କଂଗ୍ରେସ ଶୂନ୍ୟ ଗୃହ- ୨୭ରେ ଘେରାଓ ବେଳେ ଉପୁଜିବ କି ଅସମ୍ଭାଳ ସ୍ଥିତି?

ଗୃହରେ ବିଶୃଙ୍ଖଳିତ ଆଚରଣରୁ ଗୃହରୁ ସମସ୍ତ କଂଗ୍ରେସ ବିଧାୟକଙ୍କ ସସପେଣ୍ଡକୁ ନେଇ ଅସମ୍ଭାଳ ପରିସ୍ଥିତି ଉପୁଜିଛି। ଓଡ଼ିଶା ବିଧାନସଭା ଇତିହାସରେ ବିରଳ ଘଟଣା। ରାତି ତମାମ ବିଧାନସଭା ଭିତରେ ନିଲମ୍ୱିତ ବିଧାୟକଙ୍କ ରହିବା, ମାର୍ଶାଲ ଏମାନଙ୍କୁ ବଳପୂର୍ବକ ଟାଣି ବାହାର କରିବାକୁ ନେଇ ମାଷ୍ଟରକ୍ୟାଣ୍ଟିନରେ ପିସିସି ପ୍ରଭାରୀ ଓ ସଭାପତିଙ୍କ ଉପସ୍ଥିତିରେ ଧାରଣା ଆଦି ଅନେକ ଘଟଣା ଘଟିଗଲା। ନାରୀ ସୁରକ୍ଷା ଓ ନ୍ୟାୟ ପାଇଁ ବିଧାନସଭା ଗୃହ କମିଟି ଗଠନ ଦାବିରେ ଅଟଳ ରହିଛି କଂଗ୍ରେସ। ସରକାର ନୀରବଦ୍ରଷ୍ଟା ସାଜି ବିରୋଧୀଙ୍କ ସ୍ୱର ଚାପିବାକୁ ହୀନ ଉଦ୍ୟମ ଚଳିବନି ବୋଲି ଚେତାଇ ଦେଇଛନ୍ତି ପ୍ରଭାରୀ ଓ ସଭାପତି। ନିଲମ୍ୱିତ କଂଗ୍ରେସ ବିଧାୟକ ବିଧାନସଭା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ପୁଲିସ ଛାଡ଼ିନଥିଲା। ନିଲମ୍ୱିତ ବିଧାୟକ ଲବି କି ଗୃହ ଭିତରକୁ ସିନା ଯାଇପାରିବେନି। କିନ୍ତୁ ବିଧାନସଭା ପରିସରକୁ କେଉଁ ଆଇନ ବଳରେ ଛଡ଼ାଯାଉନି କହି ଯୁକ୍ତିତର୍କରୁ ଧସ୍ତାଧସ୍ତି ଯାଏ କଥା ଘଟିଥିଲା। ରିଜର୍ଭ ବାରାକରେ ୧୨ ବିଧାୟକଙ୍କୁ ନେଇ ଅଟକ ରଖିଥିଲା ପୁଲିସ। ତେବେ ବାହିନୀପତି ଓ ରମେଶ ଜେନାଙ୍କୁ ବି ସମାନ ନିଲମ୍ୱନ ଦଣ୍ଡରେ ଦଣ୍ଡିତ କରିଛନ୍ତି ବାଚସ୍ପତି। ଗୃହ ଭିତରକୁ ପ୍ରବେଶ ମାତ୍ରେ ଦୁଇ ବିଧାୟକ ଘଣ୍ଟ ବାଡ଼େଇ ପ୍ରତିବାଦ କରିବାରୁ ନିଲମ୍ୱିତ କରିଛନ୍ତି ବାଚସ୍ପତି। ନିଲମ୍ୱନ ପରେ ବାହିନୀପତି କହିଛନ୍ତି, ଏଭଳି ଦଣ୍ଡ ଦେଇ କଂଗ୍ରେସକୁ ଚାପିପାରିବେନି ସରକାର। ଗଣତନ୍ତ୍ରକୁ ହତ୍ୟା କରିଛି ବିଜେପି। ବିଳମ୍ୱିତ ରାତିରେ ପୁଲିସ ଫୋର୍ସ ପଠାଇ ମାଡ଼ ମାରିଲେ। ସୁନା ଚେନ୍ ଛିଣ୍ଡାଇନେଲେ। ରମେଶ କହିଛନ୍ତି, ଗୃହରେ ଆଲୋଚନାକୁ ଚାହୁଁନାହାନ୍ତି ସରକାର। ନାରୀ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କଲେ ସରକାର ଅସହ୍ୟ ହୋଇପଡ଼ୁଛନ୍ତି। ନାନା ଆଳ ନେଇ ନିଲମ୍ୱିତ କରି ବିରୋଧୀ ଶୂନ୍ୟ କରିବାକୁ ଚାହୁଁଛନ୍ତି। ଗୃହ ଭିତରେ ସିନା ନୁହେଁ, କିନ୍ତୁ ରାଜରାସ୍ତାରେ ଲଢ଼େଇ ହେବ। ଶୂନ୍ୟକାଳରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ୱନର ପ୍ରତିବାଦ କରିଥିଲା ବିଜେଡି। ଏଭଳି ଦଣ୍ଡ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।  ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ବି ପ୍ରସ୍ତାବ ରଖିଥିଲେ, ସବୁ ଦଳ ବିଧାୟକଙ୍କୁ ଡାକି ଆଲୋଚନା ହେଉ। ନିଲମ୍ୱନ ଦଣ୍ଡ ଏହାର ସମାଧାନ ଲାଗି ଏକମାତ୍ର ବିକଳ୍ପ ନୁହେଁ। ଆଉ ଶାସକ ଦଳ କହିଛି, ଗୃହର ମର୍ଯ୍ୟାଦା, ବାଚସ୍ପତି ଆସନକୁ ଅପମାନ ଓ ଅଶୋଭନୀୟ ଆଚରଣ କେବେ ଗ୍ରହଣୀୟ ନୁହେଁ। ଏଭଳି ନିଷ୍ପତ୍ତି ନ ନେଇଥିଲେ ଗୃହରେ ଶୃଙ୍ଖଳା ଫେରିବନି କି ଆଲୋଚନା ହୋଇପାରିବନି। ବାଚସ୍ପତିଙ୍କ ରୁଲିଂ ପରେ ନିଲମ୍ୱନ ପରେ ଗୃହରୁ ସଦସ୍ୟ ବାହାରିଯିବାର ଥିଲା। ଯଦି କାହାର ସୁନା ଚେନ୍ କିଏ ନେଇଛି, ଫୁଟେଜ୍ ଚେକ୍ କରାଯାଉ। ପଲିଟିକାଲ ମାଇଲେଜ୍ ନେବାକୁ ତୁଛା ଡ୍ରାମା। ୨୭ରେ ବିଧାନସଭା ଘେରାଓ କରିବ କଂଗ୍ରେସ। ନିଲମ୍ୱନ ଦଣ୍ଡ ପରେ ଗୃହ ଏବେ ପୁରା କଂଗ୍ରେସ ଶୂନ୍ୟ। ନାରୀ ସୁରକ୍ଷା, ସମ୍ମାନ ଲାଗି ସରକାରଙ୍କ ଉପରେ ଅଭିନବ ଢଙ୍ଗରେ ଚାପ ପକାଇଆସୁଥିବା କଂଗ୍ରେସ ୨୭ରୁ ରାଜରାସ୍ତାରେ ଲଢ଼ିବାକୁ ପଣ କରିଥିବା ଦଳ କେତେଦୂର ନିଜ ଦମ୍ଭ ଦେଖାଉଛି, ତାହା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *