ଓଡ଼ିଶାର ବିଭିନ୍ନ ଝୁଲା ପୋଲର ନିରାପତ୍ତାକୁ ନେଇ ପ୍ରଶ୍ନ

Spread the love

ଧବଳେଶ୍ବର/ରାୟଗଡା: ଗୁଜୁରାଟ ମାଛୁ ନଦୀ ଉପରେ ଝୁଲା ପୋଲ ଛିଣ୍ଡିବା ଓ ଶତାଧିକ ମୃତାହତ ହେବା ପରେ ଓଡ଼ିଶାରେ ଥିବା ବିଭିନ୍ନ ଝୁଲା ପୋଲର ନିରାପତ୍ତାକୁ ନେଇ ପ୍ରଶ୍ନ ଉଙ୍କିମାରିଛି। ଧବଳେଶ୍ୱର ଝୁଲା ପୋଲକୁ ଅସୁରକ୍ଷିତ କହି ବିଶେଷଜ୍ଞ ଟିମ୍ ରିପୋର୍ଟ ଦେବା ପରେ ସୋମବାର ମଧ୍ୟରାତ୍ରିରୁ ୧୪୪ ଧାରା ଲାଗୁକୁ ନେଇ ଅସନ୍ତୋଷ ତେଜିଛି ଶ୍ରଦ୍ଧାଳୁ ଓ ବ୍ୟବସାୟୀଙ୍କ ଭିତରେ। ସେପଟେ ନାଗାବଳୀ ଝୁଲା ପୋଲ ଉପରେ ସାମୟିକ କଟକଣାକୁ ନେଇ ବି ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବାବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଅସୁରକ୍ଷିତ। ଦିନ ତମାମ ବିଶେଷଜ୍ଞ ଦଳ ଝୁଲା ପୋଲର ସ୍ଥିତି ଅନୁଧ୍ୟାନ ପରେ ସୋମବାର ମଧ୍ୟରାତ୍ରିରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ ହୋଇଛି। ଫଳରେ ଶ୍ରଦ୍ଧାଳୁ ବି ବାବାଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କାରଣ ଅନ୍ୟାଦେଶ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛି ପ୍ରଶାସନ। ଚଳିତ ବର୍ଷ ବାବାଙ୍କ ଯାତ୍ରା ବି ହେବନି ବୋଲି କହିଛନ୍ତି ଏସ୍‌ପି। କିନ୍ତୁ ଠାକୁରଙ୍କ ନୀତିକାନ୍ତି ହେବ। ଏହାକୁ ନେଇ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବ୍ୟବସାୟୀଙ୍କ ଭିତରେ ଅସନ୍ତୋଷ ତେଜିଛି। ଝୁଲା ପୋଲ ସୁରକ୍ଷିତ ଅଛି କି ନା, ତାକୁ ଆଗରୁ ବି ପ୍ରଶାସନ ପରଖି ପାରିଥାଆନ୍ତା। କିନ୍ତୁ ପବିତ୍ର ବଡ଼ ଓଷା, ଗଜଭୋଗ ଓ ପଞ୍ଚୁକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ବେଳେ ହିଁ ଏଭଳି ନିଷ୍ପତ୍ତି ସେମାନଙ୍କ ବେପାରକୁ କୁଠାରଘାତ କରୁଛି। ଶ୍ରଦ୍ଧାଳୁଙ୍କୁ ଏଭଳି ବାରଣ ସେମାନଙ୍କ ଭାବାବେଗ ସହ ଖେଳୁଛି।

ସେପଟେ ରାୟଗଡ଼ାର ନାଗାବଳୀ ଝୁଲାପୋଲକୁ ସୁରକ୍ଷା ଦୃଷ୍ଟିକୋଣରୁ ସାମୟିକ ସିଲ୍ କରାଯାଇଛି। ଗଲା ୫ ବର୍ଷରେ ୩୩ରୁ ଅଧିକ ପର୍ଯ୍ୟଟକ ନାଗାବଳୀ ଗର୍ଭରେ ବୁଡ଼ି ମରିଛନ୍ତି। ପ୍ରଶାସନ ପର୍ଯ୍ୟଟନସ୍ଥଳୀକୁ ସିଲ୍ କରିବା ସହ ପର୍ଯ୍ୟଟକଙ୍କ ଆଗମନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛି। ନାଗାବଳୀ ନଦୀ ଉପରେ ଝୁଲାପୋଲ ଦେଇ ପର୍ଯ୍ୟଟକ ପ୍ରକୃତିର ସମ୍ଭାରକୁ ଉପଭୋଗ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥାଆନ୍ତି। ଆଉ ପୋଲର ସୁରକ୍ଷାକୁ ନେଇ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରିଛି ପ୍ରଶାସନ।

ମନୋଜ ଦଳେଇଙ୍କ ସହ ଜି.ଶ୍ରୀନିବାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *