ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟ ମାନ୍ୟତା

Spread the love

ବରଗଡ: ଔଷଧୀୟ ଗଛରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇଛି। ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି ଐତିହ୍ୟପୂର୍ଣ୍ଣ ପାହାଡ଼ରେ ରହିଛି ବିପୁଳ ପରିମାଣର ଔଷଧୀୟ ବୃକ୍ଷ। ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ।ଔଷଧୀୟ ଗଛରେ ପରିପୂର୍ଣ୍ଣ  ଗନ୍ଧମାର୍ଦ୍ଦନ ପର୍ବତକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା ପ୍ରଦାନ କରାଯାଇଛି। ଏଠାରେ ୧୦୫୫ ପ୍ରଜାତିର ବୃକ୍ଷଲତା ରହିଛି। ସେଥିମଧ୍ୟରେ ୮୪୯ ପ୍ରକାର ଫୁଲ, ବୁଦା, ଗୁଳ୍ମ, ଲତା ଜାତୀୟ ଉଦ୍ଭିଦ ସମେତ ପ୍ରାୟ ୩୦୦ ପ୍ରକାର ଔଷଧୀୟ ଗଛ ରହିଛି। ୫୦୦ ପ୍ରକାର ପ୍ରାଣୀଙ୍କ ମଧ୍ୟରେ ୪୩ ପ୍ରକାରର ସ୍ତନ୍ୟପାୟୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ, ୧୧୮ ପ୍ରକାରର ପ୍ରଜାପତି, ୮୩ ପ୍ରକାର ବୁଢ଼ିଆଣୀ ଓ ୧୮ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ଅଛନ୍ତି।

ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗନ୍ଧମାର୍ଦ୍ଦନ ପାହାଡ ବେଶ ଗୁରୁତ୍ଵପୂର୍ଣ୍ଣ ଅଟେ। ଏହାର ଗୋଟିଏ ପଟେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଓ ଅନ୍ୟପଟେ ହରିଶଙ୍କର ମନ୍ଦିର ରହିଛି। ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାରୁ କିଛି ମାସ ତଳେ ଓଡ଼ିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଏହାକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ପ୍ରଦାନ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ସହିତ  ଗନ୍ଧମାର୍ଦ୍ଦନ ବାୟୋଡାଇଭରସିଟି ହେରିଟେଜ୍ ସାଇଟ୍ ମାନ୍ୟତା ପାଇଁ ଦାବି ହେଉଥିଲା। ଶେଷରେ ଗନ୍ଧମାର୍ଦ୍ଦନ ପର୍ବତକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା ପ୍ରଦାନ କରାଯାଇଛି।

ତେବେ ଏହାପୂର୍ବରୁ କନ୍ଧମାଳର ମଣ୍ଡାସୁରୁ ଓ ଗଜପତିର ମହେନ୍ଦ୍ରଗିରିକୁ ମିଳିଥିଲା ଏହି ମାନ୍ୟତା ।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *