ବରଗଡ: ଗରିବ ଵାସହୀନଙ୍କୁ ଘର ଟିଏ ଯୋଗେଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି।ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଗୋଠୁଗୁଡା ଗ୍ରାମ ପଂଚାୟତରେ । ଏଠାରେ ବିଜୁ ପକ୍କାଘର ହେଉକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କୌଣସି ଯୋଜନା ପ୍ରକୃତ ହିତାଧିକାରୀ ପାଉନଥିବା ଅଭିଯୋଗ ହୋଇଛି ।
ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ। ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତରୁ । ଏଠାରେ ବର୍ଷ ପରେ ବର୍ଷ ହିତାଧିକାରୀ ଆବାସ ଯୋଜନା ପାଇଁ ଆବେଦନ କରୁଛନ୍ତି,ତାଲିକାରେ ନାଁ ବି ଆସୁଛି ମାତ୍ର ଘର ଖଣ୍ଡିଏ ପାଇ ପାରୁ ନାହାନ୍ତି । ଲୋକଙ୍କ କହିବା କଥା ବିଜୁ ପକ୍କାଘର ହେଉକି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସବୁଥିରେ ଲାଞ୍ଚ କାରବାର ହେଉଛି । ଯିଏ ଲାଞ୍ଚ ଦେଲା ତାକୁ ଯୋଜନାରେ ସାମିଲ କରାଯାଉଛି। ଅଥଚ ଗରିବ ଖଟିଖିଆ ଙ୍କ ପାଇଁ ଏହି ଯୋଜନା ଯେମିତି ସାତ ସପନ ପାଲଟିଛି । ଫଳରେ ବର୍ଷ ବର୍ଷ ଧରି ଘର ଖଣ୍ଡିଏ ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଯାହାର ପ୍ରତିବାଦରେ ଆଜି ଗୋଠୁଗୁଡା ପଞ୍ଚାୟର ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଆବାସ ଘର ଯୋଗେଇ ଦେବାକୁ ଦାବି କରିଛନ୍ତି ।
ଏହି ପଞ୍ଚାୟତର ବାସିନ୍ଦା ଚାଷ ବାସ, କୁଲି ମଜୁରୀ କରି ପେଟ ପୋଷୁଥିବା ବେଳେ ଘର ଖଣ୍ଡେ ତିଆରି କରିବା ପାଇଁ ଏମାନଙ୍କ ପାଖରେ ସମ୍ବଳ ନାହିଁ।ବର୍ଷ ବର୍ଷ ଧରି ଘର ଖଣ୍ଡିଏ ପାଇଁ ସମସ୍ତଙ୍କୁ ନେହୁରା ହେଉଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ତେବେ ଏନେଇ ଆମେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତିବାସ ନାଏକଙ୍କୁ ଭେଟିଥିଲୁ ,ସେ ଏହା ଉପରେ ତଦନ୍ତ କରିବା ସହ ଅନିୟମିତତା ଜଣା ଗଲେ ବିହିତ ପଦକ୍ଷେପ ନେବାକୁ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି।
ତେବେ ଆବାସ ଯୋଜନାରେ ଦେଖାଦେଇଥିବା ବିବାଦର କେବେ ସମାଧାନ ହେଉଛି ଏବଂ ପ୍ରକୃତ ହିତାଧିକାରୀ କେବେ ଏହାର ଲାଭ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now