କଙ୍ଗାରୁ କୋର୍ଟରେ ଦଣ୍ଡିତ ହୋଇ ୧୪ ମାସ ହେଲା ୩ ପରିବାରର ୩୦ ସଦସ୍ୟ କାଟୁଛନ୍ତି ବାସନ୍ଦ ଜୀବନ

Spread the love

ବୌଦ୍ଧ : ଗ୍ରାମର କଙ୍ଗାରୁ କୋର୍ଟ ଦ୍ୱାରା ଦଣ୍ଡିତ ହୋଇ ୧୪ ମାସ ହେଲା ୩ ପରିବାରର ୩୦ ସଦସ୍ୟ କାଟୁଛନ୍ତି ବାସନ୍ଦ ଜୀବନ । ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାମ୍ପୋଚ ପଞ୍ଚାୟତର ଫକୀରପୁର ଗ୍ରାମରେ । ଅନ୍ଧ ବିଶ୍ୱାସ ଓ କୁସଂସ୍କାରର ଅନ୍ଧ ଗଳିରୁ ଆଜି ବି ମୁକୁଳି ପାରିନାହିଁ ସଭ୍ୟ ମଣିଷ ସମାଜ । ଯାହାର କରୁଣ ପରିଣତି ଦେଖିବାକୁ ମିଳିଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାମ୍ପୋଚ ପଞ୍ଚାୟତର ଫକୀରପୁର ଗ୍ରାମରେ । ହୀନ ରାଜନୈତିକ ଷଡ଼ଯନ୍ତ୍ରର ଶୀକାର ହୋଇ ଖଟ ଦେବତାର ନ୍ୟାୟରେ ଗ୍ରାମରେ କଙ୍ଗାରୁ କୋର୍ଟ ଦ୍ୱାରା ଦଣ୍ଡିତ ହୋଇ ୧୪ ମାସ ହେଲା ବାସନ୍ଦ ଜୀବନ କାଟୁଛନ୍ତି ୩ ପରିବାରର ୩୦ ସଦସ୍ୟ । ପୁଲିସ ଓ ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା । ନ୍ୟାୟ ଆଶାରେ ବାର ଦୁଆର ବୁଲୁଛନ୍ତି ଅସହାୟ ପରିବାର । ବିଳମ୍ବରେ ହେଲେ ମଧ୍ୟ ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି । ଘଟଣାର ପୃଷ୍ଠଭୂମି ସୃଷ୍ଟି ହୋଇଥିଲା ଗତ ପଞ୍ଚାୟତ ନର୍ବାଚନ ପରେ । ନିର୍ବାଚନ ଫଳାଫଳ ପରେ କିଏ କାହାକୁ ସମର୍ଥନ ଜଣାଇଲା ତାହାକୁ ନେଇ କିଛି ଲୋକଙ୍କ ମଧ୍ୟରେ ହୋଇଥିଲା ମତଭେଦ । ଏହାକୁ ନେଇ ଘଟଣାର ସୃଷ୍ଟି ହୋଇଥିବା ଆଲୋଚନା ହୁଏ । ସୂଚନା ମୁତବାକ, ଫକୀରପୁର ଗ୍ରାମର ସୁକାନ୍ତ ଭୋକ୍ତାଙ୍କ ଘରୁ ଦୁଇଟି ସୁନାହାର ଚୋରୀ ହୋଇଯାଇଥିବା ସେ ଅଭିଯୋଗ କରିଥିଲେ । ଏହାକୁ ନେଇ କିଛି ଲୋକଙ୍କୁ ସେ ସନ୍ଦେହ କରୁଥିବା ପ୍ରକାଶ କରିଥିଲେ । ସୁକାନ୍ତଙ୍କ ଅଭିଯୋଗ ପରେ ଗ୍ରାମ ସଭାପତି ଏକାଦଶୀ ମାଝି ଗ୍ରାମସଭା ଡକାଇ ମାମଲାର ସମାଧାନ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ, ସୁନାହାର ଚୋରୀ ମାମଲାର ସମାଧାନ ଗ୍ରାମସଭାରେ ହୋଇନପାରିବାରୁ ଖଟଦେବତା ଡକାଇ ସୁନାହାର ଖୋଜିବାକୁ କିଛି ଗ୍ରାମବାସୀ ମତବ୍ୟକ୍ତ କରିଥିଲେ । କିନ୍ତୁ ଗ୍ରାମ ସଭାପତି ମାଝି ପୁଲିସ ଓ ଆଇନର ଆଶ୍ରୟ ନେବାକୁ ମତ ଦେଇଥିଲେ । ହେଲେ ତାଙ୍କର ପରାମର୍ଶକୁ କୌଣସି ଗୁରୁତ୍ୱ ଦିଆଯାଇନଥିଲା । ଖଟଦେବତା ଡାକିବା ସପକ୍ଷରେ ଅଧିକ ଲୋକଙ୍କ ସମର୍ଥନ ରହିଥିବାରୁ ଗ୍ରାମ ସଭାପତି ମାଝି ଚୁପ ରହିବାକୁ ବାଧ୍ୟ ହୋଇଥିଲେ । ଶେଷରେ ଗ୍ରାମବାସୀଙ୍କ ନିଷ୍ପତିରେ ନୟାଗଡ ଜିଲା ମଧ୍ୟଖଣ୍ଡ ଅଞ୍ଚଳରୁ ଖଟଦେବତା(ଗୁଣିଆଁ) ଆସି ଗ୍ରାମରେ ପହଞ୍ଚିଥିଲେ । ନିଷ୍ପତି ହେଲା ଖଟ ଦେବତା ଯାହାକୁ ଧରିବେ ଚୋରୀ ସୁନା ସହ ଖଟଦେବତା (ଗୁଣିଆଁ) ଖର୍ଚ୍ଚ ଓ ଗ୍ରାମସଭା ଦ୍ୱାରା ଯାହା ଅର୍ଥଦଣ୍ଡ ମିଳିବ ତାଙ୍କୁ ଦେବାକୁ ପଡିବ । ଏ ସମ୍ପର୍କରେ ପୁଲିସ ନିକଟରେ ସୂଚନା ପହଞ୍ଚିଲେ ସମସ୍ୟା ହୋଇପାରେ, ତେଣୁ ଦିନ ବଦଳରେ ରାତ୍ରି ୮ଟା ସମୟରେ ଗ୍ରାମରେ ଖଟଦେବତା ବୁଲାଇ ସୁନା ଚୋର ଧରିବାକୁ ନିଷ୍ପତି ହୋଇଥିଲା । ଗୁଣିଆଁ କୁଆଡେ ଦୁଇଘଣ୍ଟା ମଧ୍ୟରେ ଚୋର ଧରିଦେବାକୁ କହିଥିଲେ । ଗ୍ରାମରେ ଖଟ ଦେବତା ବୁଲିଲା । ଗ୍ରାମର ଦୁଇଜଣ ବ୍ୟକ୍ତି ନାରାୟଣ ବାରିକ୍ ଓ ବିଜୟ ପ୍ରଧାନଙ୍କ ଦେହରେ ଖଟଦେବତା ବାଜିଲେ । କିନ୍ତୁ ସେମାନେ ସୁନା ଚୋରୀ କରିଥିବା କଥା ମାନିଲେନାହିଁ ଏବଂ ଖଟଦେବତା (ଗୁଣିଆଁ) ସହ ପାଟିତୁଣ୍ଡ ଆରମ୍ଭ କରିଦେଲେ । ପରିସ୍ଥିତି ଦେଖି ଗୁଣିଆଁ କହିଲା ତୁମେ ସୁନା ଚୋରୀ କରିନାହିଁ ତୁମ ଦେହରେ ଭୁଲରେ ଖଟ ବାଜିଗଲା, ତେଣୁ ତୁମେ ଗାଁର ପୋଖରୀ ଆଡେ ଚାଲିଯାଅ । ପରେ ସକାଳ ପାହିବା ପର୍ଯ୍ୟନ୍ତ ଖଟଦେବତା ଗ୍ରାମରେ ବୁଲିଥିଲା । କିନ୍ତୁ ଚୋର ଧରାପଡିନଥିଲା । ପରଦିନ ଥିଲା ସାବିତ୍ରୀ ଅମାବାସ୍ୟା, ତେଣୁ ଆଉ ଖଟଦେବତା ବୁଲାଯିବ କି ନାହିଁ ବୋଲି ଗୁଣିଆଁ ଗ୍ରାମସଭାପତିଙ୍କୁ ପଚାରିବାରେ ସେକଥା ଗ୍ରାମବାସୀ ଯାହା ନିଷ୍ପତି ନେବେ ବୋଲି ସେ କହିଥିଲେ । ତେବେ ଗ୍ରାମବାସୀ ଖଟଦେବତା ତ ଚୋର ଧରିସାରିଥିଲା, ତେଣୁ ଖଟ ବାଜିଥିବା ଦୁଇ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିଷ୍ପତି ଶୁଣାଇଥିଲେ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗରେ ଗ୍ରାମ ସଭାପତିଙ୍କ ପରିବାରକୁ ମଧ୍ୟ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କୁହାଯାଇଥିଲା । ଖଟଦେବତା ବାଜିଥିବା ଦୁଇ ପରିବାର ସେମାନେ ସୁନା ଚୋରୀ କରିନାହାନ୍ତି ବୋଲି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭୈରବୀ ଠାକୁରାଣୀଙ୍କ ନିକଟରେ ସେମାନେ ଏଥିପାଇଁ ନିୟମ କରିପାରିବେ ବୋଲି କହିଥିଲେ ମଧ୍ୟ ସେମାନଙ୍କ କଥାକୁ ଆଉ କେହି ଶୁଣିନଥିଲେ । ଚୋରୀ କରିନଥିଲେ ମଧ୍ୟ ଆମ ଦେହରେ କାହିଁକି ଖଟ ବଜାଇଲୁ କହି ଦୁଇ ପରିବାର ଲୋକ ଗୁଣିଆଁ ସହ ପାଟିତୁଣ୍ଡ କରିବାରୁ ଗ୍ରାମରେ ପରିସ୍ଥିତି ଦେଖି ଖଟଦେବତା(ଗୁଣିଆଁ) ନିଜ ଜୀବନ ବଞ୍ଚାଇବାକୁ ପୁରା ପାରିଶ୍ରମିକ ନପାଇଲେ ବି ସେଠାରୁ ଛୁ ମାରିଲେ । ଜୋରିମାନା ନଦେଲେ ଗ୍ରାମ ସଭାପତି ସମେତ ତିନି ପରିବାରକୁ ଗ୍ରାମରେ ନିଆଁ, ପାଣି, ରାସନ, ବାସନ୍ଦ କରାଗଲା । ଗ୍ରାମରେ ଅନ୍ୟମାନେ ତାଙ୍କ ସହ କଥାବାର୍ତା କଲେ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିଷ୍ପତି ଶୁଣାଇ ଦିଆଗଲା । ଗ୍ରାମବାସୀଙ୍କ ନିଷ୍ପତି ବିରୋଧରେ ତିନି ପରିବାର ଗ୍ରାମରେ ମିଳାମିଶା ପାଇଁ ପୋଲିସର ସହାୟତା ନେବାକୁ ପହଞ୍ଚିଥିଲେ । କିନ୍ତୁ, ରାଜନୈତିକ ଚାପରେ ହେଉକି ଅନ୍ୟ କୌଣସି କାରଣ ପୁଲିସ ସେମାନଙ୍କ ଅଭିଯୋଗ ଶୁଣିନଥିଲା କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ବିନା ଦୋଷରେ ତିନି ପରିବାରର ପ୍ରାୟ ୩୦ ସଦସ୍ୟ ଗ୍ରାମରେ ବାସନ୍ଦ ହୋଇ ରହିଗଲେ । ଜୋରିମାନା ଅର୍ଥ ପୈଠ ନହେବାରୁ କିଛିଦିନ ପରେ ଗ୍ରାମସଭାପତି ମାଝିଙ୍କ ଧାନ ଗଦାରେ ନିଆଁ ଲଗାଇ ଦିଆଗଲା । ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି । ଥାନାରୁ ନିରାଶ ହେବାପରେ ଗ୍ରାମରୁ ବାସନ୍ଦ ତିନି ପରିବାର ଜିଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ନ୍ୟାୟ ପାଇନଥିଲେ । ଶେଷରେ କିଛି ଲୋକଙ୍କ ପରାମର୍ଶରେ ରାଜ୍ୟ ମାନବା ଅଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରେ ମଧ୍ୟ ଏହି ମାମଲା ତଳ ସ୍ତରରେ ସମାଧାନ ହେବ, ଆମେ ଜଣାଇଦେଉଛୁ କହି ଫେରାଇ ଦିଆଯାଇଥିଲା । ଏହାରି ମଧ୍ୟରେ ୧୪ ମାସ ବିତିଯିବା ସହିତ ଦୁଇ ଜଣ ଜିଲାପାଳ ଓ ଏସପି ବଦଳି ହୋଇ ସାରିଲେଣି, କିନ୍ତୁ ବାସନ୍ଦ ୩ ପରିବାରର ୩୦ ସଦସ୍ୟଙ୍କୁ କୌଣସି ନ୍ୟାୟ ମିଳିପାରିନାହିଁ । ନୂତନ ଜିଲ୍ଲାପାଳ ଯୋଗଦେବା ପରେ ପୁଣିଥରେ ଗ୍ରାମସଭାପତି ମାଝି ପରିବାର ସହିତ ଗତକାଲି ଆସି ଗ୍ରାମରେ ମିଳାମିଶା କରାଇଦେବାକୁ ଦରଖାସ୍ତ ଦେଇଛନ୍ତି । ସଭ୍ୟ ସମାଜରେ ସାମାଜିକ ବାସନ୍ଦ ଭଳି କୁସଂସ୍କାର ଓ ଖଟ ଦେବତା ଭଳି ଅନ୍ଧବିଶ୍ୱାସ କିମ୍ବା ରାଜନୈତିକ ଷଡଯନ୍ତ୍ର ବିରୋଧରେ ଯାଇ ଲୋକଙ୍କୁ ସେବା ଯୋଗାଇଦେବାକୁ ସରକାର ଚଳାଉଥିବା ପୁଲିସ ଓ ପ୍ରଶାସନର ମୁଖ୍ୟମାନେ ସବୁ ଜାଣି ନିରବଦ୍ରଷ୍ଟା ରହିଲେ, କିଏ ଏହି ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *