କେତେ ଶୃଙ୍ଖଳିତ ବିଜେଡି?

ବିଜେଡିରେ ଶୃଙ୍ଖଳା ଭାଙ୍ଗିଲାଣି। ପୂର୍ବଭଳି ଅନୁଶାସନ ବି ନାହିଁ। ନେତାଙ୍କ ମୁହଁରେ ବାଡ଼ବତା ଆଉ ନାହିଁ। ବିପର୍ଯ୍ୟୟ ପରେ କିଏ ସିଧାସଳଖ ସୁପ୍ରିମୋଙ୍କୁ ଟାର୍ଗେଟ କଲାଣି ତ କିଏ ଦଳର ତଥାକଥିତ ବଡ଼ବଡ଼ିଆଙ୍କୁ। କିଏ ହୋଟେଲରେ ତ କିଏ ନିଜ ଘରେ ମେଳି କଲେଣି। ନବୀନଙ୍କ ନୀତି ଓ ନେତୃତ୍ୱକୁ ଅନେକ ବରିଷ୍ଠ ବି ଖୋଲା ଚ୍ୟାଲେଞ୍ଜ୍ କରିଥିଲେ। ନବୀନ ନିବାସରେ ନବୀନଙ୍କ ଖାସ୍ ଅନୁଗତ ପାଣ୍ଡିଆନଙ୍କ ବିରୁଦ୍ଧରେ ଗୋ ବ୍ୟାକ୍ ନାରା ବି ପ୍ରଥମ ଥର ଶୁଭିଲା। ଓ୍ୱାକଫ ବିଲ୍ ସମର୍ଥନ ଝଡ଼ ହେଉ ଅବା ସଦ୍ୟ ସଂରକ୍ଷଣ ଅଧିକାର ଦାବିରେ ବିଜେଡିର ରାଜଭବନ ଘେରାଓ କାର୍ଯ୍ୟକ୍ରମ। ଯୁବ ଓ ବରିଷ୍ଠ ଦଳର ତୃଟିପୂର୍ଣ୍ଣ ନୀତିକୁ ଖୋଲୋଖୋଲି ସମାଲୋଚନା କରିବାକୁ ପଛାଇଲେନି। ପାର୍ଟି ଫୋରମରେ କୁହ, ତାଙ୍କ ସହ ସିଧା ଆଲୋଚନା କର ଓ ବାହାରେ ନୁହେଁ, ବରଂ ଶଙ୍ଖ ଭବନରେ ବୈଠକ କର ବୋଲି ଦଳ ସୁପ୍ରିମୋ ନବୀନ ଯେତେ କହିଲେ ସୁଧା ଏହାର ସେତେଟା ପ୍ରଭାବ ପଡ଼ୁନି। ଶେଷରେ ଦଳର ଶୃଙ୍ଖଳା କମିଟି ଗଠନ କରିଛନ୍ତି ନବୀନ। ୭ ଜଣିଆ ଶୃଙ୍ଖଳା କମିଟିରେ ଜଣେ ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କୁ ଛାଡ଼ିଦେଲେ ବାକି ସବୁ ହାରୁ ନେତା। ଦେବୀ ମିଶ୍ର, ପ୍ରଦୀପ ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲିକ, ସାରଦା ଜେନା, ଶର୍ମିଷ୍ଠା ସେଠୀ ଓ ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ଶୃଙ୍ଖଳା କମିଟିରେ ଅଛନ୍ତି। ଶୃଙ୍ଖଳା କମିଟି ସଦସ୍ୟ କହିଛନ୍ତି, ବିଜେଡି ପୁରା ଶୃଙ୍ଖଳିତ।ଏହାର ନେତା ନବୀନଙ୍କ ନେତୃତ୍ୱରେ ସମସ୍ତେ ଏକଜୁଟ୍ ଅଛନ୍ତି। କୌଣସି ମତଭେଦକୁ ମନାନ୍ତର କି ବିଦ୍ରୋହର ନାଁ ଦେବା ଉଚିତ୍ ନୁହେଁ। ବିଶୃଙ୍ଖଳିତ ଲୋକଙ୍କ ସ୍ଥାନ ବିଜେଡିରେ ନାହିଁ। ବିଶୃଙ୍ଖଳାକୁ ବିଜେଡି ବରଦାସ୍ତ କରିବନି।ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଆକ୍ରମଣାତ୍ମକ ବିରୋଧୀ ଦଳର ଭୂମିକା ତୁଲାଇପାରୁନି ବୋଲି କହି ଚେତାଇ ଦେଇଥିଲେ କିଛି ଦିନ ତଳେ ଭୁପିନ୍ଦର ସିଂ। ଏପରିକି ବିଜେପି ସହ ସମ୍ପର୍କର ଚର୍ଚ୍ଚାକୁ ଯେତେ ମିଛ କହି ଏଡ଼ାଇଚାଲିଲେ ବିଜେଡିକୁ ଅଧିକ କ୍ଷତି କରିବ। ସାଧାରଣରେ ବିଜେଡିକୁ ନେଇ ଚାଲିଥିବା ଚର୍ଚ୍ଚାକୁ ହାଲୁକା ଭାବେ ନିଆଯିବା ଠିକ୍ ହେଉନି। ମହେଶ ସାହୁ ବି ତଥାକଥିତ ବରିଷ୍ଠଙ୍କର ଦଳ ପ୍ରତି ବଳିଦାନର ହିସାବ ମାଗିଥିଲେ। ସଂଖ୍ୟାନୁପାତିକ ସଂରକ୍ଷଣ ଦାବିରେ ରାଜଭବନ ଆଗରେ ବିଜେଡିର ଜନଆନ୍ଦୋଳନ ମଞ୍ଚରୁ ବିଜେଡିର ତଥାକଥିତ ଆଗ ଧାଡ଼ିର ନେତାଙ୍କୁ ବାଣ ମାରିଥିଲେ ରାଜା ସ୍ୱାଇଁ। ପଛୁଆ ବର୍ଗଙ୍କ ଲାଗି ଲଢ଼େଇ ପାଇଁ ବିଜେଡି ଯଦି ଆଗରୁ ଏମିତି କାର୍ଯ୍ୟକ୍ରମ କରିଥାଆନ୍ତା, ତାହେଲେ ଆଜି ଦଳ କ୍ଷମତାଚ୍ୟୁତ ହୋଇନଥାଆନ୍ତା ବୋଲି ଚେତାଇ ଦେଇଛନ୍ତି ରାଜା। ଦଳକୁ ଠିକଣା ବାଟରେ ନେବାକୁ ହେଲେ ନେତାଙ୍କ ମନ ସଫା ରହିବା ଜରୁରୀ ବୋଲି କହିଛନ୍ତି ରାଜା।ଶଶୀଭୂଷଣ, ପଦ୍ମନାଭ, ପ୍ରଫୁଲ୍ଲ ମଲ୍ଲିକ, ଦେବାଶୀଷଙ୍କ ଭଳି ଅନେକ ତୁଙ୍ଗ ନେତା ବିଜେଡିର ନୀତି, ନେତୃତ୍ୱ ଓ ପରିଚାଳନାକୁ ନେଇ ଅଙ୍ଗୁଳି ଉଠାଇସାରିଛନ୍ତି। ଯୁବ ଓ ବରିଷ୍ଠ ମେଳି ବିଜେଡିରେ କମ୍ପନ ସୃଷ୍ଟି କରିଛି। ଦେଖିବାର କଥା, ଶୃଙ୍ଖଳା କମିଟି ଦଳକୁ ଶୃଙ୍ଖଳିତ କରିବାରେ କେତେଦୂର ସମର୍ଥ ହେଉଛି। ନେତାଙ୍କ ମୁହଁ ବନ୍ଦ କରିବାକୁ ସକ୍ଷମ ହେବ କି ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *