ନବୀନଙ୍କ ସାର ଚିଠି- ଚାଷୀଙ୍କ ଦୁର୍ଦଶାର ରାଜନୀତି

ସାର ପାଉନାହାନ୍ତି ଚାଷୀ। ସାର ଅଭାବରୁ ଚାଷ କାମ ବାଧାପ୍ରାପ୍ତ ହୋଇଛି। ଚାଷୀ ହନ୍ତସନ୍ତ ହେଲେଣି। ସାରା ରାଜ୍ୟରେ କଳାବଜାରୀ, ଅପମିଶ୍ରଣ ସାଙ୍ଗକୁ ବଜାରରେ ୟୁରିଆ ମିଳୁନି। ବିଶେଷକରି ଆଦିବାସୀ ବହୁଳ ଜିଲ୍ଲାରେ ଏ ସମସ୍ୟା ଉତ୍କଟ। ଚାଷୀଙ୍କୁ ତୁରନ୍ତ ସାର ଯୋଗାଇବାକୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ୭.୯୪ ଲକ୍ଷ ଟନ ସାର ମହଜୁଦ୍ ଥିବା ଦାବି କରୁଛନ୍ତି ରାଜ୍ୟ ସରକାର। ତା ହେଲେ ଚାଷୀ ପାଉନି କେମିତି। ୟୁରିଆ ସାର ସରକାରୀ ଦରରୁ ଚଢ଼ା ଦରରେ କାହିଁକି ବିକ୍ରି ହେଉଛି। ମାର୍କଫେଡ୍ ଚାଷୀଙ୍କ ବଦଳରେ ଘରୋଇ ଡିଲରଙ୍କୁ ରିହାତିରେ ସାର ବିକୁଛି। ସେଥିଲାରି ଖରିଫ ଋତୁରେ ଚାଷ କାମ ଛାଡ଼ି ସାର ଲାଗି ରାଜରାସ୍ତାକୁ ଓହ୍ଲାଇଲେଣି ଚାଷୀ। ସପ୍ଲାଏ-ଚେନ୍ କୁପରିଚାଳନା, ସାର ଅଭାବ ଓ ଦୁର୍ନୀତିରୁ ଚାଷୀ ଦୁର୍ଦଶା ଭୋଗୁଛି ବୋଲି କହିଛନ୍ତି ନବୀନ। ଏହା ସହ ସତର୍କ କରାଇଦେଇଛନ୍ତି ଯେ, ସମୟୋଚିତ ପଦକ୍ଷେପ ନ ନେଲେ ଚାଷୀଙ୍କ ଜୀବିକା ବେଶ୍ ପ୍ରଭାବିତ ହେବ। ୫ ଦିନ ତଳେ କୃଷିମନ୍ତ୍ରୀ କେଭି ସିଂଦେଓ କହିଥିଲେ, ନକଲି ସାର ବିକ୍ରେତାଙ୍କୁ ନିସ୍ତାର ନାହିଁ। ସାର ଅଭାବକୁ ନେଇ କେଭି ସିଂଦେଓ କହିଥିଲେ, ଚାଇନାରୁ ୟୁରିଆ ଓ ଫସଫେଟ୍ ଆମଦାନୀ ବନ୍ଦ ଥିଲା। ସେ କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ବି ଚିଠି ଲେଖିଥିଲେ। ଚିଠି ଲେଖିବା ପରେ ସାର ରିଲିଜ୍ ହୋଇଛି। ଚାଷୀ ଅଧିକ ଜୈବିକ ସାର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ କୃଷିମନ୍ତ୍ରୀ କେଭି ସିଂଦେଓ। ପୂର୍ବତନ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ସରକାର ସାର ସମସ୍ୟା ଦୂର କରନ୍ତୁ। ନହେଲେ ବିରାଟ ଚାଷୀ ଆନ୍ଦୋଳନ ହେବ। ଖାଦ୍ୟ ଯୋଗାଣରେ ଚତୁର୍ଥରେ ରହିଛି ଓଡ଼ିଶା। ତାଙ୍କ ବିଭାଗ ନୁହେଁ କହି କୃଷିମନ୍ତ୍ରୀ ଦାୟିତ୍ୱରୁ ଖସିନଯାଆନ୍ତୁ। ସମନ୍ୱୟରେ ସମଧାନ କରନ୍ତୁ। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ସାର ଆଣିବା ଓ ଚାଷୀଙ୍କ ପାଖକୁ ପହଞ୍ଚାଇବାରେ କେନ୍ଦ୍ର ସରକାର ବଡ଼ ଘୋଟାଲା କରିଛନ୍ତି। ସେଥଲାଗି ରାଜ୍ୟରେ ଏବେ ସାରର ଅଭାବ ଦେଖାଦେଇଛି। ସାର ମିଳୁନି କି ଶସ୍ୟ ମଞ୍ଜି ବି ମିଳୁନି। ଧାନ କିଣିବାକୁ ଲୋକ ନାହାନ୍ତି। ପୁଞ୍ଜିପତିଙ୍କୁ ମୁନାଫା ଦେବାକୁ ସାରର କଳାବଜାରୀ ହେଉଛି। ଏମିତି ସ୍ଥିତି କରିଦିଆଯାଉଛି, ଯେମିତିକି ଚାଷୀ ବାଧ୍ୟ ହୋଇ ବଡ଼ କମ୍ପାନୀରୁ ସାର କିଣିବ। ସୁଶାସନ ଉତ୍ସମ ପାଳୁଥିବା ସରକାରଙ୍କୁ ଦେଖିଲେ ଲାଗୁନି, ରାଜ୍ୟରେ ସରକାର ଅଛି କି ନାହିଁ। ସେପଟେ ନିଅଣ୍ଟିଆ ସାରକୁ ନେଇ କହିବାରେ ନବୀନଙ୍କ ନୈତିକତା ନାହିଁ ବୋଲି କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ନବୀନ ସରକାରଙ୍କ ଅମଳରେ ବର୍ଷ ବର୍ଷ ଧରି ଚାଷୀଙ୍କୁ ୟୁରିଆ ଯୋଗାଇପାରୁନଥିଲେ। ନବୀନ ସରକାରଙ୍କ ସମୟରେ ସାରରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଥିଲା। ସାର ଦେବାକୁ ସରକାର ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି। ସମବାୟ ବିଭାଗ ଅନ୍ୟ ବିଭାଗ ସହ ସମନ୍ୱୟରେ ଏ ଦିଗରେ ବିହିତ ପଦକ୍ଷେପ ନେଉଛି। ଯୋଗାଣ ମନ୍ତ୍ରୀ କହିଛନ୍ତି, ସାରର ଅଭାବ ନାହିଁ। କେଉଁଠି ଅସୁବିଧା ଲାଗି ପହଞ୍ଚିନଥିବ। ନବୀନ କେବଳ ଚିଠି ଲେଖନ୍ତି। ହେଲେ ଫଳ ଶୂନ୍। ନବୀନଙ୍କ ସାର ଚିଠିକୁ ନେଇ ରାଜନୀତି ଭିନ୍ନ କଥା। କିନ୍ତୁ ଟିଟିଲାଗଡ଼ରୁ ନେଇ ବରଗଡ଼, ସୁବର୍ଣ୍ଣପୁର ଯାଏ। ସାରର କଳାବଜାରୀ ଓ ସାର ଅଭାବକୁ ନେଇ ରାସ୍ତାକୁ ଚାଷୀ ଓହ୍ଲାଇବା ଭଳି ପରିସ୍ଥିତି ଉପୁଜିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *