ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହିତ ଏହାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯିବ । ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯାଇ ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ । ମିଶନ ଶକ୍ତିର ମହିଳା ଓ କଲେଜରୁ ପାସ୍ କରିଥିବା ଶିକ୍ଷିତ ଯୁବକ ଯୁବତୀମାନେ ସହଭାଗିତାରେ ଏହା କରାଯିବ । ପ୍ରାକୃତିକ ଉପାୟରେ କମ୍ ଖର୍ଚ୍ଚରେ ଉନ୍ନତ ପରିବେଶ ସୃଷ୍ଟି କରାଯିବ ।

ଲୋକସେବା ଭବନର କନ୍ଭେନ୍ସନ୍ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମିଶନ ଶକ୍ତି ମା’ମାନଙ୍କର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ମା’ମାନେ ହେଉଛନ୍ତି ଟିମ ୱାର୍କର ମଡେଲ । ଗାଁ ସହର ସବୁଆଡେ ଭଲ କାମ କରୁଛନ୍ତି । ସେମାନଙ୍କ ସଫଳତା ପାଇଁ ‘ମୁଁ ଗର୍ବିତ’ । ମୁକ୍ତା ଯୋଜନାରେ, ଜଳସାଥୀ ଭାବରେ ମିଶନ ଶକ୍ତିର ମା’ମାନେ ଭଲ କାମ କରୁଛନ୍ତି । ଆମ ପୋଖରୀ କାର୍ଯ୍ୟକ୍ରମକୁ ମଧ୍ୟ ଭଲ ଭାବରେ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ । ଆମ ପୋଖରୀ ଗୁଡିକ ସହରାଞ୍ଚଳ ଜୀବନର ଏକ ମୌଳିକ ଅଂଶ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ସହିତ ସ୍ୱାସ୍ଥ୍ୟ ଓ ଅର୍ଥନୀତି ସହିତ ମଧ୍ୟ ସମ୍ପର୍କ ରହିଛି ।

ଅବକ୍ଷୟପ୍ରାପ୍ତ ଜଳାଶୟଗୁଡିକର ପୁନରୁଦ୍ଧାର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାର ରୂପାନ୍ତର ଦ୍ୱାରା ସହରାଂଚଳ ଜନଜୀବନରେ ଗୁଣାତ୍ମକ ଉନ୍ନତି ଆସିପାରିବ ବୋଲି ସେ କହିଥିଲେ । ଆମ ପୋଖରୀ କାର୍ଯ୍ୟକ୍ରମର ପାଇଲଟ୍ ପ୍ରୋଜେକ୍ଟର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମହାନଗର ନିଗମର ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଯଥା ଜାଗା ମିଶନ, ଡ୍ରିଙ୍କ୍ ଫ୍ରମ ଟ୍ୟାପ୍, ମୁକ୍ତା ପରି ଯୋଜନାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରଶଂସା ମଧ୍ୟ କରିଥିଲେ । ଏବେ ଆମ ପୋଖରୀ ଯୋଜନାର ସଫଳ ରୂପାୟନ ବିଭାଗର ଆଉ ଏକ ସଫଳତା ବେଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ମିଶନ ଶକ୍ତିର ମହିଳାମାନେ ଏବେ ଆମର ଜଳାଶୟଗୁଡିକର ମଧ୍ୟ ରକ୍ଷକ ହୋଇ ତା’ର ଦେଖା ଶୁଣା କରିବେ । ସହର, ଗାଁ ସବୁ କ୍ଷେତ୍ରର ବିକାଶରେ ମହିଳାମାନଙ୍କ ଭୂମିକା ଦିନକୁ ଦିନ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ବୋଲି ସେ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆମ ପୋଖରୀ କାର୍ଯ୍ୟକ୍ରମର ମୁଖ୍ୟ ଉପଦେଷ୍ଟା ଆନନ୍ଦ ମଲ୍ଲିଗଭଡ୍ ଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଆମ ପୋଖରୀ ପାଇଲଟ୍ ପ୍ରୋଜେକ୍ଟର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମହାନଗର ନିଗମର ଟିମ୍ ଗୁଡିକୁ ମଧ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇଥିଲେ ଓ ସ୍ୱତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *