ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ୫ ଦିନିଆ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି ।
ଶିବିରକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ଏହି ଯୁଗାନ୍ତକାରୀ ପ୍ରୟାସରେ କାର୍ଯ୍ୟରତ ଧନ୍ଦାମୂଳକ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଛି । ସେମାନଙ୍କର ଦକ୍ଷତା ବିକାଶ ହେଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ । ଜାତୀୟ ଶିକ୍ଷାନୀତିରେ ତଥା ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି । ଧନ୍ଦାମୂଳକ ଶିକ୍ଷକମାନେ ନିଜ ନିଜ ଅଞ୍ଚଳର ଚାହିଦା ଅନୁଯାୟୀ ଶିକ୍ଷାଦାନ ପାଇଁ ବିଷୟ ଚୟନ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ ସମ୍ପ୍ରତି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଧନ୍ଦାମୂଳକ ଶିକ୍ଷାପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ ହେବାଭଳି ବାତାବରଣ ଓ ଶିକ୍ଷାଦାନ ପାଇଁ ନିଜକୁ ପ୍ରସ୍ତୁତି ପାଇଁ ଶିକ୍ଷକମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ସେମାନଙ୍କର ବଳିଷ୍ଠ ମତାମତ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିପାରିବ ବୋଲି ସେ ମତ ରଖିଥିଲେ ।
ଆର.ଆଇ.ଇ ର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗରୱାଲ ଏହି ତାଲିମ ସୁପରିଚାଳନା ପାଇଁ ସମସ୍ତ ସୁବିଧା ଯୋଗାଇବା ସଂଗେ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ ।
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର ଯୋଗଦେଇ ଧନ୍ଦାମୂଳକ ଶିକ୍ଷା ପୁନର୍ବିନ୍ୟାସ ଅନ୍ତର୍ଗତ ଯୋଜନା ବିଷୟରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାର ପୃଷ୍ଠଭୂମି, ପ୍ରସ୍ତାବିତ ରୂପରେଖ ଓ ଭୋପାଳଠାରେ ଏନସିଇଆରଟିର ଏକ ଶାଖା ଭାବେ ଅବସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ଧନ୍ଦାମୂଳକ କେନ୍ଦ୍ରୀୟ ପ୍ରତିଷ୍ଠାନର ତାଲିମଦାତା ମାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ଏହି ୫ ଦିନିଆ ତାଲିମରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।
ଏହି ତାଲିମ ସମୟରେ ବିଭିନ୍ନ ପ୍ରସଙ୍ଗରେ ତାଲିମ ଦେବା ସହ ପ୍ରତ୍ୟହ ପ୍ରତ୍ୟୁଷରୁ ଯୋଗ ଶିକ୍ଷା, ୱାର୍ଲଡ ସ୍କିଲ ସେଂଟର, ସେଂଟ୍ରାଲ ଟୁଲ ରୁମ ଓ ତାଲିମ କେନ୍ଦ୍ର, ଚନ୍ଦକା ଆଦି କେତେକ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନକୌଶଳ ହାସଲ କରିବାର କାର୍ଯ୍ୟକ୍ରମ ରହିଛି ।
ସମ୍ପ୍ରତି ରାଜ୍ୟରେ ଥିବା ଧନ୍ଦା ୨୩୧ ଗୋଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛଅ ଗୋଟି ବିଷୟରେ ଯଥା କୃଷି, ସ୍ୱାସ୍ଥ୍ୟ ଓ ପାରାମେଡିକାଲ ସାଇନ୍ସ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ବ୍ୟବସାୟ ଓ ବାଣିଜ୍ୟ, ଗୃହ ବିଜ୍ଞାନ ଓ ହ୍ୟୁମାନିଟିଜରେ ୧୯ଗୋଟି ଟ୍ରେଡରେ କଳା, ବାଣିଜ୍ୟ ଓ ବିଜ୍ଞାନ ଆଦିରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି ।
ଏହି ବିଷୟଗୁଡ଼ିକରେ ଉନ୍ନତ ଜ୍ଞାନ କୌଶଳ ଓ ନିଯୁକ୍ତି ସୁଯୋଗ ଉପରେ ଧାରଣା ଦିଆଯିବା ସଂଗେ ସଂଗେ ଯୁବପିଢ଼ି କିପରି ଆତ୍ମର୍ନିଭରଶୀଳ ହୋଇ ପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ । ପରିଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ପ୍ରଫେସର ତିଲୋତମା ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ । ଡ. ବିଜୟା କୁମାରୀ ପାତ୍ର ଏହି କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିଥିବାବେଳେ ଆର.ଆଇ.ଇ ର ଆସୋସିଏଟ ପ୍ରଫେସର ଶ୍ରୀମତୀ ରଶ୍ମିରେଖା ସେଠୀ ତାଲିମ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ଏହି ଅବସରରେ ତାଲିମଦାତା ପ୍ୟାସିଭି ଭୋପାଳର ପ୍ରଫେସର ବି.ଏସ. ମେହେରୋତ୍ରା, ପ୍ରଫେସର ଅଭିଜିତ ନାୟକ ଓ ଡ଼. ଜୟଶ୍ରୀ ମହାପାତ୍ରଙ୍କୁ ମଂଚରେ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now