ଗଞ୍ଜାମ ଜିଲ୍ଲାରେ ୨୦୦ ଆନ୍ଧ୍ର ଡ଼ିଗ୍ରୀ ଧାରୀ ଚିହ୍ନଟ ହେଲେଣି

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ୨୦୦ ଆନ୍ଧ୍ର ଡ଼ିଗ୍ରୀ ଧାରୀ ଚିହ୍ନଟ ହେଲେଣି । ଗଞ୍ଜାମ ଜିଲ୍ଲାରେ ବହୁ ସଂଖ୍ୟାରେ ଆନ୍ଧ୍ର ଡ଼ିଗ୍ରୀ ଧାରୀ ରହିଥିବାର ସୂଚନା ମିଳିଛି । ଶିକ୍ଷକ ମାନଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏଭଳି କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ୨୦୦ ରୁ ଅଧିକ ଶିକ୍ଷକ ଚିହ୍ନଟ ହୋଇସାରିଲେଣି । ଡାକ ବିଭାଗର ଜିଡିଏସ ପଦରେ ନକଲି ସାର୍ଟିଫିକେଟ ଦେଇ ଆବେଦନ ଘଟଣାର ତଦନ୍ତ ପରେ ଏହା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ନକଲି ଶିକ୍ଷା ପ୍ରମାଣପତ୍ର ଯାଂଚ୍ ପ୍ରକ୍ରିୟା ଜାରୀ ରହିଛି । ବର୍ତମାନ ସୁଦ୍ଧା ଆସିଥିବା ଅଭିଯୋଗ ଅନୁସାରେ ନକଲି ଶିକ୍ଷକଙ୍କ ତାଲିକା ୪୪୧ ରେ ପହଂଚିଛି । ସେଥିମଧ୍ୟରୁ ୯୬ ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ୪୭ ଜଣ ଚାକିରୀରୁ ବିଦା ହୋଇସାରିଲେଣି । ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ଆରଟିଆଇ ବଳରେ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀଙ୍କୁ ଅନ୍ୟ ରାଜ୍ୟର ଶିକ୍ଷା ପ୍ରମାଣପତ୍ର ବିଇଡି ଦାଖଲ କରି ଚାକିରୀ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା ମାଗିଥିଲେ । ବର୍ତମାନ ସୁଦ୍ଧା ୧୨ଟି ବ୍ଲକରୁ ମିଳିଥିବା ତଥ୍ୟ ଅନୁସାରେ ଏହି ସଂଖ୍ୟା ୨୦୦ ଟପି ସାରିଲାଣି । ସେଥିମଧ୍ୟରୁ ସାନଖେମୁଣ୍ଡି ବ୍ଲକରେ ସର୍ବାଧିକ ୬୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ଦିଗପହଣ୍ଡି ବ୍ଲକରେ ୪୩ ଜଣ ରହିଛନ୍ତି । ଏହି ସୂଚନା ଅନୁସାରେ ହିଞ୍ଜିଳିକାଟୁ ବ୍ଲକରେ ୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡ଼ି ସାର୍ଟିିଫିକେଟ ଦେଇ ଚାକିରୀ କରୁଥିବା ବେଳେ ବେଲେଗୁଣ୍ଠା ବ୍ଲକର ୧୯ ଜଣ, ଖଲ୍ଲିକୋଟ ବ୍ଲକରେ ୭ ଜଣ, କୁକୁଡ଼ାଖଣ୍ଡି ବ୍ଲକରେ ୧୯ ଜଣ, ସୋରଡ଼ା ବ୍ଲକରେ ୨୧ ଜଣ ଓ ରଙ୍ଗେଇଲୁଣ୍ଡା ବ୍ଲକରେ ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡ଼ି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି । ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି । ଆନ୍ଧ୍ର ବିଶ୍ୱବିଦ୍ୟାଳୟ ସମେତ ସିକାକୁଲମ ସ୍ଥିତ ବି.ଆର. ଆମ୍ବେଦକର ବିଶ୍ୱବିଦ୍ୟାଳୟ, ହରିୟାଣା ସ୍ଥିତ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ, ଗୁଂଟୁର ସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକ ଗୁଲବର୍ଗ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ, ମଦୁରାଇ, ମୁମ୍ବାଇ, ଭୋପାଳ, ତିରୁପତି ଭଳି ବିଭିନ୍ନ ବିଶ୍ୱବିଦ୍ୟାଳୟର ବିଇଡ଼ି ପ୍ରମାଣପତ୍ର ଦେଇ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଚାକିରୀ କରୁଛନ୍ତି । ଏମାନଙ୍କ ସାର୍ଟିଫିକେଟ ଯାଂଚ୍ ପରେ ବହୁ ଜାଲ୍ ଶିକ୍ଷକ ଶିକ୍ଷୟତ୍ରୀ ବାହାରିବେ, ଏଣୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । 

Leave a Reply

Your email address will not be published. Required fields are marked *