ଚିତ୍ରୋତ୍ପଳା ନଦୀ ଦକ୍ଷିଣ ପାର୍ଶ୍ୱ ବନ୍ଧ ରାସ୍ତା ଉନ୍ନତିକରଣ ସର୍ଭେ ଆରମ୍ଭ

Spread the love

ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ୍‌ଯ ଉନ୍ନୟନ ବିଭାଗ ଅଧିନରେ ଥିବା ଚିତ୍ରୋତ୍ପଳା ନଦୀ ଦକ୍ଷିଣ ପାର୍ଶ୍ୱ ବନ୍ଧ ଜନାର୍ଦ୍ଦନପୁର ଠାରୁ ମହମ୍ମଦପୁର ପର୍ଯ୍ୟନ୍ତ ରାସ୍ତାକୁ ଉନ୍ନତିକରଣ କରାଯିବା ପାଇଁ ସର୍ଭେ ଆରମ୍ଭ ହୋଇଛି । କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଉଦ୍ୟମ କ୍ରମେ ପ୍ରଥମେ ଏହି ରାସ୍ତାକୁ ଗ୍ରାମ୍‌ଯ ଉନ୍ନୟନ ବିଭାଗରୁ ସାଲେପୁର ପୂର୍ତବିଭାଗକୁ ହସ୍ତାନ୍ତର କରାଯାଇଛି । ପୂର୍ବରୁ ୨୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ୧୨ ଫୁଟ ଓସାରର ପିଚୁ ରାସ୍ତା ଥିଲା । ଏବେ ଏହାକୁ ଉନ୍ନତିକରଣ କରାଯାଇ ରାସ୍ତାର ଓସାର ୨୬ ଫୁଟ୍ ହେବା ସହିତ ସେଥିରେ ୧୮ଫୁଟ୍ ଓସାରର ପିଚୁ କରାଯିବ ବୋଲି ଅନୁଦାନ ଯୋଗାଇ ଦିଆଯାଇଛି । ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସାଲେପୁର ପୂର୍ତ ବିଭାଗ ନିର୍ବାହୀ ସହକାରୀ ଯନ୍ତ୍ରୀ ଅଜୟ କୁମାର ବଳଙ୍କ ନେତୃତ୍ୱରେ ଏକ ଯନ୍ତ୍ରୀ ଦଳ ଏହି ରାସ୍ତାକୁ ସର୍ଭେ କରିଛନ୍ତି । ଉକ୍ତ ରାସ୍ତାକୁ ଓସାରିଆ କରିବା ପାଇଁ ଯଦି ଆବଶ୍ୟକ ସ୍ଥଳେ ବେସରକାରୀ ଜାଗା ଦରକାର ପଡେ ତାହାହେଲେ ସରକାରୀ ନୀତି ନିୟମାନୁଯାୟୀ ତାହାକୁ ଅଧିଗ୍ରହଣ କରାଯିବ ବୋଲି ଜଣାଯାଇଛି ।

ଏହି ସର୍ଭେ ହେଉଥିବା ବେଳେ ବାବୁଜଙ୍ଗ ସରପଂଚ ସ୍ୱାଧୀନ ଭୂୟାଁ, ମହମ୍ମଦପୁର ସରପଂଚ ସରୋଜ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ, ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ମନୋଜ ମହାନ୍ତି, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ ପ୍ରମୁଖ ଉପସ୍ଥିତ ହୋଇ ରାସ୍ତାର ଉନ୍ନତିକରଣ କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ କରାଯିବ ସେ ନେଇ ଆଲୋଚନା କରିଛନ୍ତି । ଉକ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟ କରାଯିବା ପରେ ଦୀପାଚଂଳର ଅଧିକ ବିକାଶ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *