କ୍ୟାପିଟାଲ ହସ୍ପିଟାଲର ନାଁ ବଡ କାମ ଛୋଟ

Spread the love

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରର ସବୁଠାରୁ ବଡ଼ ଡ଼ାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ l ଗରିବ ତଥା ଦୁଃଖୀ ଅରକ୍ଷିତଙ୍କ ପାଇଁ ଏକମାତ୍ର ସାହାରା ଏହି ଡାକ୍ତରଖାନା l ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଏହାର ଉନ୍ନତିକରଣ ପାଇଁ ଅନେକ ସ୍କିମ ଆଣିଛନ୍ତି। ପ୍ରତ୍ୟକ ବର୍ଷ କୋଟି କୋଟି ଟଙ୍କା ମଧ୍ୟ ଏହି ଡାକ୍ତଖାନା ପାଇଁ ଖର୍ଚ୍ଚ କରାଯାଉଛି। ଏସବୁ ସତ୍ତ୍ବେ କିନ୍ତୁ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ କିଛି ଏଭଳି ସମସ୍ୟା ରହିଛି ଯାହାପାଇଁ କଲବଲ ହେଉଛନ୍ତି ଗରିବ ଗୁରୁବା I

ସୂଚନାନୁଯାୟୀ କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରୁ ୧୨-୧୫ ଶବ ଆସୁଛି ବ୍ୟବଚ୍ଛେଦ ପାଇଁ। ଏହି ଶବ ଗୁଡ଼ିକ କ୍ୟାପିଟାଲ ହସ୍ପିଟାଲର ମହାପ୍ରୟାଣ ଗାଡ଼ି ଉପରେ ନିର୍ଭରଶୀଳ l କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ନାହିଁ ଆବଶ୍ୟକ ସଂଖ୍ୟକ ମହାପ୍ରୟାଣ ଗାଡ଼ି l

୧୨-୧୫ ଟି ଶବ ପାଇଁ ନିହାତି ଭାବେ ୪ ଟି ଗାଡ଼ିର ଆବଶ୍ୟକ ଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମହାପ୍ରୟାଣ ଗାଡ଼ି ସଂଖ୍ୟା ୧ l ଆବଶ୍ୟକ ସଂଖ୍ୟକ ମହାପ୍ରୟାଣ ଗାଡ଼ି ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗରିବ ଲୋକେ l କିଏ ଘଣ୍ଟା ଘଣ୍ଟା ଶବକୁ ଧରି ହସ୍ପିଟାଲ୍ ବାରଣ୍ଡାରେ ପଡ଼ିରହୁଛି ତ ଆଉ କିଏ ଖର୍ଚ୍ଚାନ୍ତ ହୋଇ ଶବ ନେଉଛି ଅନ୍ୟ ଉପାୟରେ l ଗତ ସପ୍ତାହରେ ଏପରି ବିଳମ୍ବ ହେବାରୁ ଜଣେ ବ୍ୟକ୍ତି ଶବକୁ ଷ୍ଟ୍ରେଚରରେ ପକାଇ ଘରକୁ ନେବାକୁ ବାହାରିଥିଲେ। ଏହି ଖବର  ରାଜଧାନୀରେ ଆଲୋଡନ ସୃଷ୍ଟି କରିଥିଲା l

ଏସବୁକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଆଉ ଗୋଟାଏ ମହାପ୍ରୟାଣ ଗାଡ଼ି ଦେବାର ଯୋଜନା କରିଚନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ଗରିବ ଶ୍ରେଣୀର ଲୋକମାନେ ସରକାରଙ୍କୁ ନିବେଦନ କରିଥିବା ବେଳେ ଅଗକୁ କେବେ ଶବକୁ ଉଚିତ ସମ୍ମାନ ମିଳୁଛି ତାହା ଦେଖିବା ବାକି ରହିଲା

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *