ପ୍ରଥମ ଥର ପାଇଁ ଦେବଗଡ଼ ଜିଲ୍ଲା ରେଳ ଲାଇନ ସହ ଯୋଡି ହେବାକୁ ଯାଉଛି – ଧର୍ମେନ୍ଦ୍ର ପ୍ରଧାନ

Spread the love

ଓଡ଼ିଶାରେ ରେଳ ଗମନାଗମନକୁ ଅଧିକ ସୁଦୃଢ କରିବା ପାଇଁ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନ କହିଛନ୍ତି ଯେ ୧୬୦ କିମି ବିଶିଷ୍ଟ ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ୍ ସର୍ଭେ(ଏଫଏଲଏସ) କରିବା ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି । ନୂଆ ରେଳ ଲାଇନ ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ୍ ସହ ସଂଯୋଗ କରିବ । ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ ଜିଲ୍ଲା ପ୍ରଥମ ଥର ପାଇଁ ରେଳ ଲାଇନ ସହ ସଂଯୋଗ କରିବାକୁ ଯାଉଛି, ଯାହା ଖୁସିର ବିଷୟ ।

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇ ଆସୁଛନ୍ତି । ଏହି ରେଳ ଲାଇନ କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡା ଏବଂ ଦେବଗଡ଼ ଜିଲ୍ଲାରେ ବିକାଶର ନୂଆ ଧାରା ସୃଷ୍ଟି ହେବ । ଏହି ଅଞ୍ଚଳ ରେଳ ଭିତ୍ତିଭୂମି ସହ ସଠିକ୍ ଭାବରେ ଯୋଡ଼ିହେଲେ ଚାଷୀ ଭାଇମାନେ ଉପକୃତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ । ଦେବଗଡ ଜିଲ୍ଲାରେ ପର୍ଯ୍ୟଟନର ବିକାଶକୁ ମଧ୍ୟ ଗତି ମିଳିବ । ବିଶେଷ ଭାବରେ ଦେବଗଡବାସୀଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନ ପୁନର୍ବାର କୃତଜ୍ଞତା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗତ ଜୁଲାଇ ୧୦ ତାରିଖରେ ଦେବଗଡ ଜିଲ୍ଲାର ନାଗରିକ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ ।

Leave a Reply

Your email address will not be published. Required fields are marked *