ଉଭାସ୍ଥଳୀରୁ ନିଜ ମନ୍ଦିରକୁ ବାହୁଡ଼ିଲେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା। ୯ ଦିନ ଧରି ଅଗ୍ନିରୂପରେ ପୂଜା ପାଉଥିବା ମା ହିଙ୍ଗୁଳାଙ୍କର ଶେଷ ହୋଇଛି ବାର୍ଷିକ ଯାତ୍ରା । ମାଙ୍କୁ ପଣା ପାଣି ଦେଇ ଶୀତଳ କରିବା ପରେ ଶେଷରେ ଅନୁଷ୍ଠିତ ହୋଇଥିଲା ମାଙ୍କ ଚାନ୍ଦୁଆ ଲାଗି ଉତ୍ସବ । ମାଙ୍କ ଆଗମନ ଦିନଠାରୁ ଉଭାସ୍ଥଳୀଠାରେ ମାଙ୍କ ଉପରେ ଏକ ଚାନ୍ଦୁଆ ଦିଆଯାଇଥାଏ। ଯାହା ଶେଷ ଦିନ ମାଙ୍କୁ ଲାଗି କରାଯାଇଥାଏ । ଅପରାହ୍ନରେ ମା’ ହିଙ୍ଗୁଳା ଓ କୁଟେଇଶୁଣୀଙ୍କ ଚଳନ୍ତି ପ୍ରତିମା ଆଲମଦ୍ୱୟକୁ ଦିଅଁଘରୁ ବଡମଣ୍ଡପକୁ ଏକ ଭବ୍ୟ ଶୋଭାଯାତ୍ରାରେ ଅଣାଯାଇଥିଲା। ସେଠାରେ ମନ୍ଦିରର ମୁଖ୍ୟ ଦେହୁରୀ ଷୋଡଶ ଉପଚାର ବିଧିରେ ପୂଜାର୍ଚ୍ଚନା କରି ମା’ ହିଙ୍ଗୁଳାଙ୍କ ଆରାଧନା କରିଥିଲେ। ସନ୍ଧ୍ୟାରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଉଭାସ୍ଥଳୀକୁ ଭବ୍ୟ ଶୋଭାଯାତ୍ରାରେ ନିଆଯାଇଥିଲା। ମୁଖ୍ୟ ଦେହୁରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ପଞ୍ଚପୋଚାର ପୂଜା କରିବା ସହ ଭୋଗ ନୈବେଦ୍ୟ ଅର୍ପଣ କରି ମା’ଙ୍କ ଶୀତୁଳା ପୂଜା କରିଥିଲେ। ପୂଜାରେ ତାଳଚେର ରାଜାଙ୍କ ସପରିବାର ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ।
ମା ଙ୍କର ଏହି ଶିତୁଳା ପର୍ବ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମାଙ୍କର ଦୁର୍ଲଭ ଦର୍ଶନ ପାଇବାକୁ କାହୁଁ କେତେଆଡୁ ଭକ୍ତଙ୍କ ସୁଅ ଛୁଟିଥାଏ । ଶେଷ ଦିନରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ ମାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ।
ଉଭାସ୍ଥଳୀରେ ଦୀର୍ଘ ୯ ଦିନ ଧରି ମା ଅଗ୍ନିରୂପରେ ପୂଜା ପାଉଥିବା ବେଳେ ଲକ୍ଷାଧିକ ଭକ୍ତଙ୍କ ଗହଣରୁ ବିଦାୟ ନେଇ ମନ୍ଦିରକୁ ଫେରିଛନ୍ତି ମା ହିଙ୍ଗୁଳା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now