ଘର ବାହୁଡିଲେ ହବିଷ୍ୟାଳି

Spread the love

ପୁରୀ: ସରିଛି ଧର୍ମ ମାସ କାର୍ତ୍ତିକ l ଏକ ମାସ ଧାରୀ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିମାନେ ଆଜି ବାହୁଡ଼ିଛନ୍ତି ନିଜ ନିଜ ଘରକୁ l ଚଳିତ ବର୍ଷ ରାଜ୍ୟସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାରେ ପାଖା ପାଖି ୩ହଜାର ବ୍ରତଧାରୀଙ୍କ ଲାଗି ରହିବା, ମହା ପ୍ରସାଦ ସେବନ ଓ ଜଗନ୍ନାଥ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା l ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବୟସ୍କ ବୃଦ୍ଧାମାନେ ଅତି ଆନନ୍ଦର ସହ ବ୍ରତ ପାଳନ କରୁଥିଲେ। ଆଜି ବ୍ରତ ର ଶେଷ ଦିନ ରେ ସମସ୍ତ ହବିଷ୍ୟାଳି ମାନେ ନିଜ ନିଜ ଘରକୁ ଫେରିଛନ୍ତି l ହବିଷ୍ୟାଳି ମାନେ ଫେରିବା ସମୟରେ ଏକ ଭାବବିହୁଳ ପରିବେଶ ଦେଖିବାକୁ ମିଳିଥିଲା l

ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ଦୀର୍ଘ ଏକ ମାସ ଧରି ଚାଲିଥିବା କାର୍ତ୍ତିକ ବ୍ରତ ଉଦଯାପିତ ହୋଇଛି। ଦୀର୍ଘ ଏକମାସ ଧରି ନିଷ୍ଠା ଓ ଭକ୍ତିର ସହ କାର୍ତ୍ତିକ ବ୍ରତ କରି ମହାଧାର୍ମିକ କାର୍ତ୍ତିକମାସ ପାଳନ କରିଥିବା ହବିଷ୍ୟାଳୀଙ୍କୁ ବିଦାୟ ଦିଆଯାଇଛି। ବୃନ୍ଦାବତୀ ନିବାସରେ ଜିଲ୍ଲାପାଳ ସମର୍ଥ ବର୍ମା,ଏସପି କେ.ବିଶାଲ ସିଂଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ହବିଷ୍ୟାଳୀଙ୍କୁ କଦଳୀ,ଫଳ ଓ ଶୁଖିଲା ଭୋଗ ଦେଇ ବିଦାୟ ଜଣାଇଥିଲେ। ବୃନ୍ଦାବତୀ ନିବାସ ସହ ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ  ସମଗ୍ର ରାଜ୍ୟରୁ ୩ ହଜାରରୁ ଉର୍ଦ୍ଧ୍ବ  ହବିଷ୍ୟାଳୀ ଦୀର୍ଘ ଏକ ମାସ ହେବ ଗୋଟିଏ ପରିବାର ଭଳି ରହି କାର୍ତ୍ତିକ ବ୍ରତ ପାଳନ କରିଥିଲେ। ଏବେ ବିଦାୟ ସମୟ ଆସିଥିବାରୁ ସବୁ ହବିଷ୍ୟାଳୀଙ୍କ ମଧ୍ୟରେ ଦୁଃଖ ଖେଳିଯାଇଛି।

ସେହିପରି ମହାପ୍ରଭୁଙ୍କ କରୁଣା ଓ ଆଶୀର୍ବାଦ ରହିଲେ ବଞ୍ଚିଥିଲେ ପୁଣି ଆର ବର୍ଷ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି କୋହଭରା କଣ୍ଠରେ ହବିଷ୍ୟାଳୀ କହିଛନ୍ତି। ଏକ ମାସ ଧରି ମା ମାନଙ୍କର ରହିବା, ମହାପ୍ରସାଦ ସେବନ କରିବା, ଶ୍ରୀଜିଉଙ୍କୁ ଦର୍ଶନ କରିବା, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା  ଆଦି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ଚଳିତ ବର୍ଷର ହବିଷ୍ୟାଳୀ ଯୋଜନା ସରିଛି। ଆସନ୍ତା ବର୍ଷ ଆହୁରି ଭଲ ଭାବେ ଏହା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *