ଡ. ଦିନନାଥ ପାଠୀ ରାଜ୍ୟର ଚିତ୍ରଶିଳ୍ପ କ୍ଷେତ୍ରରେ ଉଜ୍ଜ୍ୱଳ ଜ୍ୟୋତିଷ୍କ

Spread the love

ଭୁବନେଶ୍ୱର – ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ କେନ୍ଦ୍ର ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ତଥା ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିନନାଥ ପାଠୀଙ୍କ ୮୧ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ପ୍ରତ୍ୟୁଷରେ ପାଳିତ ହୋଇଛି । ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ଡ. ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ରାମହରି ଜେନା, ପ୍ରବୀର ମହାନ୍ତି, ରାଜକୁମାର ସୁବୁଦ୍ଧି, ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ମଲ୍ଲିକ, ମୀନକେତନ ପାଢ଼ୀ, ଗିରିଜା ଶଙ୍କର ମହାପାତ୍ର, ପ୍ରଦୀପ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଆଭାସୀ ମାଧ୍ୟମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱର୍ଗତ ଡ. ପାଠୀଙ୍କ ସ୍ମୃତିଚାରଣ କରିଥିଲେ । ଶ୍ରୀ ରାଉତରାଏ ନିଜ ବକ୍ତବ୍ୟରେ ବିଭୂତି କାନୁନ୍‌ଗୋ ଚାରୁକଳା ମହାବିଦ୍ୟାଳୟ ସହିତ ରାଜ୍ୟର ସମସ୍ତ ଚାରୁକଳା ମହାବିଦ୍ୟାଳୟର ଶିକ୍ଷା ଭିତିଭୂମି ଉନ୍ନୟନ କରିବା ସହିତ ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଭବିଷ୍ୟତରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ପାଇଁ ଅଧ୍ୟାପକ ମଣ୍ଡଳୀ ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାର୍ଥୀମାନେ ଡ. ପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମର୍ପିତ ଭାବରେ ଶିକ୍ଷାଲାଭ କରି ନିଜକୁ ଭବିଷ୍ୟତରେ ଜଣେ ସଫଳ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ଭାବରେ ପରିଣତ କରି ରାଜ୍ୟର ମର୍ଯ୍ୟାଦା ବୃଦ୍ଧି ପାଇଁ ଉଦ୍ୟମ କରିବେ ବୋଲି ସେ ଆହ୍ୱାନ ଜଣାଇଥିଲେ ।

କଲେଜ ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ସ୍ୱାଗତ ଜଣାଇଥିବାବେଳେ ଚୌଧୁରୀ ଆଶିଷ ଶରଣ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲ, ଡ. ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଜୟନ୍ତ କୁମାର ଦାସ, ରାମହରି ଜେନା, ସୁବ୍ରତ ମଲ୍ଲିକ ପ୍ରମୁଖଙ୍କୁ ଡ. ଦିନନାଥ ପାଠୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଚନ୍ଦ୍ରଶେଖର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *