() ପଦ୍ମପୁରରେ ବାଜି ମାରିଲା ବିଜେଡି। ଧାମନଗର ପରାଜୟର ପ୍ରତିଶୋଧ ନେଲା। ନବୀନଙ୍କ ଜାଦୁ ଆଗରେ ଆଉ ସବୁ ଯେମିତି ଫିକା ପଡ଼ିଗଲା। ବିଜେପି ଟକ୍କର ଦେଲା ସତ,କିନ୍ତୁ ଦମଦାର ଫାଇଟ୍ ଦେଇପାରିଲାନି। ଆଉ କଂଗ୍ରେସ ଅମାନତ ହରାଇ ନିଜର ଟ୍ରାକ୍ ରେକର୍ଡକୁ ବଜାୟ ରଖି ଶୋଚନୀୟ ପରାଜୟର ମୁହଁ ଦେଖିଲା।
ପୁଅ ନୁହେଁ, ଝିଅ ଦରକାର। ବର୍ଷା ସିଂ ବରିହାଙ୍କୁ ଜିତାଇ କିଛି ଏମିତି ବାର୍ତ୍ତା ଦେଲେ ପଦ୍ମପୁର ଭୋଟର। ପଦ୍ମପୁରରେ ପଦ୍ମ ମଉଳିଗଲା। ଆଉ ପୁଣି ଥରେ ଶଙ୍ଖ ବାଜିଲା। ଗଣତି ଆରମ୍ଭରୁ ଏମିତି ଗୋଟିଏ ପର୍ଯ୍ୟାୟ ନଥିଲା, ଯେଉଁଠି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଲିଡ୍ କରିନଥିଲେ। ୨୩ ରାଉଣ୍ଡରୁ ୧୫ ରାଉଣ୍ଡ ଗଣତି ବେଳକୁ ବିଜେଡି ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇସାରିଥିଲା। ପରସ୍ପରକୁ ମିଠା ଖୁଆଇ, ବାଜା ବଜାଇ, ବାଣ ଫୁଟାଇ, ନାଚଗୀତରେ କମ୍ପୁଥିଲା ବିଜେଡି ଶିବିର। ସେତେବେଳକୁ ୨୭ହଜାରରୁ ଅଧିକ ଭୋଟରେ ଆଗେଇଥିଲେ ବର୍ଷା। ସମୟ ଓ ରାଉଣ୍ଡକୁ ତାଳ ଦେଇ ଯେମିତି ବର୍ଷାଙ୍କ ଜିତିବା ବ୍ୟବଧାନ ବଢ଼ୁଥିଲା। ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ମାଡ଼ି ଚାଲିଥିଲେ ବର୍ଷା। ବର୍ଷା ତାଙ୍କର ବିଜୟର ଶ୍ରେୟ ପଦ୍ମପୁରବାସୀ ଓ ନବୀନଙ୍କୁ ଦେଇଛନ୍ତି। ନବୀନଙ୍କ ବିକାଶ ଫର୍ମୁଲା ଓ ସୁଶାସନ ପଦ୍ମପୁରବାସୀଙ୍କ ମନ ଜିଣିଛି ଆଉ ସେଥିଲାଗି ବୃହତ୍ ବିଜୟ ଦେଲେ ବୋଲି କହିଛନ୍ତି ନେତାଏ।
ସେପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଜନମତକୁ ସମ୍ମାନ ଦେଇଛନ୍ତି। ବିଜେଡି କଳବଳ କୌଶଳେ ଫନ୍ଦି କରି ଭୋଟ ହାତେଇବାକୁ ଚେଷ୍ଟା କରିଥିଲା। ଇଭିଏମରେ ହେରଫେର୍ କରାଯାଇଛି। ଆଉ ବିଜେପି ନେତା ଭାବେ ଦୁଃଖ କରିବେ ନା ବୋହୂ ଜିତିଲେ ବୋଲି ଖୁସି ହେବେ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ରମାରଞ୍ଜନ ବଳିୟାର ସିଂ। କିନ୍ତୁ ବର୍ଷାଙ୍କ ପ୍ରତି ଦଳୀୟ ନେତାଙ୍କ ଆକ୍ଷେପକୁ ସହଜେ ଗ୍ରହଣ କରିପାରିନାହାନ୍ତି ରମା। ଆଉ ଗଣତି ଆଗରୁ ହାତ ଟେକିଦେଇଥିବା କଂଗ୍ରେସର ଅବସ୍ଥା ଏଥର ବି ପୁରା ଶୋଚନୀୟ। ସତ୍ୟଭୂଷଣ ସାହୁ ଦକ୍ଷ ପ୍ରାର୍ଥୀ ସତ୍ତ୍ୱେ ଭୋଟର କିଣାବିକା ହୋଇଗଲେ ବୋଲି କହିଛନ୍ତି ସୁର। ଜିତିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲୁ। କିନ୍ତୁ କଂଗ୍ରେସ ମୂଳରୁ ଅମାନତ ହିଁ ହରାଇଦେଲା।
ପଦ୍ମପୁରରେ ବିଜେଡି ବଜାୟ ରଖିଲା ଆସନ। ତା ସାଙ୍ଗକୁ ବୃହତ ବ୍ୟବଧାନରେ ବି ଜିତିଲା। ଧାମନଗର ପରାଜୟର ପ୍ରତିଶୋଧ ନେବା ସହ ନବୀନଙ୍କ ଯାଦୁ ପୁଣି କାମ ଦେଲା।
ବରଗଡ଼ରୁ ଧୃବ କର୍ମୀଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ