କଂଗ୍ରେସ ପାଇଁ ମାନସ ମନ୍ଥନର ବେଳ

Spread the love

() ସଜାଡ଼ି ହେଉଛି କଂଗ୍ରେସ ଘର । ଏଥର ମାନସ ମଂଥନର ବେଳ । ୨୪ ପାଇଁ ସମୟ କମ୍ । ତେଣୁ ୯ରୁ ୯୦ର ମିଶନ ପାଇଁ ସଜବାଜ ଆରମ୍ଭ କରିଛନ୍ତି କଂଗ୍ରେସ ନେତା । ଏପରିକି ପିସିସି କମିଟି ଗଠନ ପୂର୍ବରୁ ବରିଷ୍ଠ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଭେଟିଛନ୍ତି ବିଜୟ ପଟ୍ଟନାୟକ l ଆଗାମୀ ରଣନୀତି ପ୍ରସ୍ତୁତି ପୂର୍ବରୁ ଚିରଞ୍ଜୀବଙ୍କ ବାସଭବନରେ ବିଜୟ ପହଞ୍ଚିବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ମିଶନ ୯ରୁ ୯୦ l  ଅଣ୍ଟା ଭିଡ଼ୁଛି କଂଗ୍ରେସ l ସେଥିପାଇଁ ଆଜି ବରିଷ୍ଠ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ବିଜୟ  ପଟ୍ଟନାୟକ l ଦୀର୍ଘ ସମୟ ଧରି କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ ବିଜୟ। ଯେହେତୁ ଦୀର୍ଘ ଦିନ ହେବ କଂଗ୍ରେସ ଠାରୁ ଦୁରେଇ ରହିଛନ୍ତି ଚିରଞ୍ଜୀବ। ତେଣୁ ଦଳ ଛାଡ଼ିବା ଚର୍ଚ୍ଚା ମଝିରେ ମଝିରେ ଜୋର ଧରେ । ଏଭଳି ସମୟରେ ବିଜୟଙ୍କୁ ଚିରଞ୍ଜୀବଙ୍କ ମତିଗତି ବୁଝିବା ଦାୟିତ୍ୱ ଦିଆଯାଇଛି କି ?  ସେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଲୋଚନା ପରେ ପ୍ରତିକ୍ରିୟା ରଖି ଚିରଞ୍ଜୀବ କହିଛନ୍ତି ଯେ ଦଳ ପରିବର୍ତ୍ତନ କଥା ଦୀର୍ଘଦିନରୁ ଚାଲିଛି, କିନ୍ତୁ ମୁଁ କଂଗ୍ରେସ ରେ ଅଛି। କଂଗ୍ରେସ ଭବନ ରେ ବସିଲେ ଭୋଟ ହେବନି, ତେଣୁ ଏରିଆରେ ଅଛି। ସଂଗଠନ ତୃଣମୂଳସ୍ତର ରୁ ସୁଦୃଢ କରିବା ଦରକାର। ସେହିପରି ଆଗକୁ କେମିତି ହେବ ଲଢେଇ ସେ ନେଇ ଚିରଞ୍ଜୀବଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ବିଜୟ ପଟ୍ଟନାୟକ।

ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ବିଜେପି ପ୍ରମୁଖ ବିରୋଧି ଦଳର ଭୂମିକା ତୁଲାଉଛି। ଏକ୍ଷେତ୍ରରେ କଂଗ୍ରେସ ପଛୁଆ ରହିଛି। ଏଥିପାଇଁ ଅଧିକ ପରିଶ୍ରମ ଆବଶ୍ୟକ l ଯେହେତୁ ବର୍ତ୍ତମାନ କେନ୍ଦ୍ର ବିଜେପି ସରକାର ବିରୋଧରେ ଜନ ଅସନ୍ତୋଷ ଅଛି ତେଣୁ ଏହାର ସୁଯୋଗ କଂଗ୍ରେସ ଉଠାଇବା ଆବଶ୍ୟକ । ସେଥିପାଇଁ ବରିଷ୍ଠଙ୍କ ମଧ୍ୟରେ ଏ ଭେଟଘାଟ କଂଗ୍ରେସ ପାଇଁ ଶୁଭ ସଂକେତ l ତା ଛଡ଼ା ଚିରଞ୍ଜୀବଙ୍କ ମାନଭଞ୍ଜନ କରି ତାଙ୍କୁ କଂଗ୍ରେସ ମୁଖୀ କରି ରଖିବା ଭଲ ପଦକ୍ଷେପ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ l

ପ୍ରଦେଶ କଂଗ୍ରେସ ରେ ବଢୁଛି ଆଭ୍ୟନ୍ତରଣ ମତଭେଦ ଓ ବିଦ୍ରୋହ । ସେପଟେ ଅସନ୍ତୁଷ୍ଟଙ୍କୁ ମନେଇ ଦଳ ସହ ଯୋଡ଼ି ରଖିବାରେ ଲାଗିଛନ୍ତି ସଦ୍ୟ କଂଗ୍ରେସର ଯୋଡ଼ି ହୋଇଥିବା ବିଜୟ ପଟ୍ଟନାୟକ l କିଛିଦିନ ତଳେ ପୃଥ୍ୱୀବଲ୍ଲବ ଓ ଆଜି ଚିରଞ୍ଜୀବଙ୍କ ଘରେ ଦେଖିବାକୁ ମିଳିଥିଲା ବିଜୟଙ୍କୁ l ଅସନ୍ତୁଷ୍ଟ ଙ୍କ ସଂଖ୍ୟା କଂଗ୍ରେସରେ ବଢୁଥିବା ବେଳେ ଅନେକ ଦଳ ଛାଡ଼ି ଅନ୍ୟ ଦଳକୁ ଯିବା ପାଇଁ ଅନେଇ ବସିଛନ୍ତି । ଯଦି ଏହି ଧାରା ଲାଗି ରୁହେ ତେବେ 9 ରୁ 90 କେବଳ ରାଜ୍ୟ କଂଗ୍ରେସର ସ୍ଲୋଗାନ ହୋଇ ରହିବ ।

ସ୍ୱରୂପା ଓ ଜ୍ୟୋତି ମଞ୍ଜରୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *