ବାୟୋ ମାଇନିଂ ପ୍ଲାଣ୍ଟ ପାଇଁ ଲୋକଙ୍କ ସହଯୋଗ ଲୋଡିଲା ବିଏମସି

Spread the love

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରକୁ ମଇଳା ମୁକ୍ତ କରିବାକୁ ବିଏମସି ପକ୍ଷରୁ ନିଆଯାଉଛି ନୂଆ ପଦକ୍ଷେପ। ଖୁବଶୀଘ୍ର ଭୁବନେଶ୍ୱରର ପରିମଳ ସମସ୍ୟାର ସମାଧାନ ପାଇଁ ବାହାରିବ  ବାଟ। ଏଥିପାଇଁ ଦାରୁଠେଙ୍ଗଠାରେ ବାୟୋ ମାଇନିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପଞ୍ଚାୟତବାସୀଙ୍କ ସହଯୋଗ ଲୋଡିଛନ୍ତି ବିଏମସି କର୍ତ୍ତୃପକ୍ଷ।

ଦୀର୍ଘ ବର୍ଷ ପରେ ମଧ୍ୟ ବିଏମସିର ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ରାସ୍ତା ବାହାରି ପାରୁନାହିଁ। ଗତକାଲି ଅନୁଷ୍ଠିତ ସମନ୍ୱୟ ବୈଠକରେ ଏଥିନେଇ ନୂତନ ଆଶା ସଂଚାର ହୋଇଛି। ପରିମଳ ଜନିତ ପ୍ରଦୂଷଣ ସମସ୍ୟାକୁ ନେଇ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ବିରୋଧ ଜାରି ରହିଥିବା ବେଳେ ନିକଟରେ ଅଳିଆ ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି। ଫଳରେ ଗତ କିଛି ଦିନ ଧରି ଭୁବନେଶ୍ୱରରୁ ଅଳିଆ ଉଠି ନପାରି ସୈନିକ ସ୍କୁଲ ନିକଟ ଏମସିସି ଠାରେ କ୍ଷମତା ଠାରୁ ଅଧିକ ପରିମାଣର ଅଳିଆ ପାହାଡ଼ ପରି ଗଦା ହେଲାଣି।

ସେପଟେ ପରିମଳ ସମସ୍ୟାର ସମାଧାନ ପାଇଁ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ବିଏମସି ପକ୍ଷରୁ ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୩ କୋଟି ଟଙ୍କାର ଅନୁଦାନ ମିଳିଥିଲେ ହେଁ ପ୍ଲାଣ୍ଟ ପ୍ରତିଷ୍ଠାରେ ବିଳମ୍ବ ହେଉଛି। ସମସ୍ୟାର ସମାଧାନ ପାଇଁ ବିଏମସି କର୍ତ୍ତୃପକ୍ଷ ଓ ଦାରୁଠେଙ୍ଗ ପଞ୍ଚାୟତବାସୀ ମଧ୍ୟରେ ଆଲୋଚନା ହେଉଥିଲେ ହେଁ କୌଣସି ନିଷ୍କର୍ସ ବାହାରି ପାରୁନାହିଁ। ଜିଦରେ ଅଟଳ ଥିବା ଗ୍ରାମବାସୀଙ୍କୁ ବୁଝାଇବାକୁ ପଞ୍ଚାୟତକୁ ଯାଇଥିଲା ପୁରା ପ୍ରଶାସନ। ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମସି କମିଶନର, ଡିସିପି ଓ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଉପସ୍ଥିତିରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ବୈଠକ ହୋଇଯାଇଛି।

ଖୁବ ଶୀଘ୍ର ସମସ୍ୟାର ସମାଧାନ ପାଇଁ ବାଟ ଖୋଲିବ ବୋଲି ଆଶା ରଖିଛନ୍ତି ବିଏମସି କର୍ତ୍ତୃପକ୍ଷ। ଆନ୍ଦୋଳନକୁ ଓହ୍ଲାଇ ଥିବା ଗ୍ରାମବାସୀଙ୍କ ଦାବି ପୂରଣ ନେଇ ବିଏମସି କର୍ତ୍ତୃପକ୍ଷ ସବୁ ପଦକ୍ଷେପ ନେବାକୁ ରାଜି ହୋଇଥିବାରୁ ଗ୍ରାମବାସୀ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ରାଜି ହୋଇଥିବା ଜଣାପଡିଛି।

ସେପଟେ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସହିତ ପରିମଳ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ କିଛି ସମୟର ଆବଶ୍ୟକତା ଥିବା ଦର୍ଶାଇ ଗ୍ରାମବାସୀଙ୍କ ସହଯୋଗ କାମନା କରିଛନ୍ତି ବିଏମସି କର୍ତ୍ତୃପକ୍ଷ। ବର୍ତ୍ତମାନ ସୁଦ୍ଧା ୩୨ଟି ଏମସିସି ବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଅଧିକ କ୍ଷମତା ସମ୍ପନ୍ନ ଏମସିସି ସହ ସମସ୍ତ ଏମସିସି କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ୱରର ଅଳିଆ ଆବର୍ଜନାର ପରିଚାଳନା ଭୁବନେଶ୍ୱରରେ ହିଁ ହୋଇପାରିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *