ପାଖରେ ନାହିଁ ଅର୍ଥ , କାମ ଦେଉନି ବିଜୁ ସ୍ବାସ୍ଥ୍ୟ କାର୍ଡ

ସୁବର୍ଣ୍ଣପୁର: ସରକାରଙ୍କ ଏତେ ସବୁ ଯୋଜନା ଥାଇ ବି ଚିକିତ୍ସା ନ ପାଇ ଅସହାୟ ଜୀବନ ଜୀଇଁବାକୁ ବାଧ୍ୟ ଗରିବ । କାମ ଦେଉନି  ବିଜୁ ସ୍ୱାସ୍ଥ୍ୟ କାର୍ଡ । ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଚିକିତ୍ସା ନ ପାଇ ଏବେ ଶଯ୍ୟାଶାୟୀ ଘରର ମୁରବି । ସୁବର୍ଣ୍ଣପୁର ଚିକତ୍ସାଳୟରୁ ଆରମ୍ଭ କରି ବୁର୍ଲ୍ଲା ବଡ ମେଡିକାଲ ପର୍ଯ୍ୟନ୍ତ ସବୁଠିକୁ ଚିକିତ୍ସା ପାଇଁ ଯାଇ ପଇସା ପତ୍ର ସରିଯିବା ପରେ ଏବେ ଘରେ ଅସହାୟ ହୋଇ ପଡିରହିଛନ୍ତି । ଏଭଳି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ସୋନପୁର ବ୍ଲକ ଜନମୁରା ଗାଁର କଂସାରୀ କଅଁର । ଏବେ ସରକାରୀ ସହାୟତା ଅପେକ୍ଷାରେ ପୁରା ପରିବାର ।

ଏକ ସାମାନ୍ୟ ଦୁର୍ଘଟଣା ମଣିଷକୁ କେଉଁଠାରୁ କେଉଁ ପରିସ୍ଥିତିକୁ ନେଇ ଯାଇ ପାରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଜନମୁରା ଗାଁରେ । ଚାରି ମାସ ତଳେ ହଠାତ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ସୋନପୁର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି ହେଲେ ଗାଁର କଂସାରୀ କୁଅଁର। ସୁବର୍ଣ୍ଣପୁର ମେଡିକାଲରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କଲେ ଡାକ୍ତର । ସେଠାରେ ଡାକ୍ତର ତାଙ୍କୁ କଟକ ଯିବା ପାଇଁ ପରାମର୍ଶ ଦେଲେ । ହେଲେ ହାତରେ ଟଙ୍କା ନ ଥିବାରୁ କଂସାରୀଙ୍କ ସ୍ତ୍ରୀ ତାଙ୍କୁ ଚିକିତ୍ସା କରାଇ ନ ପାରି ଫେରି ଆସିଥିଲେ ଘରକୁ ।

ସେପଟେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହି ପରିବାର ଛୋଟରୁ ବଡ ଡାକ୍ତରଖାନାକୁ ଦୌଡି ଦୌଡି ନୟାନ୍ତ ହୋଇପଡିଥିବା ବେଳେ ଭଲ ହୋଇ ପାରିଲେ ନାହିଁ କଂସାରୀ । ଏବେ ଟଙ୍କା ଅଭାବରୁ ହାତ ବାନ୍ଧି ବସିଛନ୍ତି ପରିବାର । ସରକାରୀ ସହାୟତା ସହ ସହୃଦୟ ବ୍ୟକ୍ତିଙ୍କ ସହଯୋଗ ଆଶା କରିଛନ୍ତି କଂସାରୀ । କଂସାରୀଙ୍କୁ ସାହାଯ୍ୟ କରିବାକୁ AC-1200706561-1 IFSC-SBIN0RRUKGB ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ପଠାଇବାକୁ ଅନୁରୋଧ କରୁଛନ୍ତି ପରିର ବର୍ଗ।

ଅପରପକ୍ଷରେ ବଡ ଡାକ୍ତରଖାନାକୁ ପଠାଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ମାଗଣା ଚିକିତ୍ସା କରାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।  

ଗଣପତି ବାଘଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *