ଭୁବନେଶ୍ୱରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଅଧୀନରେ ପ୍ରତିନିଧିସ୍ତରୀୟ ଆଲୋଚନା ଆରମ୍ଭ

ଭୁବନେଶ୍ୱର : ଜି ୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକର ପ୍ରତିନିଧିସ୍ତରୀୟ ଆଲୋଚନା ଗତକାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଡୋନର ମନ୍ତ୍ରୀ ଶ୍ରୀ ଜି.କିଷନ ରେଡ୍ଡୀ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଉଦଘାଟନୀ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଶ୍ରୀ ଜି. କିଷନ ରେଡ୍ଡୀ କହିଥିଲେ ଯେ, ବିଶ୍ୱ ନୀତି ନିର୍ଦ୍ଧାରଣରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କାରଣ ଏହା ବର୍ତ୍ତମାନର ସମସ୍ୟା ପାଇଁ ଅଧିକ ସମାବେଶୀ ଓ ଦୀର୍ଘସ୍ଥାୟୀ ସମାଧାନ ଯୋଗାଇ ଦେଇଥାଏ । ସେ ଆହୁରି କହିଥିଲେ ଯେ, ଏହି ପରିପ୍ରେକ୍ଷୀରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବିଭିନ୍ନ ସଦସ୍ୟମାନଙ୍କ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହନ ଦେବା ଏବଂ ଆଲୋଚନାକୁ ପ୍ରସାରିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆମେ ସାଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହନ ଦେବା, ସହଭାଗୀ ଅଧ୍ୟୟନକୁ ଆଗେଇ ନେବା ଏବଂ ସଦସ୍ୟମାନଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଲାଗି ସଂକଳ୍ପବଦ୍ଧ ରହିଛୁ । ଏଥିସହିତ ପ୍ରତ୍ୟେକ ରାଷ୍ଟ୍ରର ଅଭିନବ ସାଂସ୍କୃତିକ ପରିଦୃଶ୍ୟ ଏବଂ ଐତିହ୍ୟକୁ ଯଥୋଚିତ ମାନ୍ୟତା ଦେଉଛୁ ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ଏକ ସହଭାଗୀ ସଂକଳ୍ପ ନେଇ, ଆମେ ଅଧିକ ସମାନତାପୂର୍ଣ୍ଣ ଏବଂ ସାଂସ୍କୃତିକ ଦୃଷ୍ଟିରୁ ସଚେତନ ବିଶ୍ୱ ନୀତି ପରିଦୃଶ୍ୟ ସୃଷ୍ଟି ପରିବା ଲାଗି ଲକ୍ଷ୍ୟ ରଖିଛୁ ଯାହା ସାଂସ୍କୃତିକ ବିବିଧତାକୁ ଯଥେଷ୍ଟ ମୂଲ୍ୟ ପ୍ରଦାନ କରୁଥିବ । ସାମାଜିକ ସଂଲଗ୍ନତାକୁ ପ୍ରୋତ୍ସାହନ ଦେବା, ଆନ୍ତଃସଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ଆପୋସ ବୁଝାମଣା ବିକଶିତ କରିବା କ୍ଷେତ୍ରରେ ସଂସ୍କୃତିର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଶ୍ରୀ ରେଡ୍ଡୀ ଆହୁରି କହିଥିଲେ ଯେ ପ୍ରାଚୀନ ଭାରତୀୟ ଦର୍ଶନ “ବସୁଧୈବ କୁଟୁମ୍ବକମ” (ବିଶ୍ୱ ଏକ ପରିବାର)ର ବିଚାର ଖୁବ ସୁନ୍ଦର ଭାବେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେଇଥାଏ । ସଂସ୍କୃତି, ଧର୍ମ, ଭାଷା ଏବଂ ଜାତିଗତ ଭିନ୍ନତା ସତ୍ତ୍ୱେ ଆମେ ସମସ୍ତେ ଗୋଟିଏ ବିଶ୍ୱ ପରିବାରର ଅଂଶବିଶେଷ ବୋଲି ଏହି ଦର୍ଶନରୁ ଶିକ୍ଷା ମିଳିଥାଏ ।

ସାଂସ୍କୃତିକ ବିନିମୟ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ବିକାଶ ପାଇଁ ଜନସମୁଦାୟକୁ ସହାୟଜା ଜରିଆରେ ଏହା ଦୀର୍ଘସ୍ଥାୟୀ ବିକାଶ ଦିଗରେ ଯୋଗଦାନ ଦେଇପାରିବ । ସେ ଆହୁରି କହିଥିଲେ ଯେ ଆମର ପୂର୍ବସୂରୀମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ମୂଳଦୁଆକୁ ଆହୁରି ସୁଦୃଢ଼ କରିବା ଏବଂ ଜି୨୦ ଏଜେଣ୍ଡାରେ ସଂସ୍କୃତିକୁ ଏକ ପ୍ରମୁଖ କ୍ଷେତ୍ର ଭାବେ ଗ୍ରହଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ରେଡ୍ଡୀ କହିଥିଲେ ।

ଶ୍ରୀ କିଷନ ରେଡ୍ଡୀ କହିଥିଲେ ଯେ, ସ୍ଥାନୀୟ ପରମ୍ପରା ଏବଂ ଜ୍ଞାନ ଆମକୁ ପରିବେଶର ଯତ୍ନ ନେବା ତଥା ବୁଦ୍ଧିମତା ପୂର୍ବକ ସମ୍ବଳର ଉପଯୋଗ କରିବା ନିମନ୍ତେ ଶିକ୍ଷା ଦେଇଥାଏ । ଅନେକ ବର୍ଷ ଧରି ପ୍ରକୃତି ସହିତ ନିବିଡ଼ ଭାବେ ଜୀବନ ନିର୍ବାହ କରୁଥିବା ଲୋକମାନେ ପରିବେଶ ସହିତ କିଭଳି ସନ୍ତୁଳନ ରକ୍ଷା କରି ଜୀବନ ନିର୍ବାହ କରି ହେବ ତାହା ଜାଣନ୍ତି । ସେମାନଙ୍କ ଜ୍ଞାନ ଓ ପଦ୍ଧତିକୁ ଆଧୁନିକ ଦୀର୍ଘସ୍ଥାୟୀ ବିକାଶ ରଣନୀତି ସହ କାର୍ଯ୍ୟକାରୀ କରାଗଲେ ଆମେ ଅଧିକ ସହନଶୀଳ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣ କରିପାରିବା ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ପ୍ରୋ-ପ୍ଲାନେଟ୍ ସୋସାଇଟୀ ବା ପୃଥିବୀ ଅନୁକୂଳ ସମାଜ ଗଠନ କରିବା ଦିଗରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ ଜୋର ଦେଇ କହିଥିଲେ । ସେ କହିଥିଲେ ଯେ, ବିଶ୍ୱ ନୀତି ନିର୍ମାଣରେ ସଂସ୍କୃତିକୁ କେନ୍ଦ୍ର ଭାଗରେ ରଖିବା ଲାଗି ଜି୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ଉଲ୍ଲେଖନୀୟ ଭାବେ ବର୍ତ୍ତମାନର ପ୍ରୟାସକୁ ଆଗେଇ ନେବାରେ ସହାୟକ ହେବ । ଏହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଦ୍ୱାରା, ଆମେ ଅଧିକ ସମାବେଶୀ, ସମାନତାପୂର୍ଣ୍ଣ ଏବଂ ପରିବେଶ ଅନୁକୂଳ ବିଶ୍ୱ ସମୁଦାୟ ଗଠନ କରିପାରିବା ବୋଲି ସେ କହିଥିଲେ ।

ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, ଭାରତର ଜି୨୦ ଅଧ୍ୟକ୍ଷତା ଏବଂ “ଅମୃତ କାଳ” ସମାନ ସମୟରେ ଆରମ୍ଭ ହୋଇଛି । ସ୍ୱାଧୀନତାର ୧୦୦ ବର୍ଷ ପୂରଣ ସୁଦ୍ଧା ଭାରତ ଏକ ଭବିଷ୍ୟଉନ୍ମୁଖି, ସମୃଦ୍ଧ, ସମାବେଶୀ ଓ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଅଗ୍ରସର ହେଉଛି ।

ପ୍ରଥମ ବିଶ୍ୱ କିମ୍ବା ତୃତୀୟ ବିଶ୍ୱ ପରିବର୍ତ୍ତେ ଏକ ଗୋଟିଏ ବିଶ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ବିଷୟରେ ଉଲ୍ଲେଖ କରି ଶ୍ରୀ ରାୟ କହିଥିଲେ ଯେ, ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସାରା ବିଶ୍ୱର ମିଳିତ ପ୍ରୟାସ ପାଇଁ ଭାରତ ପରିକଳ୍ପନା କରିଛି । ଏହି ବୈଠକ କେବଳ ଏକ କୂଟନୈତିକ ବୈଠକ ନୁହେଁ, ବରଂ ଭାରତ ପାଇଁ ଏକ ନୂଆ ଦାୟିତ୍ୱ । ଭାରତ ଏପରି ଏକ ଦେଶ ଯାହାକି ସାରା ବିଶ୍ୱରେ ଜାଣିବା ଏବଂ ବୁଝିବା ଲାଗି ଏକ ଅଭୂତପୂର୍ବ ଜିଜ୍ଞାସା ଉତ୍ପନ୍ନ କରିଛି ବୋଲି କହିଥିଲେ ।

ଭାରତର ବିବିଧତାରେ ଏକତା ଏବଂ ସହଯୋଗୀ ସାମର୍ଥ୍ୟ ଉପରେ ଜୋର ଦେଇ ଶ୍ରୀ ରାୟ କହିଥିଲେ ଯେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ସଦସ୍ୟ ଭାବେ ଭାରତ ନିକଟରେ ସଂସ୍କୃତିର ପରିବର୍ତ୍ତନକାରୀ ଶକ୍ତିର ଉପଯୋଗ କରିବାର ଅଭିନବ ସୁଯୋଗ ଏବଂ ଉତ୍ତରଦାୟିତ୍ୱ ।

ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ସଂସ୍କୃତି ମନ୍ତ୍ରଣାଳୟ ସଚିବ ଶ୍ରୀ ଗୋବିନ୍ଦ ମୋହନ ଜି-୨୦ ବିଷୟବସ୍ତୁକୁ ବିଶ୍ୱ ସ୍ତରରେ ସମସ୍ତଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଏବଂ ନ୍ୟାୟସଂଗତ ବିକାଶର ଏକ ଶକ୍ତିଶାଳୀ ବାର୍ତ୍ତା ବୋଲି କହିଥିଲେ ।

ଆଜିର ତିନୋଟି ଅଧିବେଶନରେ ଆଲୋକପାତ କରାଯାଇଥିବା ଦୁଇଟି ପ୍ରାଥମିକତା କ୍ଷେତ୍ରରେ ଜି-୨୦ ସଦସ୍ୟ, ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଆଲୋଚନା କରିଥିଲେ ।

ଗସ୍ତ କାଳରେ ବିଦେଶୀ ଅତିଥିମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ସେମାନଙ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଉଦୟଗିରି ଗୁମ୍ଫା ବୁଲିବାର ସୁଯୋଗ ଦିଆଯିବ । ପ୍ରତିନିଧିମାନଙ୍କ ପାଇଁ ମଧ୍ୟ ଓଡ଼ିଶାର ଜନଜାତି ଲୋକନୃତ୍ୟ ଶିଙ୍ଗାରୀ, ସମ୍ବଲପୁରୀ, ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ ।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଏକ ଅଂଶବିଶେଷ ଭାବେ “ସଷ୍ଟେନ:ଦ କ୍ରାଫ୍ଟ ଇଡିଅମ” ଶୀର୍ଷକ ଏକ ପ୍ରଦର୍ଶନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ପରିସରରେ ଆୟୋଜନ କରାଯିବ । ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ପ୍ରାଥମିକତା “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବାର୍ତ୍ତାକୁ ନେଇ ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀ ୧୬ରୁ ୨୨ ମେ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ।

ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଗଭୀର ଆଲୋଚନାର ଏକ ସମାବେଶୀ ପ୍ରକ୍ରିୟା ଜରିଆରେ ଜି୨୦ ସଦସ୍ୟ, ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନଙ୍କ ସହିତ ମିଶି କାର୍ଯ୍ୟ କରୁଛି । ଏହି ଆଲୋଚନାରେ ଦୀର୍ଘସ୍ଥାୟୀ ବିକାଶ ପାଇଁ ଦୃଢ଼ ସୁପାରିସ ବିକଶିତ କରିବା ଏବଂ ଶ୍ରେଷ୍ଠ ପଦ୍ଧତିକୁ ଆଗେଇ ନେବା ନିମନ୍ତେ ସହଭାଗୀ କାର୍ଯ୍ୟାନୁଷ୍ଠାନ ଲାଗି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *