ଏକାମ୍ର ପ୍ରକଳ୍ପରେ ରାଜନୀତି ନକରି ଐତିହ୍ୟ ଓ କୀର୍ତିରାଜିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର : ବିଜେପି

Spread the love

ଭୁବନେଶ୍ୱର : ପୁରୁଣା ଐତିହ୍ୟ ଓ କୀର୍ତିରାଜି ଆମର ଦୁଃମୂର୍ଲ୍ୟ ସମ୍ପଦ । ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର । ରାଜ୍ୟ ସରକାରଙ୍କୁ ଅନୁରୋଧ, ଏକାମ୍ର ପ୍ରକଳ୍ପରେ ରାଜନୀତି ନକରି ଐତିହ୍ୟ ଓ କୀର୍ତିରାଜିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ମହାନ୍ତି କହିଛନ୍ତି ଯେ, ଏକାମ୍ର ପ୍ରକଳ୍ପର ଭୂମିପୂଜନ ନାଁରେ ବିଶ୍ୱରେ ପରିଚିତ ଥିବା ୧୧୦୦ ବର୍ଷ ତଳର ପୁରୁଣା ଐତିହ୍ୟ, କୀର୍ତିରାଜି, ସଂସ୍କୃତି ଓ ପରମ୍ପରାକୁ ଅଣଦେଖା କରାନଯାଉ । ଦୀର୍ଘ ୨୩ ବର୍ଷ ଶାସନରେ ରହିବା ପରେ ଆଜି ସରକାରଙ୍କ ସୌନ୍ଦର୍ଯ୍ୟକରଣର କଥା ମନେପଡୁଛି । ସୌନ୍ଦର୍ଯ୍ୟକରଣକୁ ଆମର ବିରୋଧ ନାହିଁ କିନ୍ତୁ ପ୍ରାଚୀନ ଐତିହ୍ୟ, କୀର୍ତିରାଜିର ପୁନରୁଦ୍ଧାର ଏବଂ ପ୍ରତ୍ନତତ୍ୱର ଅନୁସନ୍ଧାନ କେମିତି ମିଳିବ, ସେଥିପାଇଁ ଆମେ ଚିନ୍ତିତ ।

ଭାରତୀୟ ପ୍ରତ୍ନତାତ୍ୱିକ ଓ ସର୍ବେକ୍ଷଣ ସଂସ୍ଥା ଅଧିନରେ ସଂରକ୍ଷିତ ଥିବା ଶୁକଶାରୀ ମନ୍ଦିର ରାଜ୍ୟ ସରକାରଙ୍କ ବୁଲଡୋଜର ବୁଲିବା ବେଳେ ପ୍ରାଚୀନ ଭଗ୍ନାବଶେଷ ତଥା ରାଜ୍ୟ ସରକାର ଅଣଦେଖା କରୁଥିବା ପୁରାତନ ସମୟର ଐତିହାସିକ କୀର୍ତିରାଜି ସାମ୍ନାକୁ ଆସିଥିଲା । ଏହା ଉପରେ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତ୍କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତୁରନ୍ତ ପ୍ରତିକ୍ରିୟା ସ୍ୱରୂପ ଏକ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ (ଜିପିଆର) ସର୍ଭେ ଆରମ୍ଭ କରାଯାଇଥିଲା । ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ୱରେ, ଦେବୀପାଦହରା ପୁଷ୍କରିଣୀ ଓ ଶୁକଶାରୀ ମନ୍ଦିର ପରିସରରେ ଏହି ଟିମ୍ ଏକ ବ୍ୟବସ୍ଥିତ ଓ ପୁଙ୍ଖାନୁପୁଙ୍ଖ ସର୍ଭେ କରିଥିଲେ । ଅତ୍ୟାଧୁନିକ ଜିପିଆର୍ ଯନ୍ତ୍ରପାତିର ବ୍ୟବହାର କରି, ମାଟିର ବିଭିନ୍ନ ସ୍ତରକୁ ସେମାନେ ପରୀକ୍ଷଣ କରିଥିଲେ । ଫଳରେ ଏକ ଥ୍ରିଡି ପ୍ରତିଛବି ସୃଷ୍ଟି କରିବା ସହ ତଳେ ଲୁଚି ରହିଥିବା ସମ୍ଭାବ୍ୟ ପ୍ରତ୍ନତାତ୍ୱିକ ଧରୋହରର ମ୍ୟାପିଂ ସମ୍ଭବ ହୋଇଥିଲା ।

ଏହି ଅନୁସନ୍ଧାନର ମହତ୍ୱକୁ ଅଣଦେଖା କରିହେବ ନାହିଁ । କିନ୍ତୁ ଏଏସଆଇ ସହଯୋଗରେ ଆଇଆଇଟି ଗାନ୍ଧିନଗରର ଦେଇଥିବା ତଥ୍ୟକୁ ଓଡ଼ିଶା ସରକାର ଦୁଇ ବର୍ଷ ହେଲା ଅଣଦେଖା କରିଛନ୍ତି । ଠିକ୍ ସେହି ସମୟରେ ପୁଣି ଏକ ଭୂମିପୂଜନ ନାଁରେ ରାଜନୈତିକ ମଞ୍ଚ ତିଆରି କରି ଲୋକଙ୍କୁ ଭୂଆଁ ବୁଲାଇବାର ଯେଉଁ ପ୍ରହେଳିକା ତିଆରି କରାଯାଉଛି, ତାହାକୁ ଆମେ ନିନ୍ଦା କରୁଛୁ ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଜିଲ୍ଳା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *