ଗଞ୍ଜାମ: ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ହତବାକ୍ କଲାପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏକ ବିରଳ ଅସ୍ତ୍ରୋପଚାର ପରେ ଏପରି ଆଶ୍ଚର୍ଯ୍ୟ ଚକିତ କଲାପରି ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ଅଢେଇ ଘଣ୍ଟାର ଅପେରସନ ପରେ ରୋଗୀଙ୍କ ପେଟରୁ ବାହାରିଛି ଗୋଟିଏ ଷ୍ଟିଲ ଗ୍ଲାସ।
ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ବାଲିପଦର ଅଞ୍ଚଳର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଅପରେସନ ପରେ ପେଟରୁ ଗ୍ଲାସ ବାହାରିଛି। କିଛି ଦୁର୍ବୃତ୍ତ ମଦ୍ୟପାନ କରି ମଳଦ୍ବାର ଭିତରେ ଗ୍ଲାସଟି ପୁରାଇ ଦେଇଥିଲେ । ଲାଜରେ ସେ କାହାରିକୁ କିଛି କହିନଥିଲେ। ହେଲେ ମଳଦ୍ବାର ବନ୍ଦ ହୋଇଯାଇଥିଲା।
ଦିନକୁ ଦିନ ପେଟ ଫୁଲିବାକୁ ଲାଗିଥିଲା। ପେଟ ଯନ୍ତ୍ରଣା ହେବାରୁ ଶେଷରେ ବାଧ୍ୟ ହୋଇ ସେ ସୁରତ ଛାଡି ନିଜ ଗାଁକୁ ଚାଲି ଆସିଥିଲେ। ପରେ ଏମକେସିଜିକୁ ଆସି ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର ଅପରେସନ ପାଇଁ ପରାମର୍ଶ ଦେଇଥିଲେ।
ଶେଷରେ ଶଲ୍ୟ ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡା ଚରଣ ପଣ୍ଡାଙ୍କ ନିର୍ଦେଶ କ୍ରମେ ସହକାରୀ ପ୍ରଫେସର ଓ ଟିମ ଦୀର୍ଘ ଦୁଇ ଘଣ୍ଟା ଧରି ଅସ୍ତ୍ରାପଚାର କରି ପେଟରୁ ଗ୍ଲାସ ବାହାର କରିବାରେ ସଫଳ ହୋଇଛନ୍ତି। ଏମକେସିଜି ମେଡିକାଲରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ ଅପରେସନ ହୋଇଥିବା ବ୍ୟକ୍ତି ଜଣଙ୍କ ସୁସ୍ଥ ଥିବା କହିଛନ୍ତି ଡାକ୍ତର ।
ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now