ବେଆଇନ ଉଛେଦ ମହଙ୍ଗା ପଡ଼ିଲା- ରାଜ୍ୟ ସରକାରଙ୍କୁ ୧୦ଲକ୍ଷ ଟଙ୍କାର ତଣ୍ଡ- ତହସିଲଦାର ନିଜ ଦରମାରୁ ଦେବେ ୨ ଲକ୍ଷ

ବେଆଇନ ଭାବେ ଏକ କମ୍ୟୁନିଟି ସେଣ୍ଟରକୁ ଉଛେଦ ମହଙ୍ଗା ପଡ଼ିଲା। ଆଠଗଡ଼ ତହସିଲଦାରଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ହାଇକୋର୍ଟ। ଏହି ଅର୍ଥ ତହସିଲଦାରଙ୍କ ଦରମାରୁ ଭରଣା କରାଯିବ। ଏହା ସହ ରାଜ୍ୟ ସରକାରଙ୍କୁ ୮ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ଲାଗିଛି। କ୍ଷତିପୂରଣ ବାବଦରେ ମୋଟ୍ ୧୦ଲକ୍ଷ ଟଙ୍କା ତଣ୍ଡ ଗଣିବେ ସରକାର। ରାଜ୍ୟ ସରକାରଙ୍କ ଅର୍ଥରେ ଗୋଚର ଜମିରେ ପୁନଃନିର୍ମାଣ ହୋଇଥିବା ଯୁବ ଗୋଷ୍ଠୀ କେନ୍ଦ୍ରକୁ ଯେଭଳି ଭଙ୍ଗାଗଲା, ତାହା ବେଆଇନ ଥିଲା ବୋଲି ଅଦାଲତ ରାୟରେ କହିଛନ୍ତି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏଭଳି ନିର୍ଦେଶ ଦେଇଛନ୍ତି। ତହସିଲଦାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଅଦାଲତ। ଜଣେ ଅଧିକାରୀଙ୍କ ପାଖରେ ଯେତିକି ସର୍ବନିମ୍ନ ଦାୟିତ୍ୱବୋଧ ରହିବା କଥା, ତହସିଲଦାରଙ୍କ ପାଖରେ ତାହା ଦେଖିବାକୁ ମିଳିଲାନି ବୋଲି ଭର୍ତ୍ସନା କରିଛନ୍ତି ବିଚାରପତି। ଯେତେବେଳେ ଉଛେଦ ଉପରେ କୋର୍ଟଙ୍କ ରହିତାଦେଶ ଥିଲା, ସେତେବେଳେ ତହସିଲଦାର ଆଇନ ଅନୁସାରେ ଯିବାର ଥିଲା। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ତହସିଲଦାର ଏଭଳି ବେଆଇନ ଉଛେଦ କଲେ। କଟକ ଜିଲ୍ଲା ଆଠଗଡ଼ରେ ଗୋଚର ଜମିରେ କମ୍ୟୁନିଟି ସେଣ୍ଟରରୁ ୧୯୭୨ ଓଡ଼ିଶା ପ୍ରିଭେନସନ ଅଫ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟରେ ଭାଙ୍ଗିଦେଇଥିଲା ପ୍ରଶାସନ। ଏହି ସେଣ୍ଟରଟି ୧୯୮୫ରୁ ତିଆରି ହୋଇଥିଲା। ୨୦୧୬ରୁ ୨୦୧୮ ଭିତରେ ଏହାର ପୁନଃନିର୍ମାଣ ହୋଇଥିଲା.। ଆମ ଗାଁ ଆମ ବିକାଶ ସ୍କିମ ଅର୍ଥ ସାଙ୍ଗକୁ ବିଧାୟକ ପାଣ୍ଠି ଏଥିରେ ଲାଗିଥିଲା। ଯେତେବେଳେ ଏହି ନିର୍ମାଣକୁ ପ୍ରଶାସନ କେବେ ବି ପ୍ରତିବାଦ କରିନଥିଲା। କିନ୍ତୁ ଜୁଲାଇ ୨୦୨୪ରେ ଓପିଏଲଇ ଆକ୍ଟରେ ଅଚାନକ ପ୍ରୋସିଡିଂ ଆରମ୍ଭ କରିଥିଲା। ଏହି ଉଛେଦ ନୋଟିସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା। ଯାହା ଆଗ ଖାରଜ ହୋଇଥିଲା। କାରଣ ନିରନ୍ତର ଦଖଲ ଓ ରିଜୋଲୁସନର କୌଣସି ପ୍ରମାଣ ନଥିଲା। ଏହା ପରେ ଆବେଦନକାରୀ ଉପଜିଲ୍ଲାପାଳଙ୍କ ପାଖରେ ଆବେଦନ କରିଥିଲେ। ଅପିଲ୍ ପେଣ୍ଡିଂ ଥିବାରୁ କୌଣସି ଉଛେଦ ନ କରିବାକୁ ନଭେମ୍ୱର ମାସରେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହେଲେ ଡିସେମ୍ୱରରେ ନୂଆ ଉଛେଦ ନୋଟିସ ଇସ୍ୟୁ ହୋଇଥିଲା। ଯେତେବେଳେ ଏଭଳି ନୋଟିସକୁ ହାଇକୋର୍ଟରେ ଚ୍ଯାଲେଞ୍ଜ କରାଗଲା, ଡିସେମ୍ୱର ୧୩ରେ ନିଜର ରାୟକୁ ଦୋହରାଇଥିଲେ ହାଇକୋର୍ଟ। ଆଉ ସେଇ ଦିନ ହିଁ ଉପଜିଲ୍ଲାପାଳ ନିଜର ରାୟକୁ ସଂରକ୍ଷିତ ରଖିଥିଲେ। ଏହା ସହ ଡିମୋଲିସନ ନୋଟିସକୁ ଆଟାଚ୍ କରିଦେଇଥିଲେ। ଆଉ ତା ପରଦିନ ସକାଳୁୁ ଉଛେଦ ହୋଇଥିଲା। ଆବେଦନକାରୀ କହିଥିଲେ, ଉଛେଦ ନୋଟିସକୁ ଚ୍ୟାଲେଞ୍ଜ ସହ ପରିସର ଖାଲି କରିବାକୁ ପ୍ରଶାସନ ବିଲକୁଲ ମହଲତ ଦେଇନଥିଲା। ଏହାକୁ ନେଇ ଆବେଦନକାରୀ ଅଦାଲତ ଅବମାନନା ମାମଲା ଫାଇଲ୍ କରିଥିଲେ। ଜୁନ୍ ୨୦ରେ ଅଦାଲତ ରାୟ ଦେଇଛନ୍ତି ଯେ, କେବଳ ଆଇନଗତ ପ୍ରକ୍ରିୟାର ଅନୁପାଳନ ହୋଇନି। ବରଂ ତା ସହ ସାମ୍ୱିଧାନିକ ପ୍ରକ୍ରିୟାକୁ ବି ଅସମ୍ନାନ କରାଯାଇଛି। କାରଣ ନଭେମ୍ୱରରେ କୋର୍ଟ କହିଥିଲେ, ଉଛେଦ ପୂର୍ବରୁ ସମସ୍ତ ପ୍ରକ୍ରିୟା ଅନୁପାଳନ କରିବା ଉଚିତ୍। କିନ୍ତୁ ଉପଜିଲ୍ଲାପାଳଙ୍କ କୋର୍ଟରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପୂର୍ବରୁ କମ୍ୟୁନିଟି ସେଣ୍ଟରକୁ ଭାଙ୍ଗିଦିଆଗଲା। ଯେତେବେଳେ ଶୁଣାଣୀ ସରି ରାୟକୁ ସଂରକ୍ଷିତ ରଖାଯାଇଥିଲା। ସେତେବେଳେ କେଉଁ ଆଧାରରେ ତହସିଲଦାର ଏହାକୁ ଭାଙ୍ଗିଲେ ବୋଲି ପଚାରିଛନ୍ତି ହାଇକୋର୍ଟ। ତହସିଲଦାରଙ୍କ ଏହି ଆକ୍ସନ ଉଦେଶ୍ୟମୂଳକ ବୋଲି ନିଜ ରାୟରେ କହିଛନ୍ତି କୋର୍ଟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *