ଧର୍ମେନ୍ଦ୍ର ଓ ଅର୍ଚ୍ଚନା ଘଟଣା: ପୁଲିସ କାର୍ଯ୍ୟଦକ୍ଷତା ଉପରେ ବିଜେପିର କଟାକ୍ଷ

Spread the love

ଭୁବନେଶ୍ବର: ସମୀର ଦାସଙ୍କ ଯୌନ କେଳେଙ୍କାରି କିମ୍ବା ଅର୍ଚ୍ଚନା ଘଟଣାକୁ ନେଇ  ବିଜୁ ଜନତା ଦଳକୁ ଘେରିଛି ବିଜେପି। ବିଜେଡି  ନେତାମାନେ ଯୌନ କେଳେଙ୍କାରୀ ମାଧ୍ୟମରେ ଅପରାଧ ଓ ଅପରାଧୀଙ୍କୁ ସୃଷ୍ଟି କରୁଛନ୍ତି ବୋଲି ସଂଗୀନ ଅଭିଯୋଗ ଆଣୁଛି ବିଜେପି। ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରିଛି ଦଳ।

ବିଜେପି କହିଛି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ଅଡ଼ିଓରେ ସମୀର ଦାସ, ବିନ୍ଦାସ ଚିନୁ ଓ ମୁନା ମହାପାତ୍ରଙ୍କ ନାଁ ନେଇଥିଲେ । ସ୍ପଷ୍ଟ ଭାବେ ଧର୍ମେନ୍ଦ୍ର କହିଥିଲେ ମୃଦୁ ପାନୀୟରେ ଡ୍ରଗ୍ସ ଦେଇ ତାଙ୍କ ସ୍ତ୍ରୀଙ୍କୁ ସମୀର ଦାସ ଯୌନ ଶୋଷଣ କରିଥିଲେ । ଆଉ ଏହାର ଭିଡିଓ ଦେଖାଇବା ସହ ବ୍ଲାକମେଲ କରି ବିନ୍ଦାସ ଚିନୁ ଧର୍ମେନ୍ଦ୍ର ସାହୁଙ୍କ ଠୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ଫୋନ ପେ ମାଧ୍ୟମରେ ।

ସେହିପରି ସମୀର ଦାସ ବି  ଧର୍ମେନ୍ଦ୍ରଙ୍କ ଠୁ ଚେକ ମାଧ୍ୟମରେ ଲକ୍ଷାଧିକ ଟଙ୍କା ନେଇଛନ୍ତି । କିନ୍ତୁ ପୋଲିସ ସବୁ ପ୍ରମାଣ ଥିବା ସତେ କାହିଁକି ଏମାନଙ୍କୁ ତଦନ୍ତ ପରିସର ଭୁକ୍ତ କରୁ ନାହିଁ ବୋଲି ବିଜେପି ପ୍ରଶ୍ନ କରୁଛି। ଏଥିରୁ ସ୍ପଷ୍ଟ ହେଉଛି କି, ଓଡ଼ିଶା ପୋଲିସ ଏହି ଘଟଣା ରେ ସମୀର ଦାସଙ୍କୁ ଘଣ୍ଟ ଘୋଡାଇ ସୁରକ୍ଷା ଦେଉଛି । ଆଉ ସନ୍ଦେହ ହେଉଛି ଏମାନେ ସବୁ ତଥ୍ୟ ପ୍ରମାଣ ନଷ୍ଟ କରି ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

ସେପଟେ ଅର୍ଚ୍ଚନା ନାଗ କେଉଁ ମାନଙ୍କ ବଳରେ ଏତେ ବଳିୟାନ ହେଲେ? କେମିତି ତାଙ୍କର ସତ୍ୟବିହାର ଘରେ ମନି ଲାଣ୍ଡରିଂ ହେଉଥିଲା? ଏପରିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଏକ୍ସଟ କରି କି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ନେଇଥିଲେ । ଆଉ ତାଙ୍କୁ ୨00 ଟିକେଟ ବି ଦିଆଯାଇଥିଲା । ମାତ୍ର ପୋଲିସ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରୁନାହିଁ କେଉଁ ୧୨-୧୫ ମନ୍ତ୍ରୀ ଓ କେଉଁ ୪୦ ପର୍ଯ୍ୟନ୍ତ ବିଧାୟକ ଅର୍ଚ୍ଚନା ନାଗକୁ ସୃଷ୍ଟି କଲେ । ବିଜେପି ବାରମ୍ବାର ଦାବି କରୁଥିଲେ ବି ଏହି ଘଟଣାରେ କାହିଁକି ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରୁ ନାହାନ୍ତି?

ଅର୍ଚ୍ଚନା ମାମଲାରେ ମଧ୍ୟ ପୁଲିସ ଶାସକ ଦଳ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତରେ ଟାଳ ଟୁଳ ନୀତି ଅବଲମ୍ବନ କରୁଛି ଓ ପ୍ରମାଣ ନଷ୍ଟ କରିଛି ବୋଲି ଅଭିଯୋଗ କରିଛି ଦଳ। ଉଭୟ ଘଟଣାରେ ପୋଲିସର ଭୂମିକା ସନ୍ଦେହ ସୃଷ୍ଟି କରିଛି । ତେଣୁ ଆଗାମୀ ୭ ଦିନ ଧରି ସମସ୍ତ ୫୮ ଟି ସବ ଡିଭିଜନରେ ବିଜେପି ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।

Leave a Reply

Your email address will not be published. Required fields are marked *