ଦୋଳସାହିରୁ ପଣ୍ଡାଛକ ପର୍ଯ୍ୟନ୍ତ ହେବ ରାସ୍ତା ନିର୍ମାଣ, ରାଣିପୁର ତାରିଣୀ ଛକରୁ କାନ୍ତକବି ପୀଠକୁ ନିର୍ମାଣ ହେବ ନୂଆ ରାସ୍ତା

ଭଦ୍ରକ : ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ କିଛିଦିନ ତଳେ ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ । ଏହି ଗସ୍ତରେ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ସରକାରୀ ବେସରକାରୀ କଲେଜ, ଧର୍ମାନୁଷ୍ଠାନ ଓ ରାସ୍ତା ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ସହିତ ନୂଆ ରାସ୍ତା କରାଯିବାକୁ ଅନୁଦାନ ଯୋଗାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ତ୍ତ ବିଭାଗ ପକ୍ଷରୁ ଅଧିକାରୀ ଓ ଲୋକପ୍ରତିନିଧିମାନେ ରାସ୍ତା ନିର୍ମାଣ ନେଇ ଅନୁଧ୍ୟାନ କରିଛନ୍ତି । ଦୋଳସାହି ବଜାରରୁ ପଣ୍ଡାଛକ ପର୍ଯ୍ୟନ୍ତ ୨କି.ମି. ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତା ନିର୍ମାଣ ହେଲେ ଦୋଳସାହିରୁ ଗୁଆମାଳ, କୁବେରା, ବିଲଣା, ବୋଡ଼କ, ତଳଗୋପବିନ୍ଧା, ତାଳପଦା ଇତ୍ୟାଦି ପଞ୍ଚାୟତର ଲୋକମାନେ ସୁବିଧାରେ ଯାତାୟତ କରିପାରିବେ । ଏଥିସହିତ ରାଣୀପୁର ତାରିଣୀ ଛକରୁ କାନ୍ତକବି ପୀଠ ପର୍ଯ୍ୟନ୍ତ ୨.୨କି.ମି. ଏକ ନୂଆ ରାସ୍ତା ନିର୍ମାଣ ହେବା ପାଇଁ ପ୍ରକଳ୍ପ ଅନୁମୋଦିତ ହୋଇଛି । ଏହି ରାସ୍ତା ନିର୍ମାଣ ହେଲେ ଲୋକମାନେ ସୁରୁଖୁରୁରେ ସିଧାସଳଖ ଭଦ୍ରକ-ଚାନ୍ଦବାଲି ରାସ୍ତାରୁ କାନ୍ତକବି ପୀଠ ପର୍ଯ୍ୟନ୍ତ ଯାତାୟତ କରିପାରିବେ । ଅନୁସନ୍ଧାନ ପରେ କାନ୍ତକବି ସ୍ମୃତି ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ତ୍ତ ବିଭାଗର ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଡମ୍ବରୁଧର ମଣ୍ଡଳ, ପୂର୍ତ୍ତ ବିଭାଗ ପରାମର୍ଶଦାତା ରାକେଶ କୁମାର ମହାନ୍ତି, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, କାନ୍ତକବି ସ୍ମୃତିପରିଷଦ ସଭାପତି ଚିନ୍ତାମଣି ଦାସ, ସାଧାରଣ ସମ୍ପାଦକ ବାଣୀକଲ୍ୟାଣ ମହାପାତ୍ର, ପୂର୍ବତନ ସରପ ପ୍ରଦୀପ ପଣ୍ଡା, ସରପ ଗୌରୀଶଙ୍କର ଜେନା, ପୂର୍ବତନ ସମିତି ସଭ୍ୟ ହରିଶ୍ଚନ୍ଦ୍ର ମିଶ୍ର, ସମାଜସେବୀ ତାପସ ପାଠୀ, ରମେଶ ମହାପାତ୍ର, ରାକେଶ ମହାପାତ୍ର, କରୁଣାକର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରାସ୍ତା ନିର୍ମାଣ ନେଇ ଆଲୋଚନା କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *