ଲାଗିରହିଛି ସାର ସଙ୍କଟ। ସାର ପାଇଁ ଧାଡ଼ିରେ ଆଧାରକାର୍ଡକୁ ଲାଇନରେ ଲଗାଇ ଚାଷୀ ଛିଡ଼ା ହେଉଛନ୍ତି। ଯେହେତୁ ପ୍ୟାକ୍ସ ଆଗ ଋଣୀ ଚାଷୀଙ୍କୁ ସାର ଦେଉଛନ୍ତି। କିନ୍ତୁ ଅଣଋଣୀ ଚାଷୀଙ୍କ ଭାଗରେ ପଡ଼ୁନି। ଯେତିକି ଚାଷୀ ପଞ୍ଜୀକରଣ କରିଛନ୍ତି। ତାହାର ଅଧା ସାର ବି ପହଞ୍ଚୁନି ପ୍ୟାକ୍ସରେ। ୩ଶହ ୟୁରିଆ ସାର ପାଇଁ ୮ଶହ ଚାଷୀ ଲାଇନରେ। ତା ପୁଣି ରାତି ୩ରୁ। ଅଣଋଣୀ ଚାଷୀ ଆଧାର କାର୍ଡକୁ ଲାଇନରେ ଲଗାଇ ଚିନ୍ତାରେ ଥିଲେ। ବଲାଙ୍ଗୀର ଦେଓଗାଁର ଗୌଡ଼ଗୋଠ ପ୍ୟାକ୍ସ ଆଗରୁ ବୁଧବାର ଆସିଥିଲା ଚିତ୍ର। ଆଉ ସମାନ ଚିତ୍ର ଆଜି ଆସିଛି ବଣେଇରୁ। ବଣେଇର ଗୁରୁଣ୍ଡିଆ ବ୍ଲକ ନରେନ୍ଦ୍ର ପଞ୍ଚାୟତରେ ସାର ପାଇଁ ହନ୍ତସନ୍ତ ହୋଇଛନ୍ତି ଚାଷୀ। ରାତିରୁ ଲମ୍ୱା ଲାଇନରେ ଆଧାରକୁ ଲଗାଇ ସାର ଲାଗି ଅପେକ୍ଷା କରିଥିଲେ ଚାଷୀ। ସେପଟେ ଗଲା ସପ୍ତାହକ ଭିତରେ ବୌଦ୍ଧ, କଳାହାଣ୍ଡି, କାମାକ୍ଷାନଗର, ନୂଆପଡ଼ାରୁ ନେଇ ସୁବର୍ଣ୍ଣପୁର ଯାଏ, ସାର ସଙ୍କଟର ବିକଳ ଚିତ୍ର ସାମ୍ନାକୁ ଆସିଥିଲା। ସାର ପାଇଁ ଚାଷୀଙ୍କ ହନ୍ତସନ୍ତର ଦୃଶ୍ୟ କେତେ ବିକଳ ଥିଲା, ଏହା ବୟାନ କରୁଛି। ରାତି ଅଧରୁ କିଏ ପ୍ୟାକ୍ସ ପାଚେରୀ ଉପରେ ଚଢ଼ିଥିଲା ତ କିଏ ଗେଟ୍ ଆଗରେ ଜଗିଥିଲା। ବୌଦ୍ଧ କଣ୍ଟାମାଳ ବ୍ଲକ ଶିମିଳିପଦର ପ୍ୟାକ୍ସରେ ୧୬ଶହ ଚାଷୀଙ୍କ ଲାଗି ଆସିଥିଲା ୩୫୦ ପ୍ୟାକେଟ୍ ସାର। କଳାହାଣ୍ଡି କର୍ଲାମୁଣ୍ଡା ସାର ଗୋଦାମରେ ହଜାରେ ସାର ବସ୍ତାକୁ ନେଇ ଚାଷୀଙ୍କ ଭିତରେ ଠେଲାପେଲା ଅବସ୍ଥା ଉପୁଜିଥିଲା। ପୁଲିସ ଉପସ୍ଥିତିରେ ସାର ବଣ୍ଟାଯାଇଥିଲେ ସୁଦ୍ଧା ଅନେକ ଚାଷୀ ସାର ନ ପାଇ ନିରାଶ ହୋଇ ଫେରିଥିଲେ। କାମାକ୍ଷାନଗରରେ ସାର ପାଇଁ ଲମ୍ୱା ଲାଇନରେ ଥିବା ଶତାଧିକ ଚାଷୀଙ୍କ ପ୍ରଶ୍ନକୁ କେମିତି ସମ୍ମୁଖୀନ ହେବେ। ଏହାକୁ ନେଇ ହରଡ଼ଘଣାରେ ପଡ଼ିଯାଇଥିଲେ ପ୍ୟାକ୍ସ କର୍ମଚାରୀ। ନୂଆପଡ଼ାରେ ସାର ଅଭାବକୁ ନେଇ ବିଜେଡି ଜିଲ୍ଲାପାଳଙ୍କ ଅଫିସ ଘେରାଓ କରିଥିଲା। ସାର ଆସୁଛି ସତ, କିନ୍ତୁ ସମୁଦ୍ରକୁ ଶଙ୍ଖେ। ସାର ସଙ୍କଟକୁ ନେଇ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାର ଆବଣ୍ଟନକୁ ବ୍ୟବସ୍ଥିତ, ପର୍ଯ୍ୟାପ୍ତ ସାର ମହଜୁଜ, କେମିତି ଚାଷୀଙ୍କ ପାଖରେ ସୁରୁଖୁରୁରେ ସାର ପହଞ୍ଚିବ। ତାକୁ ନେଇ କୃଷି, ଯୋଗାଣ ଓ ସମବାୟ ବିଭାଗକୁ ଡାକି ପଚାରିଛନ୍ତି। ଆଉ ନିର୍ଦେଶ ଦେଇଛନ୍ତି, ସାର ସଙ୍କଟକୁ ଟାଳିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ପ୍ୟାକ୍ସ ଓ ଲ୍ୟାମ୍ପସରେ ସାର ଆବଣ୍ଟନ କାମକୁ ସଠିକ୍ ତଦାରଖ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯାଞ୍ଚ ସ୍ଥାନରେ ସାରକୁ ଜବତ ନ କରି ସେହି ସାରକୁ ନିକଟସ୍ଥ ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଭିଡ଼ିଓ କନଫରେନ୍ସିଂରେ ସମସ୍ତ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ସାରବଣ୍ଟନ କାର୍ଯ୍ୟକଳାପ ବାବଦରେ ପଚାରି ବୁଝିଥିଲେ। ମାର୍କେଫେଡକୁ ସାରଯୋଗାଣ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ରାଜ୍ୟରେ ସାରର ସଙ୍କଟ ନାହିଁ। ଯେଉଁମାନେ କଳାବଜାରୀ କରୁଛନ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ୫୮ଟି ଜାଗାରେ ରେଡ୍ ହୋଇଛି। ଆଉ ମାତ୍ର ୮ରୁ ୯ ଦିନ ସାର ଆବଶ୍ୟକ। ଗଲାବର୍ଷ ଅପେକ୍ଷା ଏଥର ସାରର ଅଧିକ ଚାହିଦା ରହିଛି। ଏବେ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ସମୁଦାୟ ମହଜୁଦ୍ ଥିବା ୧୧,୬୬,୭୩୩ ମେଟ୍ରିକ୍ ଟନ୍ ସାରରୁ ୯,୮୫, ୯୬୭ ମେଟ୍ରିକଟନ୍ ସାର ବିକ୍ରି ହୋଇସାରିଛି। ସାର ବସ୍ତାଏ ପାଇଁ ବେଶ୍ ହୀନିମାନ ହେଲେଣି ଚାଷୀ। ସାର ସଙ୍କଟକୁ ଦୂର କରିବାକୁ ଯଦିଓ ସରକାର ଅଣ୍ଟା ଭିଡ଼ିଲେଣି। କିନ୍ତୁ ଗ୍ରାଉଣ୍ଡରେ ଚାଷୀଙ୍କ ପାଖରେ ସାର ପହଞ୍ଚିପାରୁଛି କି ନାହିଁ, ତାହା ହିଁ ବଡ଼ ଆହ୍ୱାନ ସାଜିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now