ବୌଦ୍ଧ ଜିଲ୍ଲା ବନପାଲି ଗ୍ରାମବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଭାରତ ମାତା ମନ୍ଦିର

Spread the love

ବୌଦ୍ଧ : ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବରେ ମାନ୍ୟତା ଲାଭ କରିଥିବା ଭାରତରେ ଅନେକ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ନିର୍ମାଣ କରାଯାଇଛି । ଭାରତୀୟ ସମ୍ବିଧାନ ସବୁ ଧର୍ମର ଲୋକଙ୍କୁ ସମାନ ଅଧିକାର ଦେଇଥିବା ବେଳେ ଜନସାଧାରଣ ନିଜର ଧାର୍ମିକ ଭାବନା ଅନୁଯାୟୀ ଏହି ସବୁ ଅନୁଷ୍ଠାନରେ ପୂଜାର୍ଚ୍ଚନା ଓ ସାଧନା କରିଥାନ୍ତି । ଏସବୁ ମଧ୍ୟରେ ରାଷ୍ଟ୍ରଭକ୍ତିକୁ ନେଇ ପୂଜାର୍ଚ୍ଚନା ବିରଳ ପରମ୍ପରା ଅଟେ । ବୌଦ୍ଧ ଜିଲ୍ଲାର ଉପାନ୍ତ ଗ୍ରାମ ବନପାଲି ଏହିପରି ରାଷ୍ଟ୍ରଭକ୍ତିକୁ ନେଇ ଉଦବୁଦ୍ଧ । ଗ୍ରାମରେ ଗୋଟିଏ ମନ୍ଦିର ଏବଂ ସେଠାରେ କୌଣସି ଦେବାଦେବୀ ନୁହଁ, ପୂଜା ପାଆନ୍ତି ଖୋଦ ଭାରତ ମାତା । ହାତରେ ତ୍ରିରଙ୍ଗା ଧରି ମନ୍ଦିର ଭିତରେ ସିଂହାସନରେ ପୂଜା ପାଉଛନ୍ତି ଭାରତମାତା । ବୌଦ୍ଧ ସଦର ମହକୁମାରୁ ଖୋର୍ଦ୍ଧା – ବଲାଙ୍ଗୀର ଜାତୀୟ ରାଜପଥରେ ସୁବର୍ଣ୍ଣପୁର ଆଡକୁ ଯିବାବେଳ ୨୫ କିଲୋମିଟର ପରେ ବହିରା ହାଇସ୍କୁଲ ଛକଠାରୁ ବାମକୁ ୬ କିଲୋମିଟର ଗଲେ ପଡେ ବନପାଲି ଗ୍ରାମ ।

ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ବନପାଲି ଗ୍ରାମରେ ରୁହନ୍ତି ପ୍ରାୟ ଶହେ ପରିବାର । ସମସ୍ତେ ପ୍ରାୟ ତନ୍ତି ସଂପ୍ରଦାୟର ଏବଂ ଲୁଗା ବୁଣି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି ।

ବନପାଲିରେ ଗ୍ରାମଦେବତୀ ଭାବରେ ପୂଜା ପାଉଥିବା ଭାରତମାତାଙ୍କ ଅବସ୍ଥିତିକୁ ନେଇ ମନ୍ଦିରର ପୂଜକ କୁହନ୍ତି, ଦେଶ ସ୍ୱାଧୀନ ହେବା ପୂର୍ବରୁ ୧୯୪୨ ମସିହାରୁ ଏଠାରେ ଭାରତମାତା ପୂଜା ପାଇଆସୁଛନ୍ତି । ଗ୍ରାମର ତିନି ଜଣ ବ୍ୟକ୍ତି ଗୋପୀନାଥ ମେହେର, ଦମନ ମେମହେର ଓ ରଘୁନାଥ ମେହେର ସ୍ୱାଧୀନତା ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ସେମାନଙ୍କ ଦ୍ୱାରା ଗ୍ରାମରେ ଭାରତ ମାତାଙ୍କ ମୂର୍ତି ସ୍ଥାପନା କରାଯାଇଥିବା ଅନୁମାନ କରାଯାଏ । ପ୍ରଥମେ ଠାକୁରାଣୀଙ୍କ ମନ୍ଦିର ଗ୍ରାମ ଭିତରେ ଥିଲା । ସେଠାରୁ ଦୁଇଟି ସ୍ଥାନକୁ ସ୍ଥାନାନ୍ତର କରାଯିବା ପରେ ଗାଁ ମୁଣ୍ଡ ପୋଖରୀ ନିକଟରେ ନୂତନ ମନ୍ଦିର ନିର୍ମାଣ କରାଯାଇଛି । ଅନ୍ୟ ଦେବାଦେବୀ ମନ୍ଦିର ଭଳି ଭାରତ ମାତା ମନ୍ଦିରରେ ସବୁ ପର୍ବପର୍ବାଣୀରେ ପୂଜାର୍ଚ୍ଚନା କରାଯାଏ । ପାଖ ପଡ଼ୋଶୀ ଗ୍ରାମରୁ ଶ୍ରଦ୍ଧାଳୁମାନେ ମଧ୍ୟ ହାତରେ ଭୋଗଥାଳି ନେଇ ଦର୍ଶନ ପାଇଁ ଆସିଥାନ୍ତି । ମନ୍ଦିରରେ ପ୍ରତ୍ୟେକ ମଙ୍ଗଳବାର ଦିନ ଗ୍ରାମବାସୀମାନେ ସମବେତ ହୋଇ ପୂଜାର୍ଚ୍ଚନା ଓ ସଂକିର୍ତନ କରିଥାନ୍ତି । ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ମନ୍ଦିର ନିକଟରେ ଜାତୀୟ ପତାକା ଉତୋଳନ କରାଯିବା ସହିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ନିର୍ବାଚିତ ଲୋକ ପ୍ରତିନିଧି, ସମାଜସେବୀ ଓ ସରକାରୀ ଅଧିକାରୀମାନଙ୍କୁ ଏହି ସ୍ୱତନ୍ତ୍ର ଦିବସରେ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥାଏ । ଅନ୍ୟ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଧ୍ୱଜା ଚଢା ଯିବାର ପରମ୍ପରା ରହିଥିବା ବେଳେ ଏଠାରେ ଭାରତମାତାଙ୍କୁ ତ୍ରିରଙ୍ଗା ଚଢାଇବାର ପରମ୍ପରା ମଧ୍ୟ ରହିଛି । ବର୍ଷତମାମ ଯେକୌଣସି ଶ୍ରଦ୍ଧାଳୁ ଚାହିଁଲେ ମାତାଙ୍କ ପାଇଁ ନୂତନ ତ୍ରିରଙ୍ଗା ପତାକା ପ୍ରଦାନ କରିଥାନ୍ତି । ଗ୍ରାମର ଯୁବକମାନେ ଭାରତ ମାତା ଯୁବକ ସଂଘ ନାମରେ ଏକ ଅନୁଷ୍ଠାନ ଗଢିବା ସହିତ ଗ୍ରାମର ବିଭିନ୍ନ ପ୍ରକାର ଉନ୍ନତି କାର୍ଯ୍ୟରେ ସାମିଲ୍ ହୋଇଥାନ୍ତି । ଗ୍ରାମର ସବୁ ନିଷ୍ପତି ସଭାସମିତି ମନ୍ଦିର ପ୍ରାଙ୍ଗଣରେ ବସି ନିଆଯାଇଥାଏ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଏଠାରେ ଭାରତମାତାଙ୍କ ନିକଟରେ ପ୍ରଥମେ ନବାହ୍ନ ଲାଗି ହେବାପରେ ଗ୍ରାମବାସୀମାନେ ଖାଇଥାନ୍ତି । ଭାରତମାତାଙ୍କ ମନ୍ଦିର ପାଇଁ ଗ୍ରାମରେ ସର୍ବଦା ଶାନ୍ତ ବାତାବରଣ ରହିଥିବା ବୟସ୍କମାନେ ପ୍ରକାଶ କରିବା ସହିତ ନୂଆପିଢୀକୁ ମଧ୍ୟ ମା ଙ୍କ ପୂଜାର୍ଚ୍ଚନାରେ ହେଳା ନକରିବାକୁ ପରାମର୍ଶ ଦେଇଥାନ୍ତି । ବନପାଲି ଗ୍ରାମବାସୀଙ୍କ ସମସ୍ତ ଦୁଃଖ, ସୁଖ, ପର୍ବପର୍ବାଣୀର ଏକମାତ୍ର ମୁକସାକ୍ଷୀ ଭାବରେ ଦୀର୍ଘବର୍ଷ ହେଲା ପୂଜା ପାଇଆସୁଛନ୍ତି ଭାରତ ମାତା । ସତରେ ବନପାଲି ଗ୍ରାମବାସୀଙ୍କ ଅନନ୍ୟ ରାଷ୍ଟ୍ରଭକ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ନିଶ୍ଚିତ ।

ଦେଶ ସ୍ୱାଧୀନତା ପୂର୍ବରୁ ସ୍ଥାପିତ ଭାରତମାତା ମନ୍ଦିର ସମ୍ପ୍ରତି ଅନେକ ସମସ୍ୟା ମଧ୍ୟରେ ଗତି କରୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହା ଦେଶରେ ଅନ୍ୟତମ ବିରଳ ମନ୍ଦିର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ଦିରକୁ କୌଣସି ପ୍ରକାର ସରକାରୀ ପ୍ରୋତ୍ସାହନ ମିଳିପାରିନାହିଁ । କୌଳିକ ବୃତି ସହିତ ପୂଜକ ମା ଙ୍କ ପୂଜାର୍ଚ୍ଚନା ଦାୟିତ୍ୱ ବୁଝିଥାନ୍ତି । ବିଧାୟକ ପାଣ୍ଠି ଅନୁଦାନରେ ମାଙ୍କ ପାଇଁ ଖଣ୍ଡିଏ ପକ୍କାଘର ସିନା ନିର୍ମାଣ କରାଯାଇଛି ଅନ୍ୟ ମନ୍ଦିର ଭଳି ଚାକଚକ୍ୟ ଏଠାରେ ଦେଖାଯାଏନାହିଁ । ଅର୍ଥ ଅଭାବରୁ ମନ୍ଦିର ପାଇଁ ଉଚ୍ଚ ଗମ୍ବୁଜ ମଧ୍ୟ ନିର୍ମାଣ ହୋଇପାରିନାହିଁ । ମନ୍ଦିର ଚାରିପଟେ ଗୋଟିଏ ଏକର ସରକାରୀ ଜମି ରହିଛି । ଏହାର ଉନ୍ନତିକରଣ କରାଯାଇ ମନ୍ଦିର ବେଢା ସୃଷ୍ଟି ସହିତ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇପାରିଲେ ଦର୍ଶନାର୍ଥୀମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରାଯାଇପାରନ୍ତା ବୋଲି ଗ୍ରାମବାସୀମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *