ବିଲକିସ୍ ବାନୁ ଗଣଦୁଷ୍କର୍ମର ୧୧ ଅଭିଯୁକ୍ତଙ୍କୁ ମୁକ୍ତକଲା ଗୁଜୁରାଟ ସରକାର

Spread the love

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାରେ ତାଙ୍କ ଅଭିଭାଷଣରେ ମହିଳାଙ୍କ ପ୍ରତି ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ସମାଜରେ ମହିଳାଙ୍କ ପ୍ରତି ଦେଖାଦେଇଥିବା ବିକୃତି ଦୂର କରିବା ଉପରେ ମୋଦି ଭାଷଣ ଦେଶର ସମସ୍ତ ମହିଳାଙ୍କୁ ଆଶ୍ୱସ୍ତି ଆଣିଦେଇଥିଲା। କିନ୍ତୁ ଏହି ଅଭିଭାଷଣର ମାତ୍ର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଗୃହ ରାଜ୍ୟରୁ ଆସିଛି ଏକ ଆଶ୍ଚର୍ଯ୍ୟ ଓ ହତୋତ୍ସାହିତ କଲାପରି ଖବର।
ଲଜ୍ଜା! ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ମାତ୍ର ଗୋଟିଏ ଦିନ ପରେ ଗୁଜୁରାଟ ସରକାର ଦ୍ୱାରା ୧୧ କଏଦୀଙ୍କୁ ମୁକ୍ତି ଦେବା ପ୍ରଧାନମନ୍ତ୍ରୀଙ୍କ ଉକ୍ତି ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ। ୨୦୦୨ରେ ଗୁଜୁରାଟରେ ହୋଇଥିବା ବିଲକିସ ବାନୁ ନାମକ ମୁସଲମାନ ମହିଳାଙ୍କ ଗଣବଳାତ୍କାର ମାମଲାରେ ବନ୍ଦୀ ଜୀବନ ବିତାଉଥିଲେ ଏହି ସମସ୍ତ କଏଦୀ। ସେତେବେଳେ ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ବାନୁଙ୍କସହ ଏହି ପାଷାଣ୍ଡମାନେ ଯାହା କିଛି କରିଥିଲେ, ତାହା ନିଷ୍ଠୁରତାର ସବୁ ସୀମା ପାର କରି ଯାଇଥିଲା।

୨୦୦୨ ମାର୍ଚ୍ଚ ୩ ତାରିଖ। ୫ ମାସର ଗର୍ଭବତୀ ୨୧ ବର୍ଷୀୟା ବିଲକିସଙ୍କୁ ଏହି ଆତତାୟୀମାନେ ଗଣଦୁଷ୍କର୍ମ କରିଥିଲେ। ଏତିକିରେ ସରି ନଥିଲା ଏମାନଙ୍କ ବର୍ବରତା। ଏହା ପରେ ବାନୁଙ୍କ ଛୋଟ ଝିଅ ଓ ପରିବାରର ଅନ୍ୟ ୬ ଜଣଙ୍କୁ ହତ୍ୟା କରିଥିଲେ। କିଛି ଦିନ ପୂର୍ବରୁ ସାବରମତି ଏକ୍ସପ୍ରେସ ଟ୍ରେନ ପୋଡି ଘଟଣାରେ ଆତଙ୍କିତ ଏହି ପରିବାର ଭୟରେ ଏକ ବିଲରେ ଆତ୍ମଗୋପନ କରିଥିବା ବେଳେ ଦୁର୍ବୃତ୍ତମାନଙ୍କ ନଜରକୁ ଆସିଯାଇଥିଲେ। ବାନୁଙ୍କୁ ଗଣବଳାତ୍କାର କରିବା ପରେ ଲହୁ ଲୁହାଣ ଅବସ୍ଥାରେ ସେ ମରିଯାଇଥିବା ଭାବି ତାଙ୍କୁ ରାସ୍ତାରେ ପକାଇ ଦୁର୍ବୃତ୍ତମାନେ ଚାଲିଯାଇଥିଲେ।

ହେଲେ ବିଲକିସଙ୍କ ଆୟୁଷ ଥିଲା, ତାଙ୍କୁ ସ୍ଥାନୀୟ ଏକ ଆଦିବାସୀ ସମ୍ପ୍ରଦାୟ ଉଲଗ୍ନ ଅବସ୍ଥାରେ ଗୁରୁତର ହୋଇପଡିଥିବା ଦେଖି ନେଇଯାଇଥିଲେ ଓ ତାଙ୍କୁ ଆଶ୍ରୟ ଦେଇଥିଲେ। ଏହା ପରେ ବିଲକିସ ଥାନାରେ ଅଭିଯୋଗ କରିଥିଲେ। ୨୦୦୪ ମସିହାରେ ବିଲକିସ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ମାମଲା ରୁଜୁ ପରେ ବିଲକିସଙ୍କୁ ମିଳିଥିଲା ନାନା ଧମକ ଚମକ। ଘଟଣାର ଗୁରୁତ୍ୱ ଦେଖି ସୁପ୍ରିମ କୋର୍ଟ ମାମଲାର ଶୁଣାଣି ଗୁଜୁରାଟ ବଦଳରେ ମୁମ୍ବାଇକୁ ସ୍ଥାନାନ୍ତର କରିଥିଲେ। ମୁମ୍ବାଇ କୋର୍ଟ ଘଟଣାରେ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ପରେ ବମ୍ବେ ହାଇକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ।

୨୦୧୯ ମସିହାରେ ସୁପ୍ରିମ କୋର୍ଟ ଏହି ଲୋକହର୍ଷଣକାରୀ ମାମଲାରେ ଗୁଜୁରାଟ ସରକାରଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ସହ ବିଲକିସଙ୍କୁ ଏକ ଘର, ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ୩ ବର୍ଷ ଭିତରେ ଗୁଜୁରାଟ ସରକାର ଗଣଦୁଷ୍କର୍ମ ଓ ଗଣହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଦେଇଛନ୍ତି। ତେବେ ମାମଲାରେ ୧୫ ବର୍ଷ ବିତି ଯାଇଥିବାରୁ ଅଭିଯୁକ୍ତଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଯାଚିକା ଦାୟର କରାଯାଇ ମୁକ୍ତ କରିବାକୁ ଅପିଲ କରାଯାଇଥିଲା। ଯାହା ଉପରେ ରାଜ୍ୟ ସରକାରକୁ ଏହା ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ସ୍ୱତନ୍ତ୍ର ରିଲିଜ ପଲିସିରେ ଏହି ଅପରାଧୀମାନଙ୍କୁ ମୁକ୍ତ କରିବା କେନ୍ଦ୍ର ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ହୋଇଛି। କାରଣ, ଜୁନ ମାସରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟକୁ କଏଦିଙ୍କ ମୁକ୍ତି ପାଇଁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ଥିଲା କି, ଦୁଷ୍କର୍ମ ଅଭିଯୁକ୍ତ ତଥା ଆଜୀବନ କାରାଦଣ୍ଡ ଭେଗୁଥିବା ଅଭିଯୁକ୍ତଙ୍କୁ ଏହି ସ୍ୱତନ୍ତ୍ର ଛାଡ ପଲିସିରେ ମୁକ୍ତ କରାଯାଇ ପାରିବ ନାହିଁ।

Leave a Reply

Your email address will not be published. Required fields are marked *