସ୍ତରେ ଜମିପଟ୍ଟା (ଖତିୟାନ) ବ ।ଯାଇଥିବାବେଳେ ଡଗରା ଜାତିର କେତେକ ଲୋକଙ୍କର ଜାତି ସ୍ଥାନରେ ଖଣ୍ଡାୟତ ବସିଥିବାବେଳେ ଆଉ କେତେକଙ୍କର ଖତିୟାନରେ ଜାତି ଡଗରା ରହିଛି ବୋଲି ଦର୍ଶାଯାଇଛି । ଫଳରେ ୨୦୨୩ ଏସ୍‌ଇବିସି ସାମାଜିକ ଶିକ୍ଷାଗତ ସ୍ଥିତି ସଂପର୍କିତ ସର୍ଭେ ରିପୋର୍ଟରେ ଆମ ଜାତି (ଡଗରା) ଉପଜାତିର ନାମ ଦରଜ ହୋଇନାହିଁ । ଫଳରେ ଏହି ଗୋଷ୍ଠୀ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏଣୁ ଡଗରା (ପାଇକ ସର୍ଦ୍ଦାର) ଉପଜାତିଙ୍କୁ ସର୍ଭେ ପୋର୍ଟାଲ ୨୦୨୩ ର କୋଡ୍ ନଂ ୧୩୮ ରେ ସ୍ଥାନିତ କରି ଏସ୍‌ଇବିସି ସର୍ଭେ ତାଲିକାରେ ଅନ୍ତର୍ଭୁକ୍ତ କରାଇଲେ ଏହି ଗୋଷ୍ଠୀ ବଂଶାନୁକ୍ରମିକ ଚିର ଉପକୃତ ହେବେ ବୋଲି  ଓଡ଼ିଶା ରାଜ୍ୟ ସରକାର ତଥା ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଡଗରା ଗୋଷ୍ଠୀ ସଭାପତି ସୁରେଶ କୁମାର ମହାପାତ୍ରଙ୍କ ସମେତ ଗୋଷ୍ଠୀର ବହୁ ସଦସ୍ୟ ଆଜି ଜିଲା ପ୍ରଶାସନକୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । 

Leave a Reply

Your email address will not be published. Required fields are marked *