ଲୋପ ପାଇବାକୁ ବସିଲାଣି ଗଞ୍ଜପା ଖେଳ

Spread the love

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ଗଞ୍ଜପା ଖେଳ ବେଶ ପ୍ରସିଦ୍ଧ । ରାଜା ରାଜୁଡା ଅମଳରୁ ଏହି ଖେଳ ସୋନପୁରେ ଖେଳାଯାଇ ଆସୁଅଛି। ରାମୟଣର କଥାବସ୍ତୁକୁ ଆଧାର କରି ରାମ ରାବଣ ଯୁଦ୍ଧକୁ ଖେଳ ମାଧ୍ୟମରେ  ଗଞ୍ଜପା ଖେଳରେ ଖେଳା ଯାଇଥାଏ। କାଳ କ୍ରମେ ଏହି ଖେଳ ଏବେ ଲୋପ ପାଇଯାଉଥିବା ବେଳେ ଏହି କଳାକୁ ସୋନପୁରୀ ପାଟ ଶାଢୀରେ  ସ୍ଥାନୀତ କରିଛନ୍ତି  ସୁବର୍ଣ୍ଣପୁର ସହର ଜଣେ  ବୁଣାକାର। ସହରର ପଟାଭାଡିର ପ୍ରସିଦ୍ଧ ବାନ୍ଧଶିଳ୍ପୀ ପ୍ରହଲ୍ଲାଦ ମେହେରଙ୍କ ଏହି ଗଞ୍ଜପା ଶାଢି ଏବେ ଦେଶ ବିଦେଶରେ ଖୁବ ଆଦର ପାଇଥିବା ବେଳେ ଏହି ଶାଢୀଟି  ଜାତୀୟ ପୁରସ୍କାର  ମଧ୍ୟ ପାଇଛି ।

ସୋନପୁରର ପ୍ରସିଦ୍ଧ ଗଞ୍ଜପା ଖେଳ ଧିରେ ଧିରେ ଲୋପ ପାଇବାକୁ ବସିଲାଣି। ଏହାର ପୁନଃଉଦ୍ଧାର ପାଇଁ ଜଣେ ବୁଣାକାର ଏହି ଖେଳକୁ ଏକ ଶାଢୀରେ ତିଆରି କରିଛନ୍ତି। ରାଜା ରାଜୁଡା ଅମଳରୁ ସୋନପୁରରେ ଖେଳା ଯାଉଥିବା ଗଞ୍ଜପାର ଗୋଲ ଗୋଲ ପତି ଓ ଖେଳକୁ ସରୁ ପାଟ ସୂତାରେ ବାନ୍ଧ ପକାଇ ଅତିସୁନ୍ଦର ଏକ ଶାଢି ତିଆରି କରିଛନ୍ତି ପ୍ରହଲ୍ଲାଦ ମେହେର। ଏହି ଶାଢୀକୁ ବୁଣିବାରେ ପ୍ରହଲ୍ଲାଦଙ୍କୁ ସାହାଯ୍ୟ କରିଛନ୍ତି  ତାଙ୍କ ପତ୍ନୀ ମମତା ଓ ଦୁଇ ପୁଅ। ଏହି ଶାଢୀ ବୁଣିବା ପାଇଁ ୨ ମାସ ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ୬୦୦ ଗ୍ରାମର ଉତ୍ତମ ପାଟସୂତା ବ୍ୟବହା ହୋଇଛି। ଶାଢୀରେ ଚନ୍ଦନ, ରଷ୍ଟ, ଲାଲ ଏବଂ କଳା ଚାରୋଟି ରଙ୍ଗ ବ୍ୟବହାର ହୋଇଛି।

ଶାଢିରେ ରାମ, ରାବଣ, ହନୁମାନଙ୍କ ସହ ଅନ୍ୟାନ୍ୟ ୧୬ ପ୍ରକାର ଯୋଦ୍ଧା ସୈନ୍ୟଙ୍କୁ ଅଙ୍କନ କରାଯାଛି। ଏବେ ଏହି ଖେଳ ଖେଳା ଯାଉଥିବା ସ୍ଥାନର ଫୋଟୋ ଚିତ୍ରକୁ ମଧ୍ୟ ଖୁବ୍ ନିଖୁଣ ଢଙ୍ଗରେ ପ୍ରହଲ୍ଲାଦ ଶାଢିରେ ଦର୍ଶାଇଛନ୍ତି ।

ସୁବର୍ଣ୍ଣପୁରର ବୁଣାକାର ଶିଳ୍ପୀ ମାନେ ସବୁବେଳେ କିଛି ନୂଆ କରିବାର ପ୍ରଚେଷ୍ଟା କରନ୍ତି । ସୋନପୁରର ପ୍ରସିଦ୍ଧ ତନ୍ତଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢି ବୁଣିବାକୁ  ପ୍ରହଲ୍ଲାଦଙ୍କୁ ପ୍ରେରଣା ଯୋଗାଇଥିଲେ ।  ସରୁ ସୂତାରେ ସୂକ୍ଷ୍ମକଳା ପ୍ରସ୍ଫୁଟିତ କରିବାରେ ସ୍ଥାନୀୟ ତନ୍ତଶିଳ୍ପୀ ମାନଙ୍କର ପ୍ରସିଦ୍ଧି ରହିଛି । କେତେବେଳେ ଗଣିତ ଶାଢୀ ତ ଆଉ କେତେବେଳେ ମା ଶାଢୀ ବୁଣି ଏମାନେ ଚର୍ଚ୍ଚାରେ ଥାଆନ୍ତି । ସୋନପୁର ରେ ହଜିଯାଉଥିବା କଳା ଗଞ୍ଜପା ଖେଳକୁ ପାଟ ସାଢିରେ ବୁଣି ଚର୍ଚ୍ଚାରେ ରହିଛନ୍ତି ପ୍ରହଲ୍ଲାଦ।

ଏହି ଶାଢୀ ପାଇଁ ପ୍ରହଲ୍ଲାଦ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ତେବେ ସ୍ଥାନୀୟ ବଜାରରେ ଶାଢିର ଦାମ ୪୦ ହଜାର ଟଙ୍କା ରହିଛି ।

ସାଧାରଣ ମହିଳାଙ୍କ ଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତ୍ରୀ ମାନଙ୍କ ପ୍ରଥମ ପସନ୍ଦ ଭାବେ ପ୍ରସିଦ୍ଧ ସୋନପୁରୀ ପାଟଶାଢୀ।  ଏବେ ଏହି ଗଞ୍ଜପ ଶାଢୀ ପାଁଇ ଦେଶ ବିଦେଶରୁ ଅର୍ଡମଧ୍ୟ ଆସୁଛି। ଗଣପତିବାଘଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *