ହାତୀ-ମଣିଷ ଲଢ଼େଇ ରୋକିବାକୁ ବନ ବିଭାଗର ନୂଆ କାର୍ଯ୍ୟକ୍ରମ, ଜଙ୍ଗଲୀ ହାତୀ ବେକରେ ଲାଗିବ ରେଡିଓ କଲାର 

Spread the love

ଭୁବନେଶ୍ୱର : ହାତୀ-ମଣିଷ ଲଢ଼େଇରେ ଧନଜୀବନ ହାନୀ ରୋକିବାକୁ ନୂଆ ପନ୍ଥା ଆପଣେଇବ ବନ ବିଭାଗ । ପୂର୍ବରୁ ଥିବା ‘ଗଜସାଥୀ’ କାର୍ଯ୍ୟକ୍ରମ ସହ ୩ଟି ନୂଆ କାର୍ଯ୍ୟକ୍ରମ ଯୋଡ଼ି ହେବ । ତାହା ହେଲା ରେଡିଓ କଲାରିଂ, ସୋଲାର ପାୱାର ଫେନ୍ସିଂ ଓ ହାଇମାସ୍କ ଲାଇଟ୍ । ଏହାଦ୍ୱାରା ଭବିଷ୍ୟତରେ ହାତୀ ଓ ମଣିଷ ଜୀବନ ରକ୍ଷା କରାଯାଇପାରିବାର ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ।

ପିସିସିଏଫ୍ କହିଛନ୍ତି,ଜଙ୍ଗଲୀ ହାତୀ ବେକରେ ରେଡିଓ କଲାର ଲାଗିବ । ଏଥିଲାଗି ବାଙ୍ଗାଲୋରର ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସର ଏସିଆନ ନେଚର କଞ୍ଜରଭେସନ ଫାଉଣ୍ଡେସନ ସହ ଚୁକ୍ତି ସ୍ୱାକ୍ଷର କରିଛି ବନ ବିଭାଗ । ପ୍ରାରମ୍ଭିକ ଭାବେ ପାଇଲଟ ପ୍ରକଳ୍ପ ଆଧାରରେ ୩ଟି ହାତୀ ବେକରେ  ରେଡିଓ କଲାର ଲଗାଯିବ । ଫଳରେ ହାତୀ ଦଳର ଚଳ ପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ । ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇପାରିବ । ପୂର୍ବରୁ ଏହା କର୍ଣ୍ଣାଟକ, ତାମିଲନାଡୁରେ ପ୍ରମାଣିତ ହୋଇସାରିଛି ।

ଏହି କାର୍ଯ୍ୟକ୍ରମ ଅଧୀନରେ ସୋଲାର ପାୱାର ଫେନ୍ସିଂ କରାଯାଉଛି । ୯୦% ଅର୍ଥ ରାଜ୍ୟ ସରକାର ସବସିଡି ପ୍ରଦାନ କରିବେ, ବଳକା ୧୦% ଅର୍ଥ ଗ୍ରାମବାସୀ ଦେବେ । ଓରେଡା ଏମ୍ପାନେଲ ଭେଣ୍ଡରଙ୍କ ଦ୍ୱାରା ସୋଲାର ଫେନ୍ସିଂ ହେଉଛି । ସୋଲାର ପାୱାର ଫେନ୍ସିଂ ଅଞ୍ଚଳରେ ହାତୀ ପଶିବାକୁ ଚେଷ୍ଟା କଲେ ସେମାନଙ୍କୁ କରେଣ୍ଟ ଲାଗିବ,  କିନ୍ତୁ ଏହାଦ୍ୱାରା କୌଣସି କ୍ଷତି ହେବନି । ଅଧିକ ହାତୀ ଉପଦ୍ରବ ହେଉଥିବା ଅନୁଗୁଳ ବନ୍ତଳା ପାଇଁ ସ୍ୱତନ୍ତ୍ର ପନ୍ଥା କରାଯିବ । ବନ୍ତଳାର ୪୩ ଗ୍ରାମରେ ହେବ ସୋଲାର ପାୱାର ଫେନ୍ସିଂ । ଏହାଛଡ଼ା ହାତୀ- ମଣିଷ ସାମ୍ନାସାମ୍ନି ହେବା ରୋକିବାକୁ ୪୩ ହାଇମାସ୍କ ଲାଇଟ୍ ବି ଲାଗିବ ।

ଏହାଛଡ଼ା ଓଡ଼ିଶାର ଏକ ଷ୍ଟାର୍ଟଅପ୍ ଜରିଆରେ ଏ ଅଞ୍ଚଳରେ ଜିଏସଏମ୍ ଆଧାରିତ ଅର୍ଲି ୱାର୍ଣ୍ଣିଂ ସିଷ୍ଟମ ଲଗାଯିବ । ଏହାଦ୍ୱାରା ଏହି ଅଞ୍ଚଳକୁ ହାତୀ ପଶିବା ନେଇ ଟ୍ରାକର ଜରିଆରେ ଖବର ମିଳିବା ମାତ୍ରେ ଅର୍ଲି ୱାର୍ଣ୍ଣିଂ ସିଷ୍ଟମ ଅନ କରିବେ, ଯାହାଦ୍ୱାରା ସାଇରନ ବାଜିବା ସହ ରେଡ ଲାଇଟ୍ ଦେଖାଯିବ । ଫଳରେ ଉକ୍ତ ଅଞ୍ଚଳରେ ହାତୀ ଥିବା ନେଇ ଲୋକ ସତର୍କ ହୋଇଯିବେ । ଫଳରେ ଧନଜୀବନ ହାନୀ ରୋକି ହେବ ବୋଲି ପିସିସିଏଫ୍ କହିଛନ୍ତି ।

ପ୍ରାରମ୍ଭିକ ଭାବେ ୫୦୦ ଗ୍ରାମରେ ଆରମ୍ଭ ହୋଇଥିବା ‘ଗଜସାଥୀ’ ସଚେତନତା କାର୍ଯ୍ୟକ୍ରମ ଗତ ବର୍ଷ ୧୨ ଶହ ଗ୍ରାମକୁ ବିସ୍ତାରିତ ହେଉଛି । ଚଳିତ ବର୍ଷ ଗଜସାଥୀ କାର୍ଯ୍ୟକ୍ରମ ୨ ହଜାର ଗ୍ରାମକୁ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମରେ ଗ୍ରାମ୍ୟ କମିଟି ଦ୍ୱାରା ଚୟନ ୫ ଜଣ ସ୍ୱେଚ୍ଛାସେବୀକୁ ଗଜ ସାଥୀ ଭାବେ ନିୟୋଜନ କରାଯାଉଛି । ଗତ ବର୍ଷ ପାଇଲଟ ପ୍ରକଳ୍ପ ଆଧାରରେ ଆରମ୍ଭ ହୋଇଛି ଏହି ସ୍କିମ୍ । ହାତୀ ପ୍ରବଣ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପିପିପି ମୋଡରେ କରାଯାଉଛି ।

Leave a Reply

Your email address will not be published. Required fields are marked *