ଚମାଖଣ୍ଡି ଥାନା ହାଜତ ମୃତ୍ୟୁ ମାମଲା, ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ମାଗିଲେ ଏନଏଚଆରସି

Spread the love

The dead man’s body. Focus on hand

ଗଞ୍ଜାମ – ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ଘଟିଥିବା ହାଜତ ମୃତ୍ୟୁ ମାମଲାର ଆବଶ୍ୟକୀୟ ତଦନ୍ତ ରିପୋର୍ଟ ଏନଏଚଆରସିଙ୍କ ନିକଟରେ ଦାଖଲ କରାଯାଇନାହିଁ । ଏଥିପାଇଁ ଜାତୀୟ ମାନବାଧିକାର କମିଶନ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ଚେତାଇ ଦେଇଛନ୍ତି । ମୃତକଙ୍କ ଭିସେରା ରିପୋର୍ଟ, ମୃତ୍ୟୁର ପ୍ରକୃତ କାରଣ ରିପୋର୍ଟ ଏବଂ ବିଚାର ବିଭାଗୀୟ ତଦନ୍ତର ରିପୋର୍ଟ ଦାଖଲ କରିବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୪ ସପ୍ତାହ ମହଲତ ଦିଆଯାଇଛି । ସେହିପରି ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି) ତରଫରୁ ମଧ୍ୟ ଏନେଇ କୌଣସି ରିପୋର୍ଟ ଦିଆଯାଇନାହିଁ । ଏଣୁ ଓଏଚଆରସିକୁ ମଧ୍ୟ ଚିଠି କରିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) । ଆସନ୍ତା ଜୁନ୍ ୧୦ ତାରିଖ ସୁଦ୍ଧା ଘଟଣାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୨ ଅକ୍ଟୋବର ୧ ତାରିଖରେ ଚମାଖଣ୍ଡି ଥାନାରେ ଅଟକ ଥିବା ସି.ଏଚ. ତ୍ରିଲୋଚନ ରେଡ୍ଡି (୩୨) ପାଇଖାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆଣିଥିଲା । କିନ୍ତୁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାଜିଷ୍ଟେଟଙ୍କ ଉପସ୍ଥିତିରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା । ଗଞ୍ଜାମ ଜିଲ୍ଲାରେ ବାରମ୍ବାର ହାଜତ ମୃତ୍ୟୁ ଘଟଣା ନଜରକୁ ଆସୁଛି । ଲୋକଙ୍କ ମାନବାଧିକାର ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରି ବ୍ରହ୍ମପୁର ସହରର ସାମାଜିକ କର୍ମୀ ରବିନ୍ଦ୍ର କୁମାର ମିଶ୍ର ଏନଏଚଆରସିଙ୍କ ନିକଟରେ ଏକ ଆବେଦନ ଦାୟର୍ କରିଥିଲେ । ଏନଏଚଆରସି ଆବେଦନକୁ ଗ୍ରହଣ କରି ଏହି ମାମଲାର ବିଭିନ୍ନ ଦିଗ ଉପରେ ଓଏଚଆରସିଙ୍କୁ ତଥ୍ୟ ମାଗିଛନ୍ତି । ଏନଏଚଆରସିଙ୍କ ନିକଟରେ ଘଟଣାର ପୂର୍ଣ୍ଣାଙ୍ଗ ରିପୋର୍ଟ, ଏତଲାର କପି, ଶବ ବ୍ୟବଚ୍ଛେଦ ରିପୋର୍ଟ ଭଳି ବିଭିନ୍ନ ତଥ୍ୟ ଦାଖଲ କରାଯାଇଛି । ଆଉ କିଛି ରିପୋର୍ଟ ବର୍ତମାନ ସୁଦ୍ଧା ଦାଖଲ ହୋଇନାହିଁ । ଏଣୁ ଏନଏଚଆରସି ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି କରିଛନ୍ତି ।

Leave a Reply

Your email address will not be published. Required fields are marked *