ମନ୍ଦିର ଜମି ପରେ ଏବେ ଗୋଚର କେଳେଙ୍କାରୀ- ଅଡ଼ୁଆରେ ଅର୍ଚ୍ଚନା!

ଜମି ରେଜିଷ୍ଟ୍ରେସନ ବେଳେ ସବୁ ଟିକିନିଖି ଦେଖିବା, ଅନୁଧ୍ୟାନ କରିବା ସହ  ଏହାର ଆଇନଗତ ଦିଗକୁ ତର୍ଜମା ପରେ ହିଁ ଦଲିଲରେ ମୋହର ମାରନ୍ତି ସବ-ରେଜିଷ୍ଟ୍ରାର। ଆଉ ଏହା ଜଣେ ସବ-ରେଜିଷ୍ଟ୍ରାରଙ୍କ ମୌଳିକ କର୍ତ୍ତବ୍ୟ ବି। ଏଥିଲାଗି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ ଧନ୍ୟବାଦର ପାତ୍ର ବି। କିନ୍ତୁ ଅର୍ଚ୍ଚନାଙ୍କ କାମ କରିବା ଶୈଳୀରେ ଆଉ ଏକ ସ୍ୱତନ୍ତ୍ରତା ବି ଅଛି। ଯେଉଁ ଦଲିଲ ଯୋଗ୍ୟ, ତାକୁ ରେଜିଷ୍ଟ୍ରସନ କରିବାକୁ ମନା କରନ୍ତି। ଆଉ ଯେଉଁ ଦଲିଲରେ ଦସ୍ତାବିଜ୍ ଭୁଲ୍, ତାକୁ ରେଜିଷ୍ଟ୍ରେସନ କିନ୍ତୁ କରିଦିଅନ୍ତି ଅର୍ଚ୍ଚନା ଗୌଡ଼। ଆଗ ତ କାଶୀପୁର ମୌଜାରେ ୬୪୫ ଡିସିମିଲ ପରିମିତ ମନ୍ଦିର ଜମିର ସତ୍ତ୍ୱକୁ ଯାଞ୍ଚ ନ କରି ବା ଉଦେଶ୍ୟମୂଳକ ଭାବେ ଏହାକୁ ରେଜିଷ୍ଟ୍ରେସନ କରିଦେଇଥିଲେ ଅର୍ଚ୍ଚନା। ଏବେ ଗୋଚର ଲିଜ୍ ଜମିକୁ ବି ଛାଡ଼ିଲେନି ସବ-ରେଜିଷ୍ଟ୍ରାର। ଜୁଲାଇ ୩୦ରେ ଜମି ମାଲିକ ଦେବେଶ ଦତ୍ତ କୁଜିମହଲ ମୌଜାରେ ଥିବା ୧୨୦ ଡିସିମିଲ୍ ଜାଗା ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିପ୍ଳବ ସାମନ୍ତରାୟଙ୍କୁ ବିକିଲେ। ୩ଟି ପ୍ଲଟ। ସବୁ ପ୍ଲଟର ଆକାର ୪୦ ଡିସିମିଲ ଲେଖାଏଁ। ପ୍ଲଟ ନମ୍ୱର ୩୭୮/ ୧୦୬୪, ୩୭୮/ ୧୦୬୫  ଓ ୩୭୮/ ୧୦୭୩। ତିନୋଟି ଯାକ ପ୍ଲଟର କିସମ ଘରବାରି। କିନ୍ତୁ ପଟ୍ଟାର ମନ୍ତବ୍ୟରେ ସ୍ପଷ୍ଟ ଭାବେ ଲେଖାଯାଇଛି, ପଡ଼ିଆ ନଥି ନମ୍ୱର। ଆଉ ମୂଳ ଖାତା ନମ୍ୱର ୩୨୪ରୁ ଏ ସବୁ କଟି ଘରବାରି ହୋଇଛି। ଏଇଠି ହିଁ ପ୍ରଶ୍ନ ଉଠୁଛି। ପଡ଼ିଆ ନଥି ନମ୍ୱରର ଅର୍ଥ ଏହା ଲିଜ୍ ଜମି। ତାହେଲେ ଲିଜ୍ ଜମିକୁ ଘରବାରି କଲା କିଏ। ପୁଣି ଏହାର ସତ୍ତ୍ୱ ସ୍ଥିତିବାନ ହୋଇଗଲା କେମିତି। ସବ୍‌-ରେଜିଷ୍ଟ୍ରାରଙ୍କ ଆଖିରେ ଏହା ପଡ଼ିବା ମାତ୍ରେ ତ ସିଏ ଭୂଲେଖ ଯାଇ ତୁରନ୍ତ ଦେଖିବାର ଥିଲା। ଲିଜ୍ ଜମି କେଉଁ ଆଧାରରେ ଘରବାରି ପୁଣି ସତ୍ତ୍ୱ ସ୍ଥିତିବାନ ହୋଇଗଲା। ଭୁବନେଶ୍ୱର ତହସିଲ ଅଫିସରେ ଏହା କେମିତି ସମ୍ଭବ ହେଲା। ତାହେଲେ ଅର୍ଚ୍ଚନା ଗୌଡ଼ ଏହାକୁ କେମିତି ବାଇପାସ୍ କରି ରେଜିଷ୍ଟ୍ରେସନର ମୋହର ମାରିଦେଲେ। ଯଦି ସବୁ ଟିକିନିଖି ଦେଖୁଥିବାର ଦାବି କରନ୍ତି ଅର୍ଚ୍ଚନା। ରେଜିଷ୍ଟ୍ରେସନରେ ମୋହର ମାରିବା ଆଗରୁ ଭୂଲେଖରେ ଚେକିଂ କରି ସନ୍ଦେହ ଦୂର କରିବାକୁ ତହସିଲ ଅଫିସକୁ ଅନ୍ତତଃ ପଚାରିପାରିଥାଆନ୍ତେ। ସବୁ କିଛି ସ୍ପଷ୍ଟତା ଆସିବା ପରେ ରେଜିଷ୍ଟ୍ରେସନ କରିଥାଆନ୍ତେ। ଏପଟେ ଦେଖନ୍ତୁ ମୂଳ ଖାତା ନମ୍ୱର ୩୨୪ରେ ଥିବା ପ୍ଲଟ ନମ୍ୱର ୩୭୮ର କିସମ ଗୋଚର ଅଛି। ନିୟମ କହୁଛି, କୌଣସି ଗୋଚର ଜମିକୁ କିସମ ବଦଳାଇବାର ଥିବ, ସେଥିରେ ଜିଲ୍ଲାପାଳ ଡି-ରିଜର୍ଭେସନ କରି କିସମ ପରିବର୍ତ୍ତନ କରିପାରିବେ। କିନ୍ତୁ ୩୭୮ରେ ନା ଡି-ରିଜର୍ଭେସନ କେସ୍ ହୋଇଛି। ନା କୌଣସି କିସମ ପରିବର୍ତ୍ତନର ଆଧାର ରହିଛି। ଗୋଚର ଜମିର କିସମ ପରିବର୍ତ୍ତନ ହେଲା କେମିତି। ଗୋଚର ଜମିକୁ ଲିଜ୍ ଦିଆଯାଇପାରିବନି। ଯଦି ଲିଜ୍ ଦିଆଯାଏ, ସରକାର ପ୍ରଥମେ ଡି-ରିଜର୍ଭେସନ କେସ୍ କରି ଏହାର କିସମ ବଦଳାଇବେ। ତା ପରେ ଯାଇ ଲିଜ୍ ଦେବେ। ଖାତା ନମ୍ୱର ୩୨୪ରେ ଥିବା ୧୭ଟି ପ୍ଲଟ ଅଛି। ଏଥିରୁ ୩୭୮ ପ୍ଲଟ୍ ଗୋଚର। ଯଦି ମୂଳ ପ୍ଲଟ ଗୋଚର, ତାହେଲେ ପାର୍ଟ-ପ୍ଲଟ କେମିତି ଘରବାରି ହୋଇଗଲା। ମୂଳ ପ୍ଲଟର ଯାହା କିସମ ଥିବ, ପାର୍ଟ-ପ୍ଲଟର ବଦଳିଯିବ କି। ତହସିଲ ଅଫିସରେ କାରସାଦି ହୋଇଥିଲା କି। ମୂଳ ଲିଜ୍‌ ଧାରୀ ଥିଲେ ଛେତ ମାଝୀ, ପ୍ରଭାକର ମାଝୀ ଓ କାଙ୍ଗାଳି ମାଝୀ। ସେମାନଙ୍କଠୁ ୧୨୦ ଡିସିମିଲ ଜମି କିଣି ଦେବଦତ୍ତ ଓଏଲଆର ସେକ୍ସନ ୮(ଏ)ରେ ଘରବାରି କରିଛନ୍ତି। ଏହାର ଅର୍ଥ ପୂର୍ବରୁ ଘରବାରି ନଥିଲା। ଏ ବାବଦରେ କ୍ଲାରିଫିକେସନ କାହିଁକି ନ ମାଗି ସବ-ରେଜିଷ୍ଟ୍ରାର ରେଜିଷ୍ଟ୍ରେସନ କରିଦେଲେ। ତଳେ ଲିଜ୍, ଉପରେ ସ୍ଥିତିବାନ। ଏହା ସମ୍ଭବ କି। କାହାକୁ କ୍ଲାରିଫିକେସନ ମାଗିଥିଲେ ଅର୍ଚ୍ଚନା। ମନ୍ଦିର ଜମିକୁ ପଟ୍ଟାରେ ଜାଲିଆତି କରି କିଣାବିକା ବେଳେ ଆଖି ବନ୍ଦ କରିଦେଇ ରେଜିଷ୍ଟ୍ରେସନ କରିଦେଇଥିଲେ ଅର୍ଚ୍ଚନା। ଆଇଜିଆରଙ୍କ ପକ୍ଷରୁ ଏଥିଲାଗି କାରଣଦର୍ଶାଅ ନୋଟିସର ଉତ୍ତର ଦେବାର ମହଲତ ବି ୨୫କୁ ପୁରୁଛି। ସେପଟେ ଏ ଅଡ଼ୁଆ ତୁଟିନଥିବା ବେଳେ ଗୋଚର ଜମି କେମିତି କିଣାବିକା ହୋଇଗଲା, ଆଉ ଏକ ଅଡ଼ୁଆ ଆସି ପଡ଼ିଲାଣି ଅର୍ଚ୍ଚନାଙ୍କ ଉପରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *