ଶହୀଦ ବାଜି ରାଉତଙ୍କ ଉପରେ ନାଟକ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ କରିବ – ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ଓଡ଼ିଆ ଶିଶୁ ନାଟକ ‘ବିପ୍ଳବୀ ବାଜିଆ’ ଦେଖିବା ସହ ଶହୀଦ ବାଜି ରାଉତଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ ପ୍ରଧାନ କହିଛନ୍ତି ଯେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ବେଳେ ଭାରତର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ କାହାଣୀକୁ ନାଟକର ରୂପ ଦେବା ପ୍ରଶଂସନୀୟ । ନାଟକରେ ଅଭିନୟ କରିଥିବା ରସୁଲଗଡ ବ୍ରହ୍ମେଶ୍ୱର କଲୋନୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ କଳାକାର ମାନଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର । ଏହି ନାଟକ ଦ୍ୱାରା ପିଲା ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହେବ । ଏହି ନାଟକକୁ ସବୁ ସ୍କୁଲ, ଜିଲ୍ଲା ସ୍ତରରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ଆମର ସଂସ୍କୃତି ଓ ସଭ୍ୟତାର ନିରନ୍ତରତା ବଜାୟ ନ ରହିଲେ ସମାଜର ଉତ୍ଥାନ ହୋଇ ପାରିବ ନାହିଁ । ଆମ ସମାଜକୁ ବୀର ସଂଗ୍ରାମୀ ବାଜି ରାଉତ, ସାହସୀ ଧର୍ମପଦଙ୍କ ପରି ଛୋଟ ଛୋଟ ପିଲାମାନେ ଓଡ଼ିଶାକୁ ସର୍ବଦା ମାର୍ଗଦର୍ଶନ ଦେଇ ଆସିଛନ୍ତି । ଆଜି ଶିଶୁ ନାଟକକୁ ପୁନର୍ଜୀବିତ କରିବା ଦିଗରେ ଏଭଳି ଆୟୋଜନ ବେଶ୍ ପ୍ରଶଂସନୀୟ । ଓଡ଼ିଶାର ଛୋଟ ପିଲା ମାନଙ୍କ ମଧ୍ୟରେ ବହୁତ ପ୍ରତିଭା ଅଛି । ଜାତୀୟ ଶିକ୍ଷା ନୀତିରେ ଶିଶୁ ମାନଙ୍କୁ ସଙ୍ଗୀତ, କାହାଣୀ, ଖେଳନା ଏବଂ ନାଟକ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ଆମ ଓଡ଼ିଆ ଜାତି, ସଂସ୍କୃତି ଓ ଐତିହ୍ୟକୁ ନୂଆପିଢି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ।

ଏଥିପାଇଁ ଶ୍ରୀ ପ୍ରଧାନ ପିଙ୍କଉଡ୍ ଏବଂ ପିସ ଫାଉଣ୍ଡେସନକୁ ଧନ୍ୟବାଦ ଦେବା ସହ ନାଟକର ପରିକଳ୍ପନା କରିଥିବା ପିଙ୍କି ପ୍ରଧାନ, ସହଯୋଗୀ ସମ୍ବିତ ତ୍ରିପାଠୀ, ନାଟକ ରଚନା କରିଥିବା ଲେଖକ ଡ଼. ସୁଧାଂଶୁ ନାୟକ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ମନୋଜ ପଟ୍ଟନାୟକ, ନିର୍ଦ୍ଦେଶକ ଶିବଶଙ୍କର ତ୍ରିପାଠୀ ଓ ତତସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *