
ସସ୍ମିତଙ୍କ ବିରୁଦ୍ଧରେ ବିଜେଡିରେ କୁହୁଳିଲାଣି ଅସନ୍ତୋଷ। ଓ୍ୱାକଫ ବିଲ୍ ସମର୍ଥନରେ ଭୋଟ ଦେଇଥିବା କଥା ସସ୍ମିତ କହିବା ପରେ ବିଜେଡିରେ ପଡ଼ିଛି ଭାଳେଣି। ଦଳ ଏବେ ଧର୍ମସଙ୍କଟରେ ପଡ଼ିଗଲାଣି। ସସ୍ମିତ ପାତ୍ର କାହା ନିର୍ଦେଶରେ ଏମିତି ସାହସ କଲେ। ଦଳୀୟ ମର୍ଯ୍ୟାଦା ଉପରେ ଏମିତି ଆଞ୍ଚ ଆସିଲା କେମିତି। ନବୀନଙ୍କ ନିର୍ଦେଶ ଶେଷ ମୂହୂର୍ତ୍ତରେ ବଦଳିଗଲା କାହିଁକି ଓ କେମିତି। ଶୁକ୍ରବାର ସଂଧ୍ୟାରେ ନବୀନ ନିବାସ ଯାଇ ଅନେକ ବରିଷ୍ଠ ନେତା ଏହାର କାରଣ ନବୀନଙ୍କ ମୁହଁରୁ ଶୁଣିବାକୁ ଯାଇଥିଲେ। ସସ୍ମିତଙ୍କ ବିରୁଦ୍ଧରେ ତ କାର୍ଯ୍ୟାନୁଷ୍ଠାନ ପାଇଁ ନବୀନଙ୍କୁ ଚିଠି ଲେଖି ଫେରାଦ୍ ହୋଇସାରିଛନ୍ତି ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନା। ଗଣେଶ୍ୱର କହିଛନ୍ତି- ସଂସଦରେ ଯାହା ଘଟିଲା, ସସ୍ମିତ ଦାୟୀ। ନବୀନ କେଉଁଠି ବି କହିନାହାନ୍ତି ବିବେକାନୁମୋଦିତ ଭୋଟ ଦେବାକୁ। ସସ୍ମିତ ଅଧିକାର ବର୍ହିଭୂତ କାମ କରିଛନ୍ତି। ବ୍ୟକ୍ତିଗତ ନିଷ୍ପତ୍ତିକୁ ନବୀନଙ୍କ ନାଁରେ ପାର୍ ହେବାକୁ ଚେଷ୍ଟା କରିଛନ୍ତି ସସ୍ମିତ। ଧର୍ମନିରପେକ୍ଷ ଦଳ ଭାବେ ନିଜକୁ କହି ଏହି ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନି ବୋଲି କହିଛନ୍ତି ନେତାଏ। ଏହା ସହ ସମଦୂରତ୍ୱର ପୁରୁଣା ଫଣ୍ଡା ବି କାଏମ ରହିଛି। ବଦ୍ରି କହିଛନ୍ତି, ସସ୍ମିତ ଏତେବଡ଼ ସାହସ କଲେ କେମିତି। ଶେଷମୂହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନରୁ ବିଜେଡି ଏବେ ଧର୍ମସଙ୍କଟରେ ପଡ଼ିଛି। କଥା ପଡ଼ିଛି। ଶୁକ୍ରବାର ସଂଧ୍ୟାରେ ନବୀନ ନିବାସ ଯାଇଥିବା ନେତାଏ ବାସ୍ତବରେ କଅଣ ମ୍ୟାନେଜ୍ କରିବାକୁ ଚାହୁଁଥିଲେ। ନବୀନଙ୍କ ଧର୍ମନିରପେକ୍ଷ ଭାବମୂର୍ତ୍ତି ନା ନବୀନଙ୍କ ଅଗୋଚରରେ ଏମିତି ହେଉଛି ବୋଲି ଧାରଣା ସୃଷ୍ଟି କରିବାକୁ। କାରଣ ଯେତେବେଳେ ବିବେକାନୁମୋଦିତ ଭୋଟ୍ ଦେବାକୁ କହି ନବୀନ ହ୍ୱିପ୍ ହଟାଇଦେଲେ। ସେତେବେଳେ ବିଦ୍ରୋହ, ଭୟ ଓ ଭୀରୁତା ଭଳି ପ୍ରଶ୍ନ ଉଠୁଛି କେଉଁଠି। ତା ହେଲେ କଅଣ ନବୀନ ଜାରି କରିଥିବା ନିର୍ଦେଶାନାମା ଅସଲ ନଥିଲା କି। ଏମିତିରେ ନବୀନ କିଛି ଜାଣନ୍ତିନି। ତାଙ୍କ ଦସ୍ତଖତରେ କିଏ କାହାକୁ ଦଳରୁ ତଡ଼ିଲାଣି ତ କିଏ କାହାକୁ ଦାୟିତ୍ୱ ଦେଲାଣି ବୋଲି ଅତୀତରେ ଚର୍ଚ୍ଚା ହେଉଥିଲା। ଏଥର ଏମିତି କିଛି ହୋଇନି ତ। ନବୀନଙ୍କୁ ବାଇପାସ୍ କରି କିଏ ଖେଳ କରୁନି ତ। ଯେଉଁ ନେତାଏ ନବୀନଙ୍କ ସମଦୂରତ୍ୱର ବାଜା ପୁଣି ବଜାଉଛନ୍ତି, ସେମାନଙ୍କର ନୈତିକତା ଅଛି ତ ଏ କଥା ଉଠାଇବାକୁ। ବିଜେଡିରେ ବିରାଟ ଫାଟ। ଏ ତୁଛା ଡ୍ରାମା। ବିଜୁ ଆଉ ପାଣ୍ଡିଆନ ଲୋକ ଭାଗ ଭାଗ ହୋଇଗଲେଣି। ମୁସଲିମଙ୍କୁ ପ୍ରତାରଣା କରିଛି ବିଜେଡି। ଅନେକ ଥର ମୋଦିଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପଣର ଦୃଶ୍ୟପଟ୍ଟ ଆଉ କାହାରିକୁ ଅଛପା ନାହିଁ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ମନ୍ତ୍ରୀ କୃଷ୍ଣପାତ୍ର କହିଲେଣି, ନବୀନଙ୍କ ନେତୃତ୍ୱ ଉପରେ ଆଉ କାହାରି ଭରସା ନାହିଁ। ବିଜେଡିରେ ନେତୃତ୍ୱ ସଂକଟ ଆହୁରି ଘନୀଭୂତ ହେବ। ବିଜେଡି ଏବେ ଲଗାମଛଡ଼ା ହୋଇସାରିଛି। ବିଜେଡିର ଭବିଷ୍ୟତ ଅନ୍ଧାର। ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ବର୍ଷେ ଭିତରେ ବିଜେଡି ସଫା ହୋଇଯିବ। ବିଜେଡି ଭୋଟିଂ ଦୁଇ ଫାଳରୁ ସ୍ପଷ୍ଟ ନବୀନ ଅସମର୍ଥ। ଆଗରୁ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡି ଛାଡ଼ି ବିଜେପିରେ ମିଶି ପୁଣି ରାଜ୍ୟସଭାକୁ ଯାଇଛନ୍ତି। ଏବେ ୭ ରାଜ୍ୟସଭା ସାଂସଦଙ୍କ ଭିତରୁ ଆଉ କିଏ ଏହି ମଉକାରେ ଦଳ ଛାଡ଼ିବାକୁ ରାସ୍ତା ସଫା କଲେଣି ବୋଲି ଚର୍ଚ୍ଚା ତେଜିଲାଣି। ବିଦେଶ ଗସ୍ତରେ ଏବେ ସସ୍ମିତ। ସସ୍ମିତ, ସୁଲତାଙ୍କଠୁ ନେଇ ଆଉ କିଛି ସାଂସଦଙ୍କ ମତିଗତିକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଜୋର୍ ଧରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now