() ପଦାକୁ ଆସିଲା କିଏ ସେ ଆଇପିଏସ୍। ଯାହାଙ୍କ ସମ୍ପର୍କରେ ଅଭିଯୁକ୍ତ ଠକ ଦମ୍ପତ୍ତି ରାଜୀବ ଲୋଚନ ଦାସ ଓ ସୋନିଆ ତ୍ରିପାଠୀଙ୍କ ଦେହରେ ହାତ ମାରିପାରୁନି ପୁଲିସ। ଆଉ ଏ କଥାର ପୁଷ୍ଟି ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିବା ଅଭିଯୋଗପତ୍ରରେ ଅଭିଯୋଗକାରିଣୀ ଦର୍ଶାଇଥିବା ନାଁରୁ। ସେ ଆଉ କେହି ନୁହେଁ। କମିଶନରେଟ ପୁଲିସର ଅତିରିକ୍ତ ପୁଲିସ କମିଶନର ଉମାଶଙ୍କର ଦାସ। ଗଲା କିଛି ଦିନ ହେଲା କିଏ ସେ ଆଇପିଏସ ଆଉ ଅଭିଯୁକ୍ତଙ୍କ ସମ୍ପର୍କୀୟ ବୋଲି ବିଭିନ୍ନ ଗଣମାଧ୍ୟମରେ ସସପେନ୍ସ ସହ ପ୍ରଚାର ହେଉଥିଲା। ଆଉ ଆଜି ଏହାର ଖୁଲାସା ସିଏମଙ୍କ ଗ୍ରୀଭାନ୍ସକୁ ପଠାଯାଇଥିବା ପତ୍ରରୁ ଏକରକମ ସ୍ପଷ୍ଟ ହୋଇଛି କହିଲେ ଭୁଲ୍ ହେବନି।
ଏଠି ରକ୍ଷକ ସାଜିଛି ଭକ୍ଷକ। ନ୍ୟାୟ ପାଇଁ ଗୁହାରି କରିବା ତା ହେଲେ କାହାକୁ। ଲୁମେକ୍ସ ରିସୋର୍ସ ସଂସ୍ଥା ନାଁରେ ଜାଲି ଦସ୍ତାବିଜ୍ ବଳରେ ନିଶାରାଣୀ ମହାପାତ୍ରଙ୍କୁ ସାଢ଼େ ୫ କୋଟି ଟଙ୍କାର ଚୂନ ଲଗାଇଥିବା ଠକ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କୁ ଗିରଫ କରିବାକୁ କାହିଁକି କମିଶନରେଟ ପୁଲିସ ଚୁପ୍। ଅଦାଲତଙ୍କ ନିର୍ଦେଶକୁ ବି ଫୁ। ଏହା ପଛର କାରଣକୁ କହିଆସୁଛନ୍ତି ନିଶାରାଣୀଙ୍କ ଓକିଲ। କମିଶନରେଟ ପୁଲିସର ଜଣେ ବରିଷ୍ଠ ଆଇପିଏସ କୁଆଡ଼େ ଅଭିଯୁକ୍ତଙ୍କ ସମ୍ପର୍କୀୟ ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ଏହି ଆଇପିଏସ କିଏ, ତାକୁ ନେଇ ସସପେନ୍ସ ଲାଗିଥିଲା। ଆଉ ଅଭିଯୋଗକାରିଣୀ ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଡିଜି, ଗୃହ ସଚିବ ପ୍ରମୁଖଙ୍କ ପାଖକୁ ପଠାଇଥିବା ଅଭିଯୋଗପତ୍ରରେ ଯାହାର ନାଁ ଉଲ୍ଲେଖ କରିଛନ୍ତି। ସେ ଆଉ କେହି ନୁହେଁ। ସେ ହେଲେ ଭୁବନେଶ୍ୱରର ପୂର୍ବତନ ଡିସିପି ତଥା ପ୍ରମୋସନ ପାଇ ଏବେ କମିଶନରେଟ ପୁଲିସର ଅତିରିକ୍ତ ସିପି ଉମାଶଙ୍କର ଦାସ। ଅଭିଯୁକ୍ତ ରାଜୀବ ଦାସ ଅତିରିକ୍ତ ସିପି ଉମାଶଙ୍କରଙ୍କ ସମ୍ପର୍କୀୟ ବୋଲି ପୁଲିସ ବାନ୍ଧୁନି ବୋଲି ସିଧା ଆରୋପ ଲଗାଇଛନ୍ତି।
ଅଭିଯୁକ୍ତ ଦମ୍ପତ୍ତିଙ୍କ ସମ୍ପର୍କୀୟ ଅତିରିକ୍ତ ସିପି ଉମାଶଙ୍କର ଦାସ କି ନୁହେଁ, ଏ କଥା ଆମେ କହୁନୁ। କିନ୍ତୁ ଅଭିଯୋଗକାରିଣୀଙ୍କ ଅଭିଯୋଗ ଓ ତାଙ୍କ ଓକିଲଙ୍କ ବୟାନ ଏ କଥାକୁ ଦର୍ଶାଉଛି। ହାଇକୋର୍ଟ ବି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଲେଣି କେବେଠୁ। କିନ୍ତୁ ଅଭିଯୁକ୍ତ କେଉଁଠି। ତାହାର ଅତାପତ୍ତା ପାଉନି ପୁଲିସ। କିନ୍ତୁ ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରାଜୀବ। ଏପରିକି ଏୟାରଫିଲ୍ଡ ଥାନାର ତଦନ୍ତକାରୀ ଅଧିକାରୀ ସେତେବେଳେ ରାଜୀବ ରହୁଥିବା ଜେଡ୍ ଓ୍ୱାନ ଆପାର୍ଟମେଣ୍ଟରେ କୋର୍ଟଙ୍କ ନିର୍ଦେଶକ୍ରମେ ରେଡ୍ କରିଥିଲେ। କିନ୍ତୁ ରାଜୀବଙ୍କୁ ପାଇନଥିଲା। ବିଜୁ ପଟ୍ଟନାୟକ ବିମାନବନ୍ଦରରେ କାର୍ ପାର୍କିଂ କରି ଦିଲ୍ଲୀ ଚାଲିଯାଇଥିବା ରାଜୀବଙ୍କ କାରକୁ ଠାବ କରି ସେତେବେଳେ ପୁଲିସ ସଂପୃକ୍ତ କାରକୁ ଲକ୍ କରିଥିଲା। ଏହାର ଫଟୋ ଓ ପ୍ରମାଣ ବି ଦେଇଛନ୍ତି ଅଭିଯୋଗକାରିଣୀ। ଏବେ ଏ କଥା ପ୍ରଘଟ ପରେ ବିଧାନସଭାରେ ବିରୋଧୀ ବି ଏ କଥାକୁ ଉଠାଇବାକୁ କହିଲେଣି। ସରକାରଙ୍କୁ ଏହାର ଜବାବ ରଖିବାକୁ ପଡ଼ିବ ବୋଲି କହିଲେଣି।
ସତ ହୋଇଥିଲେ ସାଙ୍ଘାତିକ। ଆଇନ ଆଖିରେ ସମସ୍ତେ ସମାନ। ଆଇନ କାହାର ଭାଇ, ବନ୍ଧୁ କି ସମ୍ପର୍କକୁ ଦେଖେନା। ହେଲେ ଏଠି ବିଚିତ୍ର ସ୍ଥିତି। ସତରେ କଅଣ ଉମାଶଙ୍କର ଏତେ ପାଓ୍ୱାରଫୁଲ୍। ଅଭିଯୁକ୍ତଙ୍କ ସମ୍ପର୍କୀୟ କହି ଉମାଶଙ୍କରଙ୍କ ଭଳି ଆଇପିଏସଙ୍କ ନାଁ ଯୋଡ଼ିବା ପଛରେ କାରଣ କଅଣ। କମିଶନରେଟ ପୁଲିସ ଅଭିଯୁକ୍ତଙ୍କୁ ବାନ୍ଧିବାକୁ ପଛଘୁଞ୍ଚା ଦେଉଥିବାର ଚର୍ଚ୍ଚା ଅଯଥାରେ ଉମାଙ୍କୁ ବଦନାମ କରୁନି ତ। ଏମିତି ତମାମ ପ୍ରଶ୍ନ ସାଧାରଣରେ ଘୁରିବୁଲୁଛି।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now