ଭୁବନେଶ୍ବର: ଓଡ଼ିଶାରେ ଲ୍ୟାଣ୍ଡଫଲ କରିବନି କି ଉପକୂଳ ବି ଛୁଇଁବନି। କିନ୍ତୁ ଘଷି ହୋଇ ଚାଲିଯିବ ବାତ୍ୟା। ଏହାର ପ୍ରଭାବରେ ପ୍ରବଳ ବର୍ଷା ପବନ ହେବ। ସମ୍ଭାବ୍ୟ ବାତ୍ୟାଜନିତ ପରିସ୍ଥିତିକୁ ମୁକାବିଲା କରିବାକୁ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଏସଆରସି ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ସେପଟେ କଳାବଜାରୀକୁ ରୋକିବା, ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ପ୍ରସ୍ତୁତି, ଚାଷୀଙ୍କ କ୍ଷୟକ୍ଷତିକୁ ଯଥାସମ୍ଭବ ରୋକିବା ଓ ସର୍ବୋପରି ଜରୁରୀକାଳୀନ ଔଷଧ ମହଜୁଦ ଉପରେ ବିଭିନ୍ନ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛନ୍ତି।
ଓଡ଼ିଶା ଉପରେ ସିଧା ମାଡ଼ କରିବନି ବାତ୍ୟା! କିନ୍ତୁ ଉପକୂଳ ଦେଇ ଘଷି ଚାଲିଯିବ। ସେଥିଲାଗି ପୁରା ବାତ୍ୟା ବିପତ୍ତି ଟଳିନି। ଏହାର ପ୍ରଭାବରେ ପ୍ରବଳ ବର୍ଷା ପବନ ଲାଗି ହେବାକୁ ଥିବା ସମ୍ଭାବ୍ୟ କ୍ଷୟକ୍ଷତିକୁ କିଭଳି କମ୍ କରାଯାଇପାରିବ। ସବୁ ପ୍ରତିକୂଳ ପରିସ୍ଥିତିର କିଭଳି ଆଗତୁରା ଓ ସଠିକ୍ ସମୟରେ ମୁକାବିଲା କରାଯିବ, ତାକୁ ନେଇ ପ୍ରସ୍ତୁତ ସରକାର। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଜିଲ୍ଲାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ, ପିଇବା ପାଣି, ଡଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣମଣ୍ଡପକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଯଦିଓ ୭ଟି ଜିଲ୍ଲା ଅଧିକ ପ୍ରଭାବିତ ହେବେ, ତେବେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ସେପଟେ ଆଗାମୀ ୧୦ ଦିନ ମଧ୍ୟରେ ଗର୍ଭବତୀଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।
ସେପଟେ କଳାବଜାରୀ, ଅଯଥା ହୋର୍ଡିଂକୁ ଲଗାମ ଲଗାଇବାକୁ ଯୋଗାଣ ବିଭାଗ ବି ସଜାଗ ରହିଛି। ଅନେକ ବଜାରରେ ଯୋଗାଣ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ବି ଚଢାଉ କରିଛି। ଅଯଥାରେ ଆବଶ୍ୟକତାରୁ ଅଧିକ ସାମଗ୍ରୀ କିଣି ଘରେ ମହଜୁଦ ନ ରଖିବାକୁ ଅପିଲ୍ କରିଛନ୍ତି ଯୋଗାଣ ମନ୍ତ୍ରୀ। ସେପଟେ କୃଷି ବିଭାଗ ବି ଏ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବିଭାଗ କଣ୍ଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ। କୃଷି ସଚିବ କହିଛନ୍ତି, ଦୁର୍ବିପାକକୁ ପ୍ରତିହତ କରିବାକୁ ଚାଷୀଙ୍କ ଲାଗି ମାର୍ଗଦର୍ଶିକା ଜାରି ହୋଇଛି। କ୍ଷେତ୍ର ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି।
ବାତ୍ୟା ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏଥିରେ ଜିଲ୍ଲାପାଳ, ଏସଆରସି ପ୍ରମୁଖ ଉପସ୍ଥିତ ରହି କିଭଳି ପରିସ୍ଥିତିର ମୁକାବିଲା କରାଯିବ, ସେ ନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ ହୋଇଛି।
ଜ୍ୟୋତିମଞ୍ଜରୀ ସାହୁଙ୍କ ସହ ନବକିଶୋର ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now