ହତ୍ୟା ତଦନ୍ତକୁ ଦିଗହରା କରୁଛନ୍ତି ସରକାର

Spread the love

() ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ବିରୋଧୀଙ୍କ ହଟ୍ଟଗୋଳରୁ ଗୃହ ଚାଲିପାରିଲାନି। ନବ ଦାସ ହତ୍ୟାକାଣ୍ଡ ତାତିରେ ପୁରା ଧୋଇଗଲା ଆଜିର ଗୃହ କାର୍ଯ୍ୟ। ଅଭିଯୁକ୍ତ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟତା ଆସିବା ପରେ ହତ୍ୟା ତଦନ୍ତକୁ ଆଉ ସରକାର କେତେ ଦିଗହରା କରିବେ କହି ବିରୋଧୀ ହଟ୍ଟଗୋଳ କରିଥିଲେ। କଂଗ୍ରେସ ଏସଆଇଟି ଓ ବିଜେପି ସିବିଆଇ ତଦନ୍ତ ଦାବିରେ ଅଡି ବସିଲେ। ସେପଟେ ଏଭଳି ହଟ୍ଟଗୋଳ କରି ଗୃହ ବନ୍ଦ କରୁଥିବା ବିରୋଧୀଙ୍କୁ ରାଜ୍ୟବାସୀ ଜବାବ ଦେବେ ବୋଲି କହିଛି ଶାସକ ଦଳ।

ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ। ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ ନାରାରେ ଗୃହକୁ କମ୍ପାଇଲେ ବିରୋଧୀ। ନବଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ତଦନ୍ତ ଦିଗହରା ହେଉଛି କହି ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା, ହଟ୍ଟଗୋଳ କରିଥିଲେ। ଫଳରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କିଛି ହୋଇପାରିଲାନି। ବିରୋଧୀଙ୍କ କହିବା କଥା, ଅଭିଯୁକ୍ତ ଗୋପାଳ ପାଗଳ ନୁହେଁ ବୋଲି ଡାକ୍ତରୀ ରିପୋର୍ଟ ଆସିସାରିଛି। କିନ୍ତୁ ତଦନ୍ତକୁ ଗୋପାଳ ଚାରିପଟେ ହିଁ ସୀମିତ ରଖୁଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡକୁ ୪୧ ଦିନ ବିତିଲାଣି। ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାରେ ବ୍ୟସ୍ତ ରହିଛି କ୍ରାଇମବ୍ରାଞ୍ଚ। ସେଥିଲାଗି ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛି ବିଜେପି। ଆଉ କଂଗ୍ରେସ କହିଛି, ଏ ଯାଏ ନବ ହତ୍ୟାକାଣ୍ଡ ପଛର କାରଣ ପଦାକୁ ଆସିପାରିଲାନି। କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ। ଏସଆଇଟି ତଦନ୍ତ ହେଉ। ହତ୍ୟା ତଦନ୍ତକୁ ଦିଗହରା କରୁଛନ୍ତି ସରକାର।

ସେପଟେ ଶାସକ ଦଳ କହିଛି, ବିରୋଧୀଙ୍କ ହାତରେ ପ୍ରସଙ୍ଗ ନଥିବାରୁ ପ୍ରହସନ କରି ଗୃହକୁ ବନ୍ଦ କରୁଛନ୍ତି। ରାଜ୍ୟବାସୀ ଏହାର ଜବାବ ଦେବେ। ମୁଖ୍ୟମନ୍ତ୍ରୀ କାହିଁକି ଇସ୍ତଫା ଦେବେ। ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି। କ୍ରାଇମବ୍ରାଞ୍ଚ ଅପାରଗ ନୁହେଁ। ସିବିଆଇ କଅଣ ରାଜ୍ୟ ପୁଲିସଠୁ ଅଧିକ ଦକ୍ଷ କି। ଓଡ଼ିଶାରେ ସିବିଆଇ ତଦନ୍ତର ଫଳ ଶୂନ୍।

ନବ ଦାସ ହତ୍ୟାକାଣ୍ଡ ତାତିରେ ପ୍ରଥମ ଦିନର ଗୃହ କାର୍ଯ୍ୟ ପୁରା ଧୋଇଯାଇଛି। ତଦନ୍ତ ଦିଗହରା ହେଉଥିବାର ଆଶଙ୍କା କ୍ରମଶଃ ବଢ଼ୁଛି ବିରୋଧୀଙ୍କ ଭିତରେ। ଷଡ଼ଯନ୍ତ୍ରର ପାର୍ଟକୁ ଜାଣିଶୁଣି କ୍ରାଇମବ୍ରାଞ୍ଚ ଛୁଉଁନି କହି ହତ୍ୟାକାଣ୍ଡର ରହସ୍ୟ ପଦାକୁ ଆସିବନି ବୋଲି ସନ୍ଦେହ କରୁଛନ୍ତି ବିରୋଧୀ। କିନ୍ତୁ ସରକାରଙ୍କ କହିବା କଥା, ତଦନ୍ତର କୌଣସି ଦିଗକୁ ବି ଛଡ଼ାଯାଉନି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *